ରୁଷ ତେଲଦର ଉପରେ କଟକଣା ଲଗାଇଲେ ବିକଶିତ ଦେଶ, କିଣିବା ଜାରି ରଖିବ ଭାରତ

ନୂଆଦିଲ୍ଲୀ : ପାଶ୍ଚାତ୍ୟ ଦେଶମାନଙ୍କ ଚାପ ସତ୍ତ୍ବେ ଭାରତ ରୁଷରୁ ତେଲ କିଣିବା ଜାରି ରଖିବା ବୋଲି ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର କହିଛନ୍ତି । ଭାରତ ଗସ୍ତରେ ଆସିଥିବା ଜର୍ମାନୀର ବୈଦେଶିକ ମନ୍ତ୍ରୀ ଆନାଲେନା ବେରବୋକଙ୍କ ସହ ଆଲୋଚନା ବେଳେ ଜୟଶଙ୍କର ଏହା ସ୍ପଷ୍ଟ କରିଦେଇଛନ୍ତି ।

ସେ କହିଛନ୍ତି ଯେ ୟୁରୋପୀୟ ଦେଶ ନିଜେ ରୁଷରୁ ତେଲ କିଣୁଥିବାବେଳେ ଭାରତକୁ ଉପଦେଶ ଦେବ ଠିକ ନୁହେଁ । ନିଜର ସ୍ବାର୍ଥ ଅନୁସାରେ ୟୁରୋପୀୟ ଦେଶମାନେ ନିଷ୍ପତ୍ତି ନେବା ତାଙ୍କର ଅଧିକାର, କିନ୍ତୁ ଭାରତର ବି ସେହି ଅଧିକାର ଅଛି ।

ସୂଚନାଯୋଗ୍ୟ ଯେ, ବିଶ୍ବର ୭ଟି ପ୍ରମୁଖ ବିକଶିତ ରାଷ୍ଟ୍ର ରୁଷ ତେଲ ଦାମ ଉପରେ ସର୍ବୋଚ୍ଚ ସୀମା ନିର୍ଦ୍ଧାରଣ କରିଛନ୍ତି । ରୁଷ ୬୦ ଡଲାରରୁ ଅଧିକ ମୂଲ୍ୟରେ ତେଲ ବିକି ପାରିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । କିନ୍ତୁ ରୁଷ ଏହାକୁ ମାନିବାକୁ ମନା କରିଦେଇଛି । କେବଳ ଏତିକି ନୁହେଁ, ତୈଳ ଯୋଗାଣ ବନ୍ଦ କରିବାକୁ ବି ଧମକ ଦେଇଛି ରୁଷ ।

ସୂଚନାଯୋଗ୍ୟ ଯେ ପାଶ୍ଚାତ୍ୟ ଦେଶଙ୍କ ଆପତ୍ତି ସତ୍ତ୍ବେ ଭାରତ ରୁଷରୁ ଶସ୍ତା ଦରରେ ତେଲ କିଣା ଜାରି ରଖିଛି । ଗତମାସରେ ଇଣ୍ଡୋନେସିଆରେ ଅନୁଷ୍ଠିତ ଜି-୨୦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଭାରତ ରୁଷରୁ ତେଲ କିଣା ଜାରି ରଖିବ । ସେ ଆହୁରି ମଧ୍ୟ କହିଥିଲେ ଯେ ତୈଳ ଯୋଗାଣ ଉପରେ କୌଣସି ପ୍ରତିବନ୍ଧକ ଲଗାଯିବା ଉଚିତ ନୁହେଁ ।

 

ସମ୍ବନ୍ଧିତ ଖବର