ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ଉତ୍ତେଜନା ବଢ଼ିବା ସହ ଚୀନ ସେନା ସହ ଲଢ଼େଇ କରି ୨୦ଜଣ ଭାରତୀୟ ଯବାନ ସହିଦ ହେବା ପରେ ଏବେ ଭାରତ ଜବାବ ଦେବା ଆରମ୍ଭ କରିଛି । ପ୍ରଥମେ ୫୯ଟି ଚାଇନିଜ୍ ଆପଦ ବ୍ୟବହାର ଭାରତରେ ବନ୍ଦ ହେବା ପରେ ମୋଦୀ ସରକାର ଚାଇନିଜ୍ କମ୍ପାନୀକୁ ଭାରତୀୟ ଚୁକ୍ତିରୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଥିଲେ । ଏବେ ଚୀନ୍ରୁ ଆମଦାନୀ ହେଉଥିବା ବିଦ୍ୟୁତ୍ ଉପକରଣକୁ ମଧ୍ୟ ଭାରତ ନିଷିଦ୍ଧ କରୁଛି ବୋଲି ଖବର ଆସିଛି। ଚୀନ୍ ସହ ଚାଲିଥିବା ସୀମା ବିବାଦ ମଧ୍ୟରେ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂ ଏହି ଘୋଷଣା କରିଛନ୍ତି। ରାଜ୍ୟ ପ୍ରତିପକ୍ଷଙ୍କ ସହ ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ ସିଂ ଆହୁରି କହିଛନ୍ତି ଯେ, ଚୀନ୍ ଏବଂ ପାକିସ୍ଥାନରୁ ଯନ୍ତ୍ରପାତି ଆମଦାନୀକୁ ବିଶେଷ ଯାଞ୍ଚ ଆଧାରରେ ଅନୁମତି ଦିଆଯିବ ନାହିଁ।
ଶକ୍ତି ମନ୍ତ୍ରୀ କହିଛନ୍ତି ଯେ, ଚାଇନାର ସଂସ୍ଥାଗୁଡ଼ିକୁ ଯନ୍ତ୍ରପାତି ଯୋଗାଣ ପାଇଁ ରାଜ୍ୟ ଡିସକମ୍ ନିର୍ଦ୍ଦେଶ ଦେବା ଉଚିତ୍ ନୁହେଁ। ଆମେ ଏଠାରେ ସବୁକିଛି ଉତ୍ପାଦନ କରୁଛୁ। ଚୀନ୍ ଠାରୁ ୨୧,୦୦୦ କୋଟି ଟଙ୍କା ସମେତ ଭାରତ ୭୧,୦୦୦ କୋଟି ମୂଲ୍ୟର ବିଦ୍ୟୁତ୍ ଉପକରଣ ଆମଦାନୀ କରିଛି, ଯାହା ଖୁବ ଅଧିକ । ଚୀନ ଏବଂ ପାକିସ୍ତାନ ଲଗାତାର ଭାରତ ଉପରେ ଆକ୍ରମଣ କରିବା ସହ ସୀମା ଅତିକ୍ରମ କରୁଛି । ଏଭଳି ସ୍ଥିତିରେ ଆମେ ଏବେ ଚୀନ୍ ଏବଂ ପାକିସ୍ତାନଠାରୁ ବିଦ୍ୟୁତ୍ ଉପକରଣ ଆମଦାନୀ କରିବୁ ନାହିଁ। ଆମଦାନୀକୁ ରୋକିବା ପାଇଁ ଚୀନ୍ ଏବଂ ପାକିସ୍ତାନକୁ 'ପ୍ରାଇଅର ରେଫରେନ୍ସ' ଦେଶ ଭାବରେ ଶ୍ରେଣୀଭୁକ୍ତ କରାଯିବ। ଏହି ନିୟମ ଅନୁଯାୟୀ ଚୀନ୍ ଏବଂ ପାକିସ୍ଥାନରୁ କୌଣସି ସାମଗ୍ରୀକୁ ଆମଦାନୀ କରିବା ପାଇଁ ଭାରତ ସରକାରଙ୍କ ଅନୁମତି ନେବାକୁ ପଡିବ।