ଛୋଟ ସଂସ୍ଥାଠୁ ରୁଷ୍‌ ତେଲ କିଣିବ ଭାରତ

ମୂଲଚାଲ କରିବା ସହଜ, ଅଧିକ ରିହାତି ମିଳୁଛି

ନୂଆଦିଲ୍ଲୀ : ଆନ୍ତର୍ଜାତିକ ବଜାରରେ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବା ରୁଷ୍‌ର ଅଶୋଧିତ ତେଲ କିଣିବା ବଢ଼ାଇବା ଲାଗି ଭାରତ ଏକ ନୂଆ ରାସ୍ତା ବାହାର କରିଛନ୍ତି। ରୁଷ୍‌ର ବଡ଼ ସଂସ୍ଥାଗୁଡ଼ିକ ସହିତ ବୁଝାମଣା କରି କଠିନ ଉପାୟରେ ତେଲ ଆଣିବା ବଦଳରେ ବହୁ ଛୋଟ ଛୋଟ ବେପାରିଙ୍କଠାରୁ ତେଲ କିଣିବା ଉପରେ ଭାରତୀୟ ତୈଳ କଂପାନିଗୁଡ଼ିକ ଅଧିକ ଜୋର ଦେଉଛନ୍ତି। ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରଠାରୁ ରୁଷ୍ ଉପରେ ଆମେରିକା ସମେତ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକ କଠୋର କଟକଣା ଲଗାଇଛନ୍ତି। ଏହା ରୁଷ୍‌ର ଅର୍ଥନୀତିକୁ ଦୁର୍ବଳ କରିଦେଇଛି। ଯେକୌଣସି ଉପାୟରେ ପାଣ୍ଠି ଯୋଗାଡ଼ ଜାରି ରଖିବା ଲାଗି ଅନ୍ୟ ଦେଶଗୁଡ଼ିକ ତୁଳନାରେ ମୋଟା ଅଙ୍କର ରିହାତି ଦେଇ ରୁଷ୍ ତାହାର ତେଲ ବିକ୍ରି କରୁଛି। ଶସ୍ତାରେ ମିଳୁଥିବା ସେହି ତେଲ କିଣିବା ସୁଯୋଗକୁ ଭାରତ ହାତ ଛଡ଼ା କରିବାକୁ ଚାହୁଛନ୍ତି।

ରୁଷ୍‌ର ବଡ଼ ତୈଳ କଂପାନି ଯଥା ରୋଜ୍‌ନେଫ୍ଟ ସହ ବଡ଼ ଡିଲ୍ କରିବା ଲାଗି ସରକାରୀ ବାଟ ଦେଇ ଯିବାକୁ ପଡ଼ୁଛି। ସେଥିପାଇଁ ଅଧିକ ସମୟ ଲାଗୁଛି ଓ ମୂଲଚାଲ କରିବାର ସୁଯୋଗ ମଧ୍ୟ କମ୍ ରହୁଛି। ଏଭଳି ସ୍ଥଳେ ବଜାରରେ ବହୁ ଛୋଟ ଛୋଟ ବେପାରିଙ୍କ ଅଭ୍ୟୁଦୟ ହୋଇଛି ଯେଉଁମାନଙ୍କ ପାଖରେ ଅଳ୍ପ ପରିମାଣରେ ହେଲେ ମଧ୍ୟ କମ୍ ଦାମ୍‌ର ତେଲ ରହିଛି। ସେଭଳି କିଛି ସଂସ୍ଥା ହେଉଛି କୋରାଲ୍ ଏନର୍ଜି ଓ ଏଭରେଷ୍ଟ ଏନର୍ଜି। ଭାରତର ସରକାରୀ ତେଲ କଂପାନିଗୁଡ଼ିକ ସିଧାସଳଖ ସେମାନଙ୍କଠାରୁ ତେଲ କରିବାକୁ ଉଦ୍ୟମ କରୁଛନ୍ତି। ଯେହେତୁ ଏହି ସଂସ୍ଥାଗୁଡ଼ିକର କାର୍ଯ୍ୟାଳୟ ସ୍ବିଜରଲ୍ୟାଣ୍ଡ୍‌, ଦୁବାଇ ଓ ସିଙ୍ଗାପୁରରେ ରହିଛି ତେଣୁ ମୁଲଚାଲ କରିବା ସହଜ ହେଉଛି। ୱେଲ୍‌ବର୍ଡ ଓ ମଣ୍ଟ୍‌ଫୋର୍ଟ ଭଳି ସଂସ୍ଥା ଭାରତକୁ କମ୍ ମୂଲ୍ୟରେ ରୁଷ୍ ତେଲ ଉପଲବ୍ଧ କରାଇବା ଲାଗି ମାର୍କେଟିଂ କରୁଛନ୍ତି।

ରୁଷ୍ ଉପରେ ଅର୍ଥନୈତିକ କଟକଣା ଲାଗିଥିବାରୁ କ୍ରେତା ଓ ବିକ୍ରେତାଙ୍କ ମଝିରେ କେତେକ ମଧ୍ୟସ୍ଥି ସୃଷ୍ଟି ହୋଇଛନ୍ତି। ସେହି ସଂସ୍ଥାଗୁଡ଼ିକ ଫାଇନାନ୍ସ ଓ ଲଜିଷ୍ଟିକ୍ ସୁବିଧା ପ୍ରଦାନ କରୁଛନ୍ତି। ଏଭଳିକି ପେମେଣ୍ଟ୍‌କୁ ନେଇ ରହିଥିବା ସମସ୍ୟାର ମଧ୍ୟ ସେମାନେ ଦେଖାଶୁଣା କରୁଛନ୍ତି। ଯେହେତୁ ଛୋଟ ବେପାରିମାନେ ମୋଟା ଅଙ୍କର ରିହାତି ଘୋଷଣା କରିଛନ୍ତି ତେଣୁ ବିପଦ ଥିଲେ ମଧ୍ୟ ସେମାନଙ୍କଠାରୁ‌ ତେଲ କିଣିବା ଉପରେ ଭାରତ ଜୋର ଦେଉଛି। ଯେତେଦିନ ପର୍ଯ୍ୟନ୍ତ ଏହି ସଂସ୍ଥା ଭାରତୀୟ ବନ୍ଦର ପର୍ଯ୍ୟନ୍ତ ତେଲ ପହଞ୍ଚାଇବା କାମ ଜାରି ରଖିବେ ସେତେ‌ଦିନ ପର୍ଯ୍ୟନ୍ତ ସେମାନଙ୍କଠାରୁ ତେଲ କିଣିବା ଅବ୍ୟାହତ ରହିବ। ଏକ ସଂସ୍ଥା ଭାରତୀୟ ଗ୍ରାହକଙ୍କୁ ବ୍ୟାରେଲ ପିଛା ୮ ଡଲାର ରିହାତି ଦେବାକୁ ଘେଶଷରା କରିଛି। ଆଉ କିଛି ସଂସ୍ଥା ତେଲ ପାଇଁ ୟୁଏଇର ଡିରହାମ୍‌ରେ ପେମେଣ୍ଟ୍‌ ଗ୍ରହଣ କରୁଛନ୍ତି।

ସମ୍ବନ୍ଧିତ ଖବର