ପୁଣି ପଡୋଶୀ ଦେଶମାନଙ୍କୁ କୋଭିଡ ଟିକା ପଠାଇବ ଭାରତ

ନୂଆଦିଲ୍ଲୀ: ପୁଣି ପଡୋଶୀ ତଥା ସହଯୋଗୀ ଦେଶମାନଙ୍କୁ ଭାରତ ଆସନ୍ତା ୩ ମାସ ମଧ୍ୟରେ କୋଭିଡ ଟିକା ପଠାଇବ | ପଡୋଶୀ ଦେଶକୁ ପ୍ରାଥମିକତା ଦେଇ ଭାରତ ଟିକା ରପ୍ତାନି ଆରମ୍ଭ କରିବ ବୋଲି ସୋମବାର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ କହିଛନ୍ତି। ଟିକା ନିର୍ମାଣରେ ବିଶ୍ୱର ସବୁଠୁ ବଡ ନିର୍ମାତା ଭାରତ, ଏପ୍ରିଲରେ କୋଭିଡ ଟିକା ରପ୍ତାନି ବନ୍ଦ କରିଥିଲା | ଭାରତରେ ଥିବା ଲୋକମାନଙ୍କୁ କିଭଳି ଟିକା ଦିଆଯାଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା |

ଟିକା ସଂକଟକୁ ନେଇ କିଛି ରାଜ୍ୟ ସରକାର ଓ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଘେରିବା ପରେ ଟିକା ରପ୍ତାନି ବନ୍ଦ ରହିଥିଲା | ଆଉ ଭାରତରେ ଉତ୍ପାଦିତ ହେଉଥିବା ଟିକା କେବଳ ଦେଶର ନାଗରିକଙ୍କୁ ଦିଆଯାଉଥିଲା | ତେବେ ବର୍ତ୍ତମାନ ମାସିକ ଟିକା ଉତ୍ପାଦନ ଦ୍ୱିଗୁଣିତ ହୋଇଛି ଏବଂ ଆସନ୍ତା ମାସରେ ଏହା ୩୦୦ ମିଲିୟନରୁ ଅଧିକ ଡୋଜରେ ପହଞ୍ଚିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ କହିଛନ୍ତି |

ସେ କହିଛନ୍ତି ଯେ, ଦେଶପାଇଁ ଯେତିକି ଟିକା ଆବଶ୍ୟକ ତାହାକୁ ଛାଡି କେବଳ ଅତିରିକ୍ତ ଟିକା ହିଁ ରପ୍ତାନି ହେବ। ସେ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଥମେ ପଡୋଶୀ ଦେଶଙ୍କୁ ଟିକା ରପ୍ତାନି କରାଯିବ | ସୂଚନା ଥାଉ କି ଟିକା ରପ୍ତାନି ବନ୍ଦ ହେବା ପୂର୍ବରୁ ଭାରତ ପ୍ରାୟ ୧୦୦ ଟି ଦେଶକୁ ୬୬ ନିୟୁତ ଡୋଜ ଟିକା ଦାନ ସୂତ୍ରରେ ଦେଇଥିଲା ଓ କିଛିଙ୍କୁ ବିକ୍ରି କରିଥିଲା |

ସମ୍ବନ୍ଧିତ ଖବର