ପାକିସ୍ତାନକୁ ପାଣି ବନ୍ଦ : ବୁନ୍ଦାଏ ଅଧିକ ପାଣି ଦେବନି ଭାରତ
ରବି, ବ୍ୟାସ, ସତଲେଜରେ ନୂଆ ବନ୍ଧକାମ ଆରମ୍ଭ, ୬ ବର୍ଷରେ ସରିବ
ନୂଆଦିଲ୍ଲୀ : ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଆଭିମୁଖ୍ୟକୁ ଆହୁରି କଠୋର କରିଛି ଭାରତ। ପାକିସ୍ତାନକୁ ମିଳୁଥିବା ସର୍ବାଧିକ ଅନୁଗୃହୀତ ରାଷ୍ଟ୍ର (ଏମ୍ଏଫ୍ଏନ୍) ମାନ୍ୟତାକୁ ପ୍ରଥମେ ପ୍ରତ୍ୟାହାର କରିଥିଲା। ଏବେ ପାକିସ୍ତାନକୁ ମିଳୁଥିବା ପାଣି ମଧ୍ୟ ବନ୍ଦ କରିଦେବ। ଆଜି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ। ସେ କହିଛନ୍ତି ଯେ ଏହାଦ୍ବାରା କୌଣସି ଆନ୍ତର୍ଜାତିକ ଆଇନର ଉଲ୍ଲଂଘନ ହେବନାହିଁ। ଭାରତ ଓ ପାକିସ୍ତାନ ମଧ୍ୟେର ସ୍ବାକ୍ଷରିତ ସିନ୍ଧୁ ଚୁକ୍ତି ଅନୁସାରେ ହିଁ ଏହି ନିଷ୍ପତ୍ତି ନିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ ଭାରତ ଦେଇ ପାକିସ୍ତାନକୁ ୬ଟି ନଦୀ ପ୍ରବାହିତ ହୋଇଛି। କିଏ କେଉଁ ନଦୀର ପାଣି ବ୍ୟବହାର କରିବ ତାହାକୁ ନେଇ ବିବାଦ ସୃଷ୍ଟି ହେବାରୁ ୧୯୬୦ରେ ଦୁଇ ଦେଶ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଚୁକ୍ତି ଅନୁଯାୟୀ ସିନ୍ଧୁ, ଝେଲମ ଏବଂ ଚେନାବ ନଦୀ ଉପରେ ପାକିସ୍ତାନର ଅଧିକାର ଥିବା ବେଳେ ରବି, ବ୍ୟାସ ଓ ସତଲେଜ ନଦୀ ଉପରେ ଭାରତର ସଂପୂର୍ଣ୍ଣ ନିୟନ୍ତ୍ରଣ ରହିଛି। ତେବେ ଏହି ତିନିଟି ନଦୀର ୯୫ ଭାଗ ପାଣି ଭାରତ ବ୍ୟବହାର କରୁଥିବା ବେଳେ ଅବଶିଷ୍ଟ ୫ ଭାଗ ପାକିସ୍ତାନକୁ ଚାଲିଯାଉଛି। ଗତ ୬୦ ବର୍ଷ ଧରି ପାକିସ୍ତାନ ପାଉଥିବା ଏହି ୫ ଭାଗ ପାଣିକୁ ବନ୍ଦ କରିବା ଲାଗି ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପାଣିର ପ୍ରବାହକୁ ବନ୍ଦ କରିବାକୁ ହେଲେ ଉକ୍ତି ତିନିଟି ନଦୀରେ ବନ୍ଧର ଉଚ୍ଚତା ବଢ଼ାଇବା ସହିତ ନୂଆ ବନ୍ଧ ନିର୍ମାଣ କରିବାକୁ ପଡ଼ିବ। ଏଥିପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ତେବେ ଏଭଳି ପ୍ରକଳ୍ପ ସଂପୂର୍ଣ୍ଣ ହେବାକୁ ଅତିକମରେ ୬ ବର୍ଷ ଲାଗିଯିବ ବୋଲି କୁହାଯାଉଛି।
ଯୋଜନା ଅନୁଯାୟୀ ଏହି ବଳକା ପାଣିକୁ ଜମ୍ମୁ-କଶ୍ମୀର ଏବଂ ପଡ଼ୋଶୀ ରାଜ୍ୟରେ ବ୍ୟବହାର କରାଯିବ। ଅବଶିଷ୍ଟ ପାଣି ଯମୁନା ନଦୀକୁ ନେବାଲାଗି ବ୍ୟବସ୍ଥା କରାଯିବ। ଗଡ଼କରି କହିଛନ୍ତି ଯେ ୧୯୬୦ ସିନ୍ଧୁ ଜଳ ଚୁକ୍ତି ଅନୁଯାୟୀ ଭାରତ ତା’ର ଅଧିକାରକୁ ସାବ୍ୟସ୍ତ କରିବ ଏବଂ ପାକିସ୍ତାନକୁ ବୁନ୍ଦାଏ ବି ଅଧିକ ପାଣି ଦିଆଯିବ ନାହିଁ। ତେବେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଭାରତକୁ ୬ ବର୍ଷ ଲାଗିଯିବ। ବର୍ତ୍ତମାନ ରହିଥିବା ନଦୀ ବନ୍ଧର ଉଚ୍ଚତା ୧୦୦ ମିଟରକୁ ବଢ଼ିଲେ ହିଁ ଏହା ସମ୍ଭବ ହୋଇପାରିବ। ଏ ବାବଦ ପ୍ରକଳ୍ପକୁ କ୍ୟାବିନେଟ୍ ମଂଜୁରି ମିଳିସାରିଛି ଏବଂ ୬ ବର୍ଷ ମଧ୍ୟରେ ଏହାକୁ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରହିଛି ବୋଲି ଜଳ ସଂପଦ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଶାହିପୁରକାଣ୍ଡିରେ ୨୯୭୩ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପ ପାଇଁ ପଂଜାବ ଏବଂ ଜମ୍ମୁ କଶ୍ମୀର ସରକାର ମଧ୍ୟରେ ଚୁକ୍ତି ସଂପନ୍ନ ହୋଇଛି ଏବଂ ପ୍ରଥମ ପର୍ଯ୍ୟାୟରେ ୪୮୫ କୋଟି ଟଙ୍କା ମଂଜୁର ହେବାପରେ କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ସେହିଭଳି ରଂଜିତ୍ ସାଗର ନଦୀ ବନ୍ଧ ଯୋଜନାରେ ପଂଜାବର ୩୭,୧୭୩ ହେକ୍ଟର ଜମିରେ ଜଳସେଚନ ଲକ୍ଷ୍ୟ ରହିଛି।