ମାର୍ଚ୍ଚରେ ଭାରତକୁ ମିଳିଯିବ ଟିକା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ବିକଶିତ ତଥା ଆଷ୍ଟ୍ରାଜେନେକା କମ୍ପାନି ଦ୍ବାରା ପ୍ରସ୍ତୁତ ଏଜେଡ୍‌ଡି୧୨୨୨ ବା ସିଏଚ୍‌ଏଡିଓଏକ୍ସ୧ ନାମକ କୋଭିଡ୍‌ ଟିକା ଭାରତରେ ସର୍ବସାଧାରଣ ବ୍ୟବହାର ପାଇଁ ମିଳିପାରିବ ବୋଲି ଏହାର ଭାରତୀୟ ନିର୍ମାତା ପୁଣେ ସ୍ଥିତ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ବାହୀ ନିର୍ଦ୍ଦେଶକ ଡ. ସୁରେଶ ଯାଦବ କହିଛନ୍ତି। ସମ୍ପ୍ରତି ଦେଶରେ ଦୁଇଟି ଟିକାର ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଓ ଗୋଟିଏ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣ ଚାଲୁ ରହିଥିବା ବେଳେ ଏହି ଦୌଡ଼ରେ ସାମିଲ ହେବାକୁ ଆହୁରି ଏକାଧିକ ଟିକା ଅପେକ୍ଷା କରି ରହିଛନ୍ତି। ତେବେ ଅନୁମତି ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରକ୍ରିୟା ଠିକ୍‌ଠାକ୍‌ ରହିଲେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ବର୍ଷକୁ ୭୦ରୁ ୮୦ କୋଟି ଟିକା ପ୍ରସ୍ତୁତ କରିପାରିବ ବୋଲି ଡ. ଯାଦବ ଆଶା ପ୍ରକଟ କରିଛନ୍ତି। ସୂଚନାଯୋଗ୍ୟ, ଅକ୍ସଫୋର୍ଡ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଭାରତରେ ଆରମ୍ଭ ହୋଇସାରିଛି ଏବଂ ବର୍ତ୍ତମାନ ସୁଦ୍ଧା ଫଳାଫଳ ଠିକ୍‌ ରହିଛି। ଆସନ୍ତା ଡିସେମ୍ବର ମାସ ସୁଦ୍ଧା ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଉକ୍ତ ଟିକାର ୬ରୁ ୭ କୋଟି ମାତ୍ରା ପ୍ରସ୍ତୁତ କରି ରଖିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ତେବେ ସେଗୁଡ଼ିକର ବଜାର ପ୍ରବେଶ ଆସନ୍ତା ବର୍ଷ ହେବ ବୋଲି ଡ. ଯାଦବ କହିଛନ୍ତି।

ସମ୍ବନ୍ଧିତ ଖବର