ଵାସିଂଟନ: ବିଶ୍ବସ୍ତରୀୟ କୋଭିଡ୍‌ ଟିକା ଭାଗିଦାରିତା ପାଇଁ ଜାତିସଂଘ ଆନୁକୂଲ୍ୟରେ ପରିଚାଳିତ କୋଭିଡ୍‌-୧୯ ଭାକ୍ସିନ୍‌ସ ଗ୍ଲୋବାଲ୍‌ ଆକ୍ସେସ୍‌ ବା 'କୋଭାକ୍ସ' ଯୋଜନାରେ ଆମେରିକାରେ ଅବ୍ୟବହୃତ ହୋଇ ରହିଥିବା କୋଭିଡ୍‌ ଟିକାର ୬ କୋଟି ମାତ୍ରା ଭାରତକୁ ମିଳିବ ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ ତରଫରୁ ସୂଚନା ମିଳିଛି। ଆମେରିକାରେ ଦେଶବାସୀଙ୍କର ବିନିଯୋଗ ବାଦ୍‌ ଗଚ୍ଛିତ ହୋଇ ରହିଥିବା ମୋଟ କୋଭିଡ୍‌ ଟିକାର ପ୍ରଥମ ଦଫାରେ ୨.୫ କୋଟି ଟିକାର ୭୫ ପ୍ରତିଶତ ବା ୧.୯ କୋଟି ଟିକାକୁ କୋଭାକ୍ସ ଯୋଜନାରେ ଆଫ୍ରିକା ସମେତ ଦକ୍ଷିଣ ଓ ଦକ୍ଷିଣପୂର୍ବ ଏସିଆକୁ ଯୋଗାଇ ଦିଆଯିବ ବୋଲି ବାଇଡେନ୍‌ ଗତ ୨ ତାରିଖରେ ଘୋଷଣା କରିଥିଲେ।

Advertisment

ଚଳିତ ମାସ ଶେଷ ସୁଦ୍ଧା ଏପରି ସାରା ବିଶ୍ବକୁ ୮ କୋଟି ଟିକା ଯୋଗାଇବା ହେଉଛି ବାଇଡେନ୍‌ ପ୍ରଶାସନ ଦ୍ବାରା କୋଭିଡ୍‌ ପରିଚାଳନାର ଅଂଶବିଶେଷ ବୋଲି କୁହାଯାଇଛି। ତେବେ କୋଭାକ୍ସ ମାଧ୍ୟମରେ ଏନ୍ୟ ଦେଶକୁ କେବେ ଏହି ଟିକା ରପ୍ତାନି ହେବ, ସେ ସମ୍ପର୍କରେ କିଛି ସୂଚନା ନଥିଲେ ହେଁ ଏହି ୮ କୋଟି ଟିକାରୁ ଭାରତ ଭାଗରେ ପ୍ରାୟ ୬ କୋଟି ମାତ୍ରା ପଡ଼ିବ ବୋଲି ଆମେରିକା ପରରାଷ୍ଟ୍ର ବିଭାଗ ମୁଖପାତ୍ର ନେଡ୍‌ ପ୍ରାଇସ୍‌ ବୁଧବାର କହିଛନ୍ତି। ଭାରତକୁ ବାଇଡେନ୍‌ ପ୍ରଶାସନ ଯାବତୀୟ ସାହାଯ୍ୟ ସହଯୋଗ କରିବାକୁ ଅଙ୍ଗୀକାରବଦ୍ଧ ବୋଲି ପ୍ରାଇସ୍‌ କହିଛନ୍ତି।