ଭାରତ ଅଧ୍ୟକ୍ଷତାରେ ହେବ ଜି-୨୦ ସମ୍ମିଳନୀ: ‌ଲୋଗୋ, ଥିମ୍‌ ଏବଂ ୱେବ୍‌ସାଇଟ ଉନ୍ମୋଚନ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଭାରତ ଅଧ୍ୟକ୍ଷତାରେ ହେବାକୁ ଥିବା ୨୦୨୩ ଜି-୨୦ର ଲୋଗୋ, ଥିମ୍‌ ଏବଂ ୱେବସାଇଟ୍‌କୁ ଉନ୍ମୋଚନ କରିଛନ୍ତି। ଏହ‌ି ଅବସରରେ ମୋଦୀ କହିଛନ୍ତି, ଭାରତର ଜି-୨୦ ସମ୍ମିଳନୀରେ ଅଧ୍ୟକ୍ଷତା ଭଳି ଐତିହାସିକ ମୁହୂର୍ତ୍ତ ଅବସରରେ ଦେଶବାସୀଙ୍କୁ ମୋର ଶୁଭେଚ୍ଛା। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଅଧ୍ୟକ୍ଷତାର ଜି -୨୦ର ମନ୍ତ୍ର ହେଲା- ‘ଏକ ବିଶ୍ବ, ଏକ ପରିବାର , ଏକ ଭବିଷ୍ୟତ’। ‘ଭାରତ ଏକ ସୂର୍ଯ୍ୟ-ଏକ ବିଶ୍ୱ-ଏକ ଗ୍ରୀଡ୍’ ସହିତ ଅକ୍ଷୟ ଶକ୍ତି ବିପ୍ଳବର ନେତୃତ୍ୱ ନେଇଛି। ମୋଦୀ କହିଛନ୍ତି, ଲୋଗୋ ପାଇଁ ଆମେ ‌ଦେଶବାସୀଙ୍କଠାରୁ ସେମାନଙ୍କ ମୂଲ୍ୟବାନ ମତାମତ ମାଗିଥିଲୁ ଏବଂ ସେମାନଙ୍କ ମତାମତ ଏବଂ ପରାମର୍ଶ ଆଧାରରେ ଲୋଗୋ ପ୍ରସ୍ତୁତ ହୋଇଛି। ‌ମୋଦୀ କହିଛନ୍ତି, ‘ବସୁଧୈବ କୁଟୁମ୍ବକମ’ ହେଉଛି ଭାରତୀୟ ସଂସ୍କୃତିର ପରିଚୟ। ଆମେ ଅନ୍ଧକାର ଦିନକୁ ଦେଖିଛୁ। ଅନେକ ଚ୍ୟାଲେଂଜ ସତ୍ତ୍ବେ ଭାରତ ପ୍ରତି ଜଟିଳ ପରିସ୍ଥିତିକୁ ନିଜର ଶକ୍ତିରେ ପରିଣତ କରିଛି।

ଜି-୨୦ ହେଉଛି ଏଭଳି ଦେଶମାନଙ୍କର ସମୂହ ଯେଉଁମାନଙ୍କର ଆର୍ଥିକ ସାମର୍ଥ୍ୟ ହେଉଛି ବିଶ୍ବର ୮୫ ପ୍ରତିଶତ ଡିଜିପି। ବିଶ୍ବର ୭୫ ପ୍ରତିଶତ ଆର୍ଥିକ କାରବାର ପ୍ରତିନିଧିତ୍ବ ଜି-୨୦ ରାଷ୍ଟ୍ର କରୁଛନ୍ତି। ଏବେ ଭାରତ ଜି-୨୦ ସମୂହର ନେତୃତ୍ବ ନେବ ଏବଂ ୨୦୨୩ ସମ୍ମିଳନୀର ଅଧ୍ୟକ୍ଷତା କରିବ। ୨୦୨୩ ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଏହି ସମ୍ମିଳନୀ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର