କଲମ୍ବୋ: ଏସିଆ କପ୍‌ରେ ଶନିବାର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ମୁକାବିଲା ହେଉଥିବା‌ ବେଳେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ। ଆଜିର ମ୍ୟାଚ୍‌ରେ ପାକିସ୍ତାନର ବୋଲିଂ ଓ ଭାରତର ବ୍ୟାଟିଂ ମଧ୍ୟରେ ସୁସ୍ଥ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବ। ତିନି ପ୍ରାରମ୍ଭିକ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ଓ ଶୁବମନ ଗିଲ୍‌ଙ୍କୁ ଭେଦ କରିବା ପାଇଁ ଆଫ୍ରିଦି, ହାରିସ୍‌ ଓ ନସିମ ଶାହ ପ୍ରସ୍ତୁତ ରହିଛନ୍ତି। ଶୀର୍ଷକ୍ରମ ପରେ ମଧ୍ୟକ୍ରମରେ କିଏ କେଉଁଠାରେ ଖେଳିବେ ତାହା ଏବେ ବି ସସ୍‌ପେନ୍ସ ରହିଛି। ଈଶାନ କିଶନ ୱିକେଟ୍‌ କିପର ଭୂମିକାରେ ରହିବା ନିଶ୍ଚିତ ଥିବାରୁ ସେ ୪ କିମ୍ବା ୫ ନମ୍ବର ସ୍ଥାନରେ ଖେଳିପାରନ୍ତି। ଏସବୁ ବାଦ୍‌ ଭାରତର ବ୍ୟାଟିଂକ୍ରମକୁ ନେଇ କୌଣସି ଦ୍ବନ୍ଦ୍ବ ନାହିଁ। ମଧ୍ୟକ୍ରମରୁ ଯେଉଁଭଳି ରନ୍‌ ଆଶା କରାଯାଉଛି, ତାହା ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ୍‌ ପୂରଣ କରିପାରିବେ। ଆହତ ସମସ୍ୟା ଭାରତୀୟ ଦଳର ସନ୍ତୁଳନକୁ ଯଦିଓ ବିଗାଡ଼ି ଦେଇଥିଲା, ତଥାପି ଭାରତୀୟ ଖେଳାଳିମାନେ ଭାଙ୍ଗିବାରୁ ଚାଲିବା ଶିଖିଛନ୍ତି। ଏବେ ଯଶପ୍ରୀତ୍‌ ବୁମ୍‌ରା, ପ୍ରସିଦ୍ଧ କୃଷ୍ଣ, ଶ୍ରେୟସ ଆୟର ପ୍ରତ୍ୟାବର୍ତ୍ତନ କରିଥିବାରୁ ଦଳର ‌ମନୋବଳ ବଢିଛି।

Advertisment

ଭାରତ-ପାକିସ୍ତାନ ମଧ୍ୟରେ ଯେକୌଣସି ମ୍ୟାଚ୍‌ ସବୁଠୁ ବଡ଼ ଲଢେଇ ଭାବେ ବିବେଚନା କରାଯାଏ। ଏଭଳି ପ୍ରତିଯୋଗିତା ଦ୍ବାରା ଦୁଇ ଦେଶର ପ୍ରତିଭାବାନ୍ ଖେଳାଳିଙ୍କୁ ମହାନତମ ଶ୍ରେଣୀରେ ସାମିଲ ହେବାକୁ ମଧ୍ୟ ଅବସର ମିଳିଯିବ। ଅନ୍ୟପଟରେ ପାକିସ୍ତାନ ସବୁଠୁ ମଜବୁତ୍‌ ଦଳ ଭାବେ ଏସିଆ କପ୍‌‌ରେ ପହଞ୍ଚିଛି। ୨୦୧୯ ଦିନିକିଆ ବିଶ୍ବକପ୍‌ ପରଠୁ ଦୁଇ ଦଳ ପରସ୍ପରକୁ ଦିନିକିଆରେ ‌ପ୍ରଥମ ଥର ଭେଟିବାକୁ ଯାଉଛନ୍ତି।