ସେପ୍ଟେମ୍ବର ୯ରେ ବ୍ରିକ୍ସ ସମ୍ମିଳନୀ, ଅଧ୍ୟକ୍ଷତା କରିବ ଭାରତ

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ୧୩ତମ ବ୍ରିକ୍ସ (ବ୍ରାଜିଲ, ରୁଷିଆ, ଭାରତ, ଚୀନ୍‌, ଦକ୍ଷିଣ ଆଫ୍ରିକା) ସମ୍ମିଳନୀ ଅନୁଷ୍ଠିତ ହେବ। ତୃତୀୟ ଥର ପାଇଁ ବ୍ରିକ୍ସ ସମ୍ମିଳନୀରେ ଅଧ୍ୟକ୍ଷତା କରିବ ଭାରତ। ଏହି ଭର୍ଚୁଆଲ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌, ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମଫୋସା ଏବଂ ବ୍ରାଜିଲ ରାଷ୍ଟ୍ରପତି ଜୈର୍‌ ବୋଲ୍‌ସୋନାରୋ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀରେ ଦ୍ବିପାକ୍ଷିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା ହେବ। ଆଫଗାନିସ୍ତାନରେ ତାଲିବାନକୁ ନେଇ ଦେଖାଦେଇଥିବା ସଙ୍କଟ ପ୍ରସଙ୍ଗରେ ମଧ୍ୟ ବ୍ରିକ୍ସ ନେତାମାନେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଏହା ସହିତ ବୈଶ୍ବିକ ମହାମାରୀ କୋଭିଡ୍‌ ମୁକାବିଲାକୁ ମଧ୍ୟ ଅଧିକ ଗୁରୁତ୍ବ ଦିଆଯିବ। ସୂଚନାଯୋଗ୍ୟ, ୨୦୧୨ ଏବଂ ୨୦୧୬ରେ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ଭାରତ ଅଧ୍ୟକ୍ଷତା କରିଥିଲା। ୨୦୨୦ରେ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ରୁଷ୍‌ ଅଧ୍ୟକ୍ଷତା କରିଥିଲା। କୋଭିଡ୍‌-୧୯ କାରଣରୁ ଗତବର୍ଷ ମଧ୍ୟ ଭର୍ଚୁଆଲ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଭାରତର ଅଧ୍ୟକ୍ଷତାରେ ୫୦ରୁ ଊର୍ଦ୍ଧ୍ବ ଅନ୍ତର୍ଜାତୀୟ ବୈଠକ ଅନୁ‌ଷ୍ଠିତ ହୋଇ ସାରିଛି।

ସମ୍ବନ୍ଧିତ ଖବର