ୱାସିଂଟନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦ୍ବିପାକ୍ଷିକ ସମ୍ପର୍କକୁ ଏକ ନୂତନ ଉଚ୍ଚତାକୁ ନେଇଛନ୍ତି ଏବଂ ଜମ୍ମୁ-କାଶ୍ମୀରରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଶିଳ୍ପକୁ ପଙ୍ଗୁ କରିବା ପାଇଁ ଦୁଇଦେଶ ହାତ ମିଳାଇଛନ୍ତି।   ଭାରତକୁ ଟାର୍ଗେଟ କରୁଥିବା ପାକିସ୍ତାନ-ସମର୍ଥିକ ଆତଙ୍କବାଦୀ ଗୋଷ୍ଠୀ ଅଲ୍‌କାଏଦା, ଆଇଏସ୍‌ଆଇଏସ୍‌, ଲସ୍କର-ଏ-ତୋଇବା, ଜୈଶ-ଏ ମହମ୍ମଦ ଓ ହିଜବୁଲ ମୁଜାହିଦ୍ଦିନ ପ୍ରମୁଖଙ୍କୁ ଦମନ କରିବା ପାଇଁ ଘୋଷଣା କରାଯାଇଛି। ସମସ୍ତ ଜିହାଦୀ ଗୋଷ୍ଠୀ ଜମ୍ମୁ-କାଶ୍ମୀରରେ ଥିବା ସୁପ୍ତ ଆତଙ୍କବାଦୀ ଗୋଷ୍ଠୀର ସହଯୋଗରେ ସେମାନଙ୍କର କାର୍ଯ୍ୟକଳାପ ଜାରି ରଖିଛନ୍ତି।  ଜାତିସଂଘ ସୁରକ୍ଷା ପରିଷଦରେ ୨୬/୧୧ ଆକ୍ରମଣର ସୂତ୍ରଧର ଲସ୍କର-ଏ-ତୋଇବାର ସାଜିଦ ମିରକୁ ବିଶ୍ବ ଆତଙ୍କବାଦୀ ଘୋଷଣାକୁ ପାକିସ୍ତାନର ମିତ୍ରରାଷ୍ଟ୍ର ଚୀନ୍ ଅଟକାଇ ଦେଇଥିବା ବେଳେ ୨୬/୧୧ ଓ ପଠାନକୋଟ ଆକ୍ରମଣର ଷଡ଼୍‌ଯନ୍ତ୍ରକାରୀଙ୍କୁ ଆଇନର କାଠଗଡ଼ାକୁ ଟାଣିବା ପାଇଁ ବାଇଡେନ-ମୋଦୀ ଆହ୍ବାନ ଦେଇଥିଲେ। ମିର ମୃତ ବୋଲି ପାକିସ୍ତାନ ଘୋଷଣା କରିଥିବା ବେଳେ ସେ ବାସ୍ତବରେ ଜୀବିତ ଅଛି ଓ ପାକିସ୍ତାନ ତାକୁ ସୁରକ୍ଷା ଦେଉଥିବା ଜଣାପଡ଼ିଛି। ଭାରତ, ଆମେରିକା ଓ ଇସ୍ରାଏଲ ତାକୁ ଦଣ୍ଡିତ କରିବା ପାଇଁ ସୁଯୋଗ ଅପେକ୍ଷାରେ ଅଛନ୍ତି।
Advertisment

publive-image Usanas Foundation

ଭାରତ-ଆମେରିକାର ଯୁଗ୍ମ ବିବୃତିରେ ପାକିସ୍ତାନ-ପ୍ରାୟୋଜିତ ଆତଙ୍କବାଦକୁ ଦମନ କରିବା ପାଇଁ ତିନୋଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବିଷୟ ସ୍ଥାନ ପାଇଛି। ପ୍ରଥମତଃ ପାକିସ୍ତାନ ମାଟିରୁ ଡ୍ରୋନ୍ ମାଧ୍ୟମରେ ଭାରତକୁ ଅସ୍ତ୍ରଶସ୍ତ୍ର ଓ ଆତଙ୍କବାଦୀ ପ୍ରେରଣକୁ ରୋକିବା। ଡ୍ରୋନ୍‌ର ଦୁରୁପଯୋଗ ବନ୍ଦ କରିବା ପାଇଁ ପାକିସ୍ତାନ ଉପରେ ଭାରତ-ଆମେରିକା ମିଳିତ ଭାବରେ ଚାପ ସୃଷ୍ଟି କରିଛନ୍ତି। ଗୋଇନ୍ଦା ସୂଚନାରୁ ଜଣାପଡ଼ିଛି ଯେ, ଭାରତରେ ଆତଙ୍କବାଦୀଙ୍କୁ ପହଞ୍ଚାଇବା ପାଇଁ ପାକିସ୍ତାନ ହେଭି ଡ୍ରୋନ୍ ବ୍ୟବହାର କରୁଛି। ଦ୍ବିତୀୟତଃ ୧୨୬୭ ୟୁଏନ୍‌ଏସ୍‌ସି ସଂକଳ୍ପନାମା ଅଧୀନରେ ପାକିସ୍ତାନୀ ଜିହାଦୀଙ୍କୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ଏବଂ ଦୁଇ ଦେଶର ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ଭିତରେ ଆତଙ୍କବାଦ ସମ୍ପର୍କିତ ଗୋଇନ୍ଦା ସୂଚନା ଆଦାନପ୍ରଦାନ କରିବା ନେଇ ମିଳିତ ବିବୃତିରେ ଉଲ୍ଲେଖ କରାଯାଇଛି।

publive-image Patrikai

ଚୀନ୍ ଭିଟୋ କ୍ଷମତା ଦ୍ବାରା ପାକିସ୍ତାନୀ ଆତଙ୍କବାଦୀଙ୍କ ବିଶ୍ବ ଆତଙ୍କବାଦୀ ଘୋଷଣାକୁ ଅଟକାଇ ଦେଉଥିବା ବେଳେ ଭାରତ ଓ ଆମେରିକା ଜାତିସଂଘକୁ ଏ ସମ୍ପର୍କିତ ତଥ୍ୟ ଯୋଗାଇବା ପାଇଁ କାଗଜପତ୍ର ପସ୍ତୁତି ଲାଗି ହାତ ମିଳାଇଛନ୍ତି। ତୃତୀୟରେ ମନିଲଣ୍ଡରିଂ ଓ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବିରୋଧରେ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସର ବ୍ୟବହାର କରିବା ଲାଗି ମିଳିତ ବିବୃତିରେ ଘୋଷଣା କରାଯାଇଛି। ଅର୍ଥାତ୍ ପାକିସ୍ତାନ ଯଦି ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ତେବେ ଏଫ୍‌ଏଟିଏଫ୍‌ ତାକୁ ଗ୍ରେ ଲିଷ୍ଟରେ ରଖିବ। ପାକିସ୍ତାନକୁ ଆଉ ଆର୍ଥିକ ସହାୟତା ମିଳିବ ନାହିଁ। ତେବେ ଉକ୍ତ ମିଳିତ ବିବୃତିରେ ପାକିସ୍ତାନ ସମ୍ପର୍କରେ ଉଲ୍ଲେଖ କରାଯାଇଥିବାରୁ ପାକିସ୍ତାନ ଏହାକୁ ସମାଲୋଚନା କରିଛି।