ମିଛ କହୁଛି ଚୀନ୍‌, ସେନା ହଟାଉନି; ଅଧିକ ୩୫ ହଜାର ସୈନ୍ୟ ମୁତୟନ କରିବ ଭାରତ

ନୂଆଦିଲ୍ଲୀ : ପ୍ରକୃତ ନିୟନ୍ତ୍ରଣ ରେଖାରୁ ‌ଚୀନ ଏହାର ସେନାକୁ ସଂପୂର୍ଣ୍ଣ ରୂପେ ପ୍ରତ୍ୟାହାର କରିନାହିଁ। ଅଧିକାଂଶ ସ୍ଥାନରୁ ସେନା ପ୍ରତ୍ୟାହାର କରିଥିବା ନେଇ ଚୀନ ଯେଉଁ ମନ୍ତବ୍ୟ ଦେଇଛି, ସେଥିରେ କୌଣସି ସତ୍ୟତା ନାହିଁ। ଚୀନ ସେନା ଏବେ ବି ଅନେକ ସ୍ଥାନ‌େର ରହିଛନ୍ତି। ତେବେ ସୀମାକୁ ଉତ୍ତେଜନାମୁକ୍ତ କରିବା ଲାଗି ଶୀଘ୍ର ଦୁଇ ଦେଶ ମଧ୍ୟରେ ପୁଣି ଆଲୋଚନା ଆରମ୍ଭ ହେବ। ବୈଦେଶିକ ବିଭାଗର ଜଣେ ମୁଖପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ‌ଯେ ଭାରତ ଓ ଚୀନ ମଧ୍ୟରେ ସଂପର୍କକୁ ସ୍ବାଭାବିକ କରିବାକୁ ହେଲେ ସୀମାରୁ ଚୀନକୁ ଏହାର ସେନା ପ୍ରତ୍ୟାହାର କରିବାକୁ ପଡ଼ିବ। କିନ୍ତୁ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଚୀନ ସେନା ହଟାଉ ନାହିଁ। ଉତ୍ତେଜନା ଏବେ ବି ଲାଗି ରହିଛି। ଦୁଇ ପକ୍ଷ ମଧ୍ୟରେ ପୁଣି ଆଲୋଚନା କରାଯିବ ବୋଲି ‌ସେ କହିଛନ୍ତି।

ଅନ୍ୟପକ୍ଷରେ ଚୀନ୍‌ର ଯେ କୌଣସି ଚାଲ୍‌କୁ ପଣ୍ଡ କରିବା ପାଇଁ ଭାରତ ଏବେ ପ୍ରସ୍ତୁତ ହେଉଛି । ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଜାରି ଉତ୍ତେଜନା ଭିତରେ ଅଧିକ ୩୫ ହଜାର ସୈନିକ ମୁତୟନ କରିବା ପାଇଁ ଭାରତ ନିଷ୍ପତ୍ତି ନେଇଛି। ଏହି ପ୍ରକ୍ରିୟା ଯୁଦ୍ଧକାଳୀନ ଭିତ୍ତିରେ ସଂପୂର୍ଣ୍ଣ ହେବ ବୋଲି ଜଣାପଡ଼ିଛି। ପୂର୍ବ ଲଦାଖ୍‌ରେ ଚୀନ୍‌ ସେନାର ଷଡ଼ଯନ୍ତ୍ରପୂର୍ଣ୍ଣ କାର୍ଯ୍ୟକଳାପ ଏବଂ ପେଙ୍ଗଙ୍ଗ୍‌ ଅଂଚଳରେ ଚୀନ୍‌ ସେନାର ଉପସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏଭଳି ନିଷ୍ପତ୍ତି ନେଇଛି । ଭାରତର ଏଭଳି ସୁରକ୍ଷା ପଦକ୍ଷେପ ଯୋଗୁଁ ୩୪୮୮ କିମି ଦୀର୍ଘ ଏଲଏସିରେ ଯଥାସ୍ଥିତି ବଦଳିଯିବ। ୧୫ ଜୁନ୍‌ରେ ପୂର୍ବ ଲଦାଖ୍‌ରେ ଭାରତ ଏବଂ ଚୀନ୍‌ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ତୀବ୍ର ହୋଇଥିଲା। ଏଥିରେ ଭାରତର ୨୧ ଯବାନ ସହିଦ ହୋଇଥିବା ବେଳେ ଚୀନ୍‌ର ଅତି କମ୍‌ରେ ୪୫ ଜଣ ସୈନିକ ନିହତ ହୋଇଥିଲେ। ଉତ୍ତେଜନା ହ୍ରାସ ପାଇଁ ୪ଟି ପର୍ଯ୍ୟାୟରେ କମାଣ୍ଡର ଜେନେରାଲସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ନିଷ୍ପତ୍ତି ମୁତାବକ ଚୀନ୍‌ ଏବେ ବି ତା’ର ସେନା ପ୍ରତ୍ୟାହାର ପ୍ରକ୍ରିୟା ସଂପୂର୍ଣ୍ଣ କରିନାହିଁ।

ଗଲୱାନ ସଂଘର୍ଷ ପରେ ଏଲଏସିରେ ଭାରତ ଶକ୍ତିଶାଳୀ ଟ୍ୟାଙ୍କ, ତୋପ ଏବଂ ବିଭିନ୍ନ ଶ୍ରେଣୀର ଯୁଦ୍ଧ ବିମାନ ମୁତୟନ କରିଛି।

ସମ୍ବନ୍ଧିତ ଖବର