ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ଏବଂ ବାଲାକୋଟ୍ରେ ବାୟୁସେନାର କାର୍ଯ୍ୟାନୁଷ୍ଠାନ ପରେ ଭାରତ ପକ୍ଷରୁ ଏକ ଆଭ୍ୟନ୍ତରୀଣ ସମୀକ୍ଷା କରାଯାଇ ବାୟୁସେନାର ଅଧିକାଂଶ ୟୁନିଟ୍କୁ ପାକିସ୍ତାନ ସୀମା ନିକଟରେ ନିୟୋଜିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ପାକିସ୍ତାନ ବାୟୁସେନା ପକ୍ଷରୁ ଆକ୍ରମଣ ଆଶଙ୍କାକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ପ୍ରକାଶ।
ବାୟୁସେନାର କିଛି ଶିବିର ସହ ଅନ୍ୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ମଧ୍ୟ ପାକିସ୍ତାନ ସୀମା ନିକଟବର୍ତୀ ଅଂଚଳକୁ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଉଥିବା ଜଣାପଡ଼ିଛି। ଏହି ନିରାପତ୍ତା ବ୍ୟବସ୍ଥା ଦ୍ୱାରା ପାକିସ୍ତାନ ବାୟୁସେନାର ସମ୍ଭାବ୍ୟ ଆକ୍ରମଣକୁ ପ୍ରତିହତ କରାଯିବା ସହ ଶତ୍ରୁପକ୍ଷର ଆକ୍ରମଣକୁ ପଣ୍ଡ କରାଯାଇପାରିବ ବୋଲି କୁହାଯାଇଛି। ତଥ୍ୟ ଅନୁଯାୟୀ, ଜମ୍ମୁ କଶ୍ମୀର, ପଞ୍ଜାବ, ଗୁଜରାଟ ଏବଂ ରାଜସ୍ଥାନରେ ନିୟୋଜିତ ବାୟୁସେନାର ଶକ୍ତି ବିଷୟରେ ସମୀକ୍ଷା କରାଯାଇଥିଲା। ଏହି ସମୀକ୍ଷା ପରେ ସେଠାରୁ ଅଧିକାଂଶ ବାୟୁସେନା ଶିବିର ପାକିସ୍ତାନ ସୀମାକୁ ସ୍ଥାନାନ୍ତର କରାଯିବା ଆବଶ୍ୟକ ବୋଲି ଅନୁଭବ କରାଯାଇଥିଲା। ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ବାୟୁସେନା ପକ୍ଷରୁ ବାଲାକୋଟ୍ରେ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଥିଲା। ଏହାର ଜବାବରେ ପାକିସ୍ତାନ ବାୟୁସେନା ଜମ୍ମୁ କଶ୍ମୀର ନିୟନ୍ତ୍ରଣ ରେଖା ନିକଟରେ ଆକ୍ରମଣ କରିଥିଲା। ପାକିସ୍ତାନ ବାୟୁସେନା ଆକ୍ରମଣକୁ ପ୍ରତିହତ କରାଯାଇ ପାକିସ୍ତାନର ଏକ ଏଫ୍-୧୬ ବିମାନ ଧ୍ବଂସ କରାଯାଇଥିଲା। ଭାରତୀୟ ବାୟୁସେନା ପକ୍ଷରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରାଯିବାରୁ ପାକିସ୍ତାନର ବିମାନଗୁଡିକ ଭାରତ ସୀମାର କିଛି କିଲୋମିଟର ଭିତରକୁ ପ୍ରବେଶ କରି ଫେରିଯାଇଥିଲେ। ତେବେ ପାକିସ୍ତାନ ସୀମାରେ ବାୟୁସେନାର ଅଧିକ ଶିବିର ଥିଲେ ପାକିସ୍ତାନର ଅଧିକ କ୍ଷତି ହୋଇଥାନ୍ତା ବୋଲି ସମୀକ୍ଷାରେ ମତପ୍ରକାଶ ପାଇଥିଲା। ଭାରତୀୟ ବାୟୁସେନା ଏବେ ଆକାଶ ଏୟାର୍ ଡିଫେନ୍ସ୍ କ୍ଷେପଣାସ୍ତ୍ର ବ୍ୟବସ୍ଥା ସହ ପୂର୍ବରୁ ରହିଥିବା ଅନ୍ୟ ପ୍ରତିରକ୍ଷା ବ୍ୟବସ୍ଥାକୁ ବିଭିନ୍ନ ଶିବିରରେ ନିୟୋଜିତ କରିଛି। ବାୟୁସେନା ଡିଆର୍ଡିଓ ଏବଂ ଇସ୍ରାଏଲ୍ ନିର୍ମିତ ଏମ୍ଆର୍-ଏସ୍ଏଏମ୍ ଏୟାର୍ ଡିଫେନ୍ସ୍ ସିଷ୍ଟମ୍ ପାଇବା ସମ୍ଭାବନା ରହିଛି।