‘ବିଦେଶ ମାଟିରେ ଆତଙ୍କବାଦୀ ଦମନ ଚଳାଇବାକୁ ଭାରତ କୁଣ୍ଠାବୋଧ କରିବନି’

ନୂଆଦିଲ୍ଲୀ : ସୀମାନ୍ତରେ ଆମକୁ ନାନା ଆହ୍ବାନର ସମ୍ମୁଖୀନ ହେବାକୁ ପଡିଲେ ବି ଦେଶବାସୀ ଏ ବିଷୟରେ ନିଶ୍ଚିତ ଯେ ଦେଶର ସୁରକ୍ଷା ବାବଦରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ତାମିଲନାଡ଼ୁର ୱେଲିଂଟନସ୍ଥିତ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜ (ଡିଏସ୍‌ଏସ୍‌ସି)ଠାରେ ଉଦ୍‌ବୋଧନ ଦେବା ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।

ଦୁଇ ଦୁଇଟା ଯୁଦ୍ଧରେ ହାରିବା ପରେ ବି ଆମର ଏକ ପଡ଼ୋଶୀ ଦେଶ (ପାକିସ୍ତାନ) ଛାୟାଯୁଦ୍ଧ ଚଳାଇଛି ଏବଂ ଆତଙ୍କବାଦ ସେହି ଦେଶର ରାଷ୍ଟ୍ରନୀତିରେ ପରିଣତ ହୋଇଛି। ଏହା ଆତଙ୍କବାଦୀମାନଙ୍କୁ ଅସ୍ତ୍ରଶସ୍ତ୍ର, ପାଣ୍ଠି ଓ ତାଲିମ ଦେଇ ଭାରତ ବିରୋଧରେ ନିୟୋଜିତ କରୁଛି ବୋଲି ସିଂହ କହିଥିଲେ। ସେ କହିଲେ ଯେ ଯଦି ବର୍ତ୍ତମାନ ଅସ୍ତ୍ରବିରତି ସଫଳ ହୋଇଛି, ତେବେ ତାହା ଆମର ସାମର୍ଥ୍ୟ ପାଇଁ। ୨୦୧୬ରେ ଭାରତ ସୀମା ପାର କରି ଆତଙ୍କବାଦୀଙ୍କ ଉପରେ ଯେଉଁ ମାଡ଼ କଲା, ସେଥିରୁ ପାକିସ୍ତାନ ବୁଝିଗଲା ଯେ ଆମର କେବଳ ମୁହଁରେ ପ୍ରତିକ୍ରିୟା ପ୍ରକାଶ କରିବାର ମାନସିକତା ବଦଳିଯାଇଛି, ଏବେ ଆମେ କାମରେ ବି ପ୍ରତିକ୍ରିୟା ଦେଖାଇବାକୁ ପ୍ରସ୍ତୁତ। ୨୦୧୯ ବାଲାକୋଟ ବିମାନ ଆକ୍ରମଣ ଏହି ଧାରଣାକୁ ଆହୁରି ସୁଦୃଢ଼ କରିଦେଲା। ଫଳରେ ପାକିସ୍ତାନ ଆଉ ଅସ୍ତ୍ରବିରତି ଭାଙ୍ଗିବାକୁ ସାହସ କରୁନାହିଁ।

ରାଜନାଥ ଆହୁରି କହିଲେ ଯେ, ଭାରତ କେବଳ ନିଜ ଦେଶରୁ ଆତଙ୍କବାଦର ଅନ୍ତ ଘଟାଇବାକୁ ଦୃଢ଼ସଂକଳ୍ପ ତା’ ନୁହେଁ, ଦରକାର ପଡ଼ିଲେ ଏହା ସୀମା ପାର କରି ବିଦେଶ ମାଟିରେ ବି ଆତଙ୍କବାଦ-ନିରୋଧୀ କାର୍ଯ୍ୟକଳାପ ଚଳାଇବାକୁ କୁଣ୍ଠାବୋଧ କରିବ ନାହିଁ। ଆମେ ଜାତୀୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ଯେ କୌଣସି ଶତ୍ରୁକୁ ସାମନା କରିପାରିବୁ ବୋଲି ସେ କହିଥିଲେ। ଆଫଗାନିସ୍ତାନର ପରିବର୍ତ୍ତନଶୀଳ ସମୀକରଣ ଆମ ପାଇଁ ଏକ ଆହ୍ବାନ। ଏହି ପରିସ୍ଥିତି ଆମ ରଣନୀତି ବିଷୟରେ ପୁନର୍ବିଚାର କରିବାକୁ ଆମକୁ ବାଧ୍ୟ କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର