ଶ୍ରୀଲଙ୍କାକୁ ସୈନ୍ୟ ପଠାଇବ ନାହିଁ ଭାରତ

କଲମ୍ବୋ :  ଶ୍ରଲଙ୍କାରେ ଗୃହଯୁଦ୍ଧ ପରିସ୍ଥିତି ଉପୁଜିଥିବାବେଳେ ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛି ଭାରତ । ତେବେ ଏହି ପଡ଼ୋଶୀ ଦେଶକୁ ସୈନ୍ୟ ପଠାଇବାର କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ ବୋଲି ଭାରତ ସ୍ପଷ୍ଟ କରିଦେଇଛି ।

ଶ୍ରୀଲଙ୍କାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଏପରି ଖବର ଭିତ୍ତିହୀନ ଓ ମିଛ । ଗଣମାଧ୍ୟମ ଏପରି ଦାୟିତ୍ବହୀନ ଖବର ପ୍ରସାରଣରୁ ବିରତ ରହୁ ।  ଏପରି ରିପୋର୍ଟ ଭାରତର ଆଭିମୁଖ୍ୟକୁ ପ୍ରକାଶ କରୁନାହିଁ । ଗତ ଏପ୍ରିଲ ମାସରେ ବି ଏପରି ଏକ ଗୁଜବକୁ ଭାରତ ଖଣ୍ଡନ କରିଥିଲା ।

ଏହା ପୂର୍ବରୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ, ଭାରତ ଶ୍ରୀଲଙ୍କାର ଜନସାଧାରଣଙ୍କ ପଛରେ ରହିଛି । ଶ୍ରୀଲଙ୍କାର ସମ୍ବିଧାନ ପରିସରରେ ରହି ଗଣତାନ୍ତ୍ରିକ ପଦ୍ଧତିରେ ନିଜର ସ୍ବପ୍ନ ହାସଲ ପାଇଁ ଶ୍ରୀଲଙ୍କା ଲୋକେ ଯେଉଁ ଉଦ୍ୟମ ଚଳାଉଛନ୍ତି ଭାରତ ତାହାର ସପକ୍ଷରେ ରହିଛି ।

ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କାରେ ଆର୍ଥିକ ସଂକଟ ଯୋଗୁଁ ଏହି ଦେଶର ଶାସନ ବ୍ୟବସ୍ଥା ଭୁସୁଡ଼ି ପଡ଼ିଛି । ଖାଦ୍ୟ, ଔଷଧ, ପେଟ୍ରୋଲିୟମ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଏହି ଦେଶର ଲୋକମାନେ ସଂଘର୍ଷ କରୁଛନ୍ତି । କୋଇଲା ଆମଦାନୀ ପାଇଁ ବୈଦେଶିକ ମୁଦ୍ରା ନଥିବାରୁ ଦିନକୁ ୧୩ ଘଣ୍ଟା ବିଜୁଳି କାଟ ହେଉଛି । ଏହାଫଳରେ ଦେଶରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଲୋକମାନେ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇ ହିଂସାକାଣ୍ଡ କରୁଛନ୍ତି । ଗତ ସପ୍ତାହରେ ଉଗ୍ର ଜନତା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ବାସଭବନରେ ପଶି ଭଙ୍ଗାରୁଜା କରିଥିଲେ । ଏହା ପୂର୍ବରୁ ଗୋଟାବାୟା ଫେରାର ହୋଇଯାଇଥିଲେ । ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ରାନିଲ ଓ୍ବିକ୍ରମସିଂଘେଙ୍କ ସରକାର ବାସଭବନରେ ନିଆଁ ଲଗାଇଦେଇଥିଲେ ।

ସମ୍ବନ୍ଧିତ ଖବର