ଭାରତ ପାଇଁ ସୁନାର ଦିନ: ରିଓରେ ଜିତିଥିଲେ ୪, ଟୋକିଓରେ ଦିନକରେ ୫

ଅବନୀ, ସୁମିତଙ୍କୁ ସ୍ବର୍ଣ୍ଣ
ସ୍ବର୍ଣ୍ଣ ଜିତିବାରେ ଅବନୀ ପ୍ରଥମ ମହିଳା
୩ଥର ବିଶ୍ବ କୀର୍ତ୍ତିମାନ ଭାଙ୍ଗିଲେ ସୁମିତ

ଟୋକିଓ : ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଁ ସୋମବାର ଥିଲା ସୁନାର ଦିନ। କରୋନା ସଙ୍କଟ ଭିତରେ ଖେଳାଯାଉଥିବା ଦିବ୍ୟାଂଗ ଖେଳର ଏହି ସର୍ବବୃହତ୍ ମହାକୁମ୍ଭର ଷଷ୍ଠ ଦିନରେ ଭାରତୀୟ ପ୍ରତିଯୋଗୀମାନେ ଗତ ରିଓ ପାରାଲିମ୍ପିକ୍ସ ପ୍ରଦର୍ଶନକୁ ଟପି ସଫଳତାର ନୂଆ ସ୍ତର ଛୁଇଁଛନ୍ତି। ୨୦୧୬ର ରିଓ ପାରାଲିମ୍ପିକ୍ସରେ ଭାରତ ଦୁଇଟି ସ୍ବର୍ଣ୍ଣ ଏବଂ ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ ସହ ମୋଟ ୪ ପଦକ ଜିତିଥିଲା। ଟୋକିଓ ପାରାଲିମ୍ପିକ୍ସ-୨୦୨୦ର କେବଳ ସୋମବାର ଖେଳରେ ହିଁ ଭାରତ ଦୁଇଟି ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ସହ ଗୋଟିଏ କାଂସ୍ୟ ପଦକ ଜିତିଛି। ପାଞ୍ଚଟି ପଦକ ଜିତି ଦିନକ ଭିତରେ ପୂର୍ବର ସବୁ ପ୍ରଦର୍ଶନକୁ ଟପି ଯାଇଛି ଭାରତ। ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତ ପଞ୍ଚମ ଦିନରେ ଦୁଇଟି ପଦକ ଜିତିଥିଲା। ଏଣୁ ଦୁଇ ଦିନ ଭିତରେ ମୋଟ ୭ ପଦକ ଜିତି ଇତିହାସ ରଚିଛି।

ପାରାଲିମ୍ପିକ୍ସରେ ଆଜି ହରିୟାଣାର ସୁମିତ ଆନ୍ତିଲ ଏଫ୍‌-୬୪ ପୁରୁଷ ଜାଭେଲିନରେ ନୂଆ ବିଶ୍ବ କୀର୍ତ୍ତିମାନ ସ୍ଥାପନ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ନିଜ ସ୍ବର୍ଣ୍ଣିମ ସଫଳତା ଭିତରେ ତିନି ଥର ବିଶ୍ବ କୀର୍ତ୍ତିମାନ ଭାଙ୍ଗିବାର ଅସାଧାରଣ ସଫଳତା ଅର୍ଜନ କରିଛନ୍ତି ସେ। ସେହିଭଳି ମହିଳା ଆର୍‌-୨ ୧୦ ମିଟର ଏୟାର ରାଇଫଲ୍‌ରେ ଅବନୀ ଲେଖରା ସ୍ବର୍ଣ୍ଣ ପଦକ ଜିତି ସମଗ୍ର ଦେଶକୁ ଗର୍ବିତ କରିଛନ୍ତି। ସୁମିତ ନୂଆ ବିଶ୍ବ କୀର୍ତ୍ତିମାନ ସ୍ଥାପନ କରିଥିଲା ବେଳେ ଅବନୀ ବିଶ୍ବ କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ୧୯ ବର୍ଷୀୟା ରାଜସ୍ଥାନୀ ଝିଅ ଅବନୀ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିବାରେ ପ୍ରଥମ ଭାରତୀୟ ମହିଳା ହେବାର ନୂଆ ଇତିହାସ ବି ରଚିଛନ୍ତି। ଅନ୍ୟପକ୍ଷରେ ରିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଦେବେନ୍ଦ୍ର ଝାଝର ଏଫ୍‌-୪୬ ଜାଭଲିନ୍ ଏବଂ ପୁରୁଷ ଡିସକସ୍‌ରେ ଯୋଗେଶ କାଥୁନିଆ ରୌପ୍ୟ ପଦକ ପାଇଛନ୍ତି। ଏଫ୍‌-୪୬ ଜାଭଲିନ୍‌ରେ ଝାଝରଙ୍କ ପଛରେ ରହି ଅନ୍ୟତମ ଭାରତୀୟ ସୁନ୍ଦର ଗୁର୍ଜର କାଂସ୍ୟ ପଦକ ଜିତିଛନ୍ତି।

ଭାରତ ୧୯୬୮ରେ ପାରାଲିମ୍ପିକ୍ସରେ ପ୍ରଥମ ଥର ଭାଗ ନେଇଥିଲା। ୨୦୧୬ ରିଓ ପାରାଲିମ୍ପିକ୍ସ ସୁଦ୍ଧା ଭାରତ ୪ ସ୍ବର୍ଣ୍ଣ, ୪ ରୌପ୍ୟ ଏବଂ ସେହି ୪ କାଂସ୍ୟ ପଦକ ପାଇଥିଲା। ୫୩ବର୍ଷ ଭିତରେ ୧୨ ପଦକ ଜିତିଥିବା ଭାରତ ଏଥର ଟୋକିଓ ପାରାଲିମ୍ପିକ୍ସରେ ତାଠାରୁ ଅଧିକ ପଦକ ଜିତିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର