ଭାରତକୁ ମିଳିବ ବିଶ୍ବର ଦୀର୍ଘତମ ଏକ୍ସପ୍ରେସ୍‌ୱେ: ଗଡ଼କରୀ

ମାର୍ଚ୍ଚ ୨୦୨୨ ସୁଦ୍ଧ‌ା କାମ ଶେଷ ହେବ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଶୁକ୍ରବାର କହିଛନ୍ତି ଯେ, ଭାରତ ବିଶ୍ବର ଦୀର୍ଘତମ ଏକ୍ସପ୍ରେସ୍‌ୱେ ନିର୍ମାଣ ଶେଷ କରିବାକୁ ଯାଉଛି ଏବଂ ତାହା ହେଉଛି ‘ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ହାଇୱେ’। ଏହି ଦ୍ରୁତ-ରାଜପଥର ଦୈର୍ଘ୍ୟ ୧,୩୮୦ କିମି ହେବ ଏବଂ ଏହା ଜବାହରଲାଲ ନେହେରୁ ପୋର୍ଟ ଟ୍ରଷ୍ଟ (ଜେଏନ୍‌ପିଟି) ପର୍ଯ୍ୟନ୍ତ ଯିବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ଏବେ ଆମେ ଏହାକୁ ନରିମାନ ପଏଣ୍ଟ ପର୍ଯ୍ୟନ୍ତ ନେବାକୁ ଯୋଜନା କରିଛୁ ବୋଲି ଗଡ଼କରୀ କହିଛନ୍ତି। ଏହି ରାଜପଥ ନିର୍ମାଣ ରେକର୍ଡ ୩୨ ମାସରେ ୨୦୨୨ ମାର୍ଚ୍ଚ ସୁଦ୍ଧା ଶେଷ ହେବ ଏବଂ ଏହା ବିଶ୍ବର ଦୀର୍ଘତମ ଦ୍ରୁତ-ରାଜପଥ ଭାବେ ବିବେଚିତ ହେବ ବୋଲି ସେ କହିଥିଲେ।

ପୂର୍ବରୁ ଟ୍ରକ୍‌ ଯୋଗେ ମୁମ୍ବାଇରୁ ଦିଲ୍ଲୀ ଯିବା ପାଇଁ ୪୮ ଘଣ୍ଟା ଲାଗୁଥିଲା ଏବଂ କାର୍ ଯୋଗେ ଗଲେ ୨୪-୨୬ ଘଣ୍ଟା ଲାଗୁଥିଲା। କିନ୍ତୁ ଏହି ରାଜପଥ ନିର୍ମାଣ ଶେଷ ହେବା ପରେ ଟ୍ରକ୍‌ ଯୋଗେ ଦିଲ୍ଲୀରୁ ମୁମ୍ବାଇ ଗଲେ ପ୍ରାୟ ୧୮-୨୦ ଘଣ୍ଟା ଲାଗିବ ଏବଂ କାର୍ ଯୋଗେ ଗଲେ ୧୨-୧୩ ଘଣ୍ଟା ଲାଗିବ। ଏହି ରାଜପଥ ରାଜସ୍ଥାନ, ଗୁଜରାଟ ଓ ମଧ୍ୟପ୍ରଦେଶର ଆଦିବାସୀ-ବହୁଳ ଅଞ୍ଚଳ ଦେଇ ଯାଇଛି। ଫଳରେ ଉକ୍ତ ଅଞ୍ଚଳର ବିକାଶ ହେବା ସହ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଏକ୍ସପ୍ରେସ୍‌ୱେ ଦିଲ୍ଲୀ-ଫରିଦାବାଦ-ସୋହନା ଦେଇ ଦିଲ୍ଲୀର ଅର୍ବାନ ସେଣ୍ଟରକୁ ସଂଯୋଗ କରିବ। ଏକ ସ୍ପର ଦ୍ବାରା ଜେୱାର ବିମାନବନ୍ଦର ଓ ଜବାହରଲାଲ ନେହେରୁ ବନ୍ଦର ସହ ମଧ୍ୟ ଏହା ସଂଯୁକ୍ତ ହେବ ବୋଲି ଗଡ଼କରୀଙ୍କ ସୂଚନାରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର