ଇଟାୱା: ‘ଆଇସିସି’ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩’ ଯଦି ଗୁଜରାଟ ପରିବର୍ତ୍ତେ ଲକ୍ଷ୍ନୌରେ ଆୟୋଜନ କରାଯାଇ ଥାଆନ୍ତା ତେବେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥାଆନ୍ତା ବୋଲି ‘ସମାଜବାଦୀ ପାର୍ଟି’ର ମୁଖ୍ୟ ଅଖିଳେଶ ଯାଦବ ମଙ୍ଗଳବାର ଦିନ କହିଛନ୍ତି।

Advertisment

ଉତ୍ତର ପ୍ରଦେଶର ଇଟାୱା ସହରରେ ଆୟୋଜିତ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ‘ସମାଜବାଦୀ ପାର୍ଟି’ର ମୁଖ୍ୟ ଅଖିଳେଶ ଯାଦବ କହିଲେ, ଗୁଜରାଟରେ ଯେଉଁ ମ୍ୟାଚ୍‌ ହେଲା, ତାହା ଯଦି ଲକ୍ଷ୍ନୌରେ ହୋଇ ଥାଆନ୍ତା, ସେମାନେ (ଟିମ୍‌ ଇଣ୍ଡିଆ) ଅନେକଙ୍କର ଆଶୀର୍ବାଦ ପାଇଥାଆନ୍ତେ। ଏଠାରେ ମ୍ୟାଚ୍‌ ଖେଳାଯାଇଥିଲେ ଟିମ୍‌ ଇଣ୍ଡିଆ ଭଗବାନ ବିଷ୍ଣୁ ଓ ଅଟଳବିହାରୀ ବାଜପେୟୀଙ୍କ ଆଶୀର୍ବାଦ ପାଇ ଥାଆନ୍ତା ଓ ଭାରତ ବିଜୟୀ ହୋଇ ଥାଆନ୍ତା। ଏବେ ଶୁଣାଯାଉଛି ସେ ପିଚ୍‌ରେ କିଛି ଅସୁବିଧା ଥିଲା। ତେଣୁ ଖେଳାଳିମାନଙ୍କ ପ୍ରସ୍ତୁତି ପୂରା ହୋଇ ପାରିଲା ନାହିଁ। ତେଣୁ, ଲକ୍ଷ୍ନୌରେ ଖେଳ ଆୟୋଜନ କରାଯାଇଥିଲେ ଭଲ ହୋଇ ଥାଆନ୍ତା।

Samajwadi Party chief Akhilesh Yadav Image Courtesy of Business Today

ସୂଚନାଯୋଗ୍ୟ, ମୁଲାୟମ୍‌ ସିଂହ ଯାଦବଙ୍କ ନେତୃତ୍ବାଧୀନ ‘ସମାଜବାଦୀ ପାର୍ଟି’ ସରକାର ଲକ୍ଷ୍ନୌ କ୍ରିକେଟ୍‌ ଷ୍ଟାଡିୟମ୍‌ର ନାଁ ଦେଇଥିଲେ ଇକାନା ଷ୍ଟାଡିୟମ୍‌। ଏହା ଭଗବାନ ବିଷ୍ଣୁଙ୍କର ଆଉ ଗୋଟାଏ ନାଁ। ପରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ସମ୍ମାନାର୍ଥେ ୨୦୧୮ରେ ଯୋଗୀ ଆଦିତ୍ୟନାଥ ସରକାର ଏହାର ନାମ ପରିବର୍ତ୍ତନ କରି ଦେଇଥିଲେ ‘‘ଭାରତ ରତ୍ନ ଅଟଳବିହାରୀ ବାଜପେୟୀ ଇକାନା କ୍ରିକେଟ୍‌ ଷ୍ଟାଡିୟମ୍‌’।

ସେହିପରି, ନିର୍ବାଚନ ହେବାକୁ ଥିବା ରାଜସ୍ଥାନରେ ମଙ୍ଗଳବାର ଦିନ ଏକ ରାଲିରେ ଉଦ୍‌ବୋଧନ ଦେବା ବେଳେ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ ମଧ୍ୟ କହିଥିଲେ, ଯେମିତି ଖେଳନ୍ତୁ ପଛେ ଆମ ପିଲାମାନେ‌ ସେଠାରେ ବିଶ୍ବକପ୍‌ ଜିତି ଥାଆନ୍ତେ, କିନ୍ତୁ ‘ଅଶୁଭ ଯୋଗ’ ତାଙ୍କୁ ହରାଇ ଦେଲା।