ନୂଆଦିଲ୍ଲୀ: ସଂପ୍ରତି ବାଂଲାଦେଶରେ ଛାତ୍ର ବିଦ୍ରୋହକୁ ନେଇ ଉପୁଜିଥିବା ଜଟିଳ ସ୍ଥିତି ଓ ସରକାରର ପତନ ପରବର୍ତ୍ତୀ ସଙ୍କଟ ଉପରେ ଭାରତ ସତର୍କ ନଜର ରଖିଛି। ଆଜି ଏ ବାବଦରେ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ସଂସଦରେ ଏକ ସର୍ବଦଳୀୟ ବୈଠକ କରିଛନ୍ତି। ବାଂଲାଦେଶର ସାଂପ୍ରତିକ ସ୍ଥିତି ଓ ଏହାର ପ୍ରଭାବ ନେଇ ଜୟଶଙ୍କର ବୈଠକରେ ରାଜନୈତିକ ଦଳମାନଙ୍କୁ ଅବଗତ କରାଇଛନ୍ତି। ବୈଠକରେ ସମସ୍ତ ଏନଡିଏ ସହଯୋଗୀ ଏବଂ ଅଧିକାଂଶ ବିରୋଧୀ ଦଳ ନେତା ଉପସ୍ଥିତ ଥିଲେ। ଉଭୟ ଲୋକସଭା ଏବଂ ରାଜ୍ୟସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ଜୟଶଙ୍କର କହିଛନ୍ତି, ହସିନା ସରକାରର ପତନ ପରେ ଭାରତ ସରକାର ବାଂଲାଦେଶ ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି। ସୀମାରେ ପରିସ୍ଥିତି ସ୍ବାଭାବିକ ରହିଛି ଏବଂ କୌଣସି ଉଦ୍‌ବେଗ ସୃଷ୍ଟିକାରୀ ସ୍ଥିତି ନାହିଁ। ବିବାଦୀୟ କୋଟା ପଦ୍ଧତି ପାଇଁ ବିଦ୍ରୋହକୁ ନଜରରେ ରଖି ପ୍ରାୟ ୮ ହଜାର ଭାରତୀୟ ବିଶେଷ କରି ଛାତ୍ରମାନେ ପୂର୍ବରୁ ସ୍ବଦେଶ ଫେରି ଆସିଥିଲେ ବୋଲି ଜୟଶଙ୍କର କହିଛନ୍ତି। ଭାରତ ମଧ୍ୟ ବାଂଲାଦେଶରେ ଫସିଥିବା ୯ ହଜାରରୁ ଅଧିକ ଭାରତୀୟ ଛାତ୍ରଙ୍କୁ ଭାରତ ଫେରାଇ ଆଣିବାପାଇଁ ବାଂଲାଦେଶ ସେନା ମୁଖ୍ୟଙ୍କ ସହ କଥା ହୋଇଥିବା ସେ କହିଛନ୍ତି। ତେବେ ହସିନାଙ୍କ ସମ୍ପର୍କ‌ରେ ଜୟଶଙ୍କର କହିଛନ୍ତି, ହସିନା ଏବେ ଖୁବ୍‌ ବିବ୍ରତ ଏବଂ ବିଚଳିତ ଅଛନ୍ତି। ଆମେ ତାଙ୍କୁ ନିଷ୍ପତ୍ତି ନେବାପାଇଁ କିଛି ସମୟ ଦେଇଛୁ। ଏହାପରେ ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ତଥା ଭବିଷ୍ୟତ ଯୋଜନା ନେଇ ଆଲୋଚନା ହେବ। ତେବେ ଭାରତ ହସିନାଙ୍କୁ ସବୁ ପ୍ରକାର ସହଯୋଗ ପ୍ରଦାନ କରିବ ବୋଲି ନିଶ୍ଚିତ କରିଥିବା ଜୟଶଙ୍କର କହିଛନ୍ତି।

Advertisment

ଅନ୍ୟପକ୍ଷେ ବାଂଲାଦେଶ ହିଂସା ଘଟଣାରେ ବିଦେଶୀ ଶକ୍ତିର ସମ୍ପୃକ୍ତି ଅଛି କି (?) ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଜୟଶଙ୍କର କହିଛନ୍ତି, ଏଭଳି ଏକ ସମ୍ଭାବନାକୁ ଆଦୌ ଏଡ଼ାଇ ହେବନାହିଁ। ଭାରତ ଏହା ଉପରେ ସତର୍କ ନଜର ରଖିଛି। ପରେ ଜୟଶଙ୍କର ଏକ୍ସରେ ଏକ ପୋଷ୍ଟ୍‌ କରି କହିଛନ୍ତି, ଏଭଳି ସଙ୍କଟ ସମୟରେ ସମସ୍ତ ବିରୋଧୀ ଦଳ ସରକାରଙ୍କୁ ସମର୍ଥନ ପ୍ରଦାନ କରିଛନ୍ତି। ସର୍ବଦଳୀୟ ବୈଠକରେ ସମସ୍ତ ବିରୋଧୀ ଦଳ ସରକାରଙ୍କୁ ସମର୍ଥନ ପ୍ରଦାନ କରିଥିରୁ ସେ ଏହାର ପ୍ରଶଂସା କରିଛନ୍ତି। ସର୍ବଦଳୀୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହ ମନ୍ତ୍ରୀ ଅମିତ ଶାହ, ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, ଜେଡିୟୁ ‌ନେତା ଏବଂ କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ ସିଂହ , ଜେଡିଏସ୍‌ ନେତା ଏବଂ କେନ୍ଦ୍ରମନ୍ତ୍ରୀ ଏଚ୍‌ ଡି କୁମାରସ୍ବାମୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଡିଏମ୍‌କେ ନେତା ଟିଆର୍‌ ବାଲୁ, ଏସ୍‌ପି ନେତା ରାମ ଗୋପାଳ ଯାଦବ, ତୃଣମୂଳ ନେତା ସୁଦୀପ ବନ୍ଦୋପାଧ୍ୟାୟ , ଏନ୍‌ସିପି ନେତା ସୁପ୍ରିୟା ସୁଲେ ପ୍ରମୁଖ ଉପସ୍ଥିତ ଥିଲେ।