ନୂଆଦିଲ୍ଲୀ: ମହାକାଶରେ ଭାରତ ରଚିବ ଆଉ ଏକ ନୂଆ ଇତିହାସ । ଆକ୍ସିଅମ୍ ମିଶନ ମାଧ୍ୟମରେ ଭାରତୀୟ ବାୟୁସେନା ଗ୍ରୁପର କ୍ୟାପଟେନ ଶୁଭାଂଶୁ ଶୁକ୍ଳା ଆସନ୍ତା ମେ ମାସରେ  ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯିବେ । ଯାହା ଫଳରେ ୪୦ ବର୍ଷ ପରେ ଭାରତର ଏହି ସ୍ବପ୍ନ ପୂରଣ ହେବ। ଭାରତୀୟ ବାୟୁସେନା ଗ୍ରୁପର କ୍ୟାପଟେନ ଶୁଭାଂଶୁ ଶୁକ୍ଳା ମେ ମାସରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଯାତ୍ରା କରିବେ ।

Advertisment

ଆକ୍ସିଅମ୍ ମିଶନ ମାଧ୍ୟମରେ ସେ ମହାକାଶ ଯାତ୍ରା କରିବେ। ଏହି ଅଭିଯାନ ଜରିଆରେ ଆଗାମୀ ଦିନରେ ଭାରତ ମହାକାଶ ଯାତ୍ରା କ୍ଷେତ୍ରରେ ଦ୍ବିତୀୟ ସ୍ଥାନରେ ରହିବ । ଏହି ଯାତ୍ରାରେ ଅନ୍ୟ ୪ଟି ଦେଶର ଅନ୍ତରୀକ୍ଷ ଯାତ୍ରୀ ମଧ୍ୟ ସାମିଲ ରହିବେ ।  ଶୁଭାଂଶୁ ଶୁକ୍ଳାଙ୍କ ପୂର୍ବରୁ ଭାରତର ରାକେଶ ଶର୍ମା ୧୯୮୪ ମସିହାରେ ମହାକାଶ ଯାତ୍ରା କରିଥିଲେ ।

ଏହି ମିଶନ ୧୪ ଦିନ ଧରି ଚାଲୁ ରହିବ । ଏହି ମିଶନ ପ୍ରକ୍ରିୟାକୁ ବୈଜ୍ଞାନିକ ପଦ୍ଧତିରେ ପରୀକ୍ଷଣ କରାଯିବ । ସ୍ପେସଏକ୍ସ ଡ୍ରାଗନ କ୍ୟାପସୁଲରେ ମହାକାଶକୁ ଯାତ୍ରା କରିବେ । ଏହାର ଉତକ୍ଷେପଣ ଆମରିକାର ନାସାରୁ କରାଯିବ । ଏହି ଯାନର ସମସ୍ତ ପ୍ରସ୍ତୁତି ପରେ ଉତକ୍ଷେପଣର ତାରିଖ ଧାର୍ଯ୍ୟ କରାଯିବ । କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ମହାକାଶ ଯାତ୍ରାରେ ଭାରତ ଏକ ନିର୍ଣ୍ଣାୟକ ଅଧ୍ୟାୟରେ ପ୍ରବେଶ କରୁଛି  ।  

ଏହି ଅଭିଯାନ ଭାରତର ବିଶ୍ୱସ୍ତରୀୟ ମହାକାଶ ସ୍ଥିତିକୁ ସୁଦୃଢ଼ କରିବ ବୋଲି ଜିତେନ୍ଦ୍ର ସିଂ କହିଛନ୍ତି । ନାସା ଏବଂ ଘରୋଇ ମହାକାଶ କମ୍ପାନୀ ଆକ୍ସିଅମ୍  ସ୍ପେସ୍ ସହିତ ଗତ ଆଠ ମାସ ଧରି ପ୍ରଶିକ୍ଷଣ ନେଉଥିବା ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା ଏକ ଘରୋଇ ବାଣିଜ୍ୟିକ ମିଶନରେ ଆଇଏସଏସକୁ ଉଡ଼ାଣ ଭରୁଛନ୍ତି । ଯେଉଁଥିପାଇଁ ଭାରତ ୬୦ ମିଲିୟନ୍ ଡଲାର ପ୍ରଦାନ କରିଛି । ସ୍ପେସ୍ ଏକ୍ସ ଫାଲକନ-୯ ରକେଟ୍‌ରୁ ଏହି ଅଭିଯାନ ଆରମ୍ଭ ହେବ ଏବଂ ଆମେରିକାର ଫ୍ଲୋରିଡାର ସ୍ପେସ୍ ସେଣ୍ଟରରୁ ଉଡ଼ାଣ ଭରିଥିବା ଡ୍ରାଗନ୍ କ୍ୟାପସୁଲରେ ୪ ଜଣ ସଦସ୍ୟ ବସିବେ । ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ ଲାଗି ଆକ୍ସିଓମ ମିଶନ4 ର ପାଇଲଟ ଭାବେ ତାଙ୍କୁ ଚୟନ କରାଯାଇଛି ।

ସେ ପ୍ରଥମ ଭାରତୀୟ ଯିଏକି ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ ଯିବେ । ଶୁଭାଂଶୁଙ୍କ ଜନ୍ମ ୧୯୮୫ ମସିହା ଅକ୍ଟୋବର ୧୦ ତାରିଖରେ  ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ହୋଇଥିଲା  ।  ଜୁନ ୨୦୦୬ ରେ ଭାରତୀୟ ବାୟୁ ସେନାରେ ଫାଇଟର ପାଇଲଟ ଭାବରେ ସେ ଯୋଗଦାନ କରିଥିଲେ । ମାର୍ଚ୍ଚ ୨୦୨୪ ରେ ତାଙ୍କୁ ଗ୍ରୁପ କ୍ୟାପ୍ଟେନ ଦାୟିତ୍ବ ଦିଆଯାଇଥିଲା ।