ବାୟୁସେନାର ଶକ୍ତି ବଢ଼ିଲା, ସାମିଲ ହେଲା ୮ ଆପାଚି ହେଲିକପ୍ଟର

ପଠାନକୋଟ: ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ‌ହୋଇଛି। ବାୟୁସେନାର ଆଧୁନିକୀକରଣ ଯୋଜନା ଅନ୍ତର୍ଗତ ଆମେରିକା ନିର୍ମିତ ୮ଟି ଆପାଚି ଏଏଚ୍‌-୬୪ଇ ଆଟାକ୍‌ ହେଲିକପ୍ଟର ଆଜି ବାୟୁସେନାରେ ସାମିଲ ହୋଇଛି। ପଠାନକୋଟ ସେନା ଘାଟିରେ ଆଜି ବାୟୁସେନାରେ ଏହି ଆପାଚି ହେଲିକପ୍ଟର ସାମିଲ୍‌ କାର୍ଯ୍ୟକ୍ରମ‌ରେ ବାୟୁସେନା ମୁଖ୍ୟ ବିଏସ୍‌ ଧନୋଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଧନୋଆ କହିଛନ୍ତି, ଅତ୍ୟାଧୁନିକ ପ୍ରଯୁକ୍ତିର ହେଲିକପ୍ଟର କ୍ରୟ ଦ୍ବାରା ଭାରତୀୟ ବାୟୁସେନା ଆହୁରି ଅଧିକ ସଶକ୍ତ ଓ ସୁଦୃଢ଼ ହେବ ଏବଂ ସେନାର ଆଧୁନିକୀକରଣ ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଆପାଚି ହେଲିକପ୍ଟର ବାୟୁସେନାର ପରିଚାଳନା କ୍ଷମତାକୁ ଆହୁରି ଅଧିକ ସୁଦୃଢ଼ କରିବ। ଏହି ହେଲିକପ୍ଟରକୁ ଭାରତର ପଶ୍ଚିମ ଅଞ୍ଚଳରେ ମୁତୟନ କରାଯିବ ବୋଲି ଧନୋଆ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତୀୟ ସୁରକ୍ଷା ସଂସ୍ଥା ଗୁଡ଼ିକ ଏବେ ସୁରକ୍ଷା ସଂକ୍ରାନ୍ତ ଚ୍ୟା‌ଲେଂଜ ଗୁଡ଼ିକର ମୁକାବିଲା କରୁଛନ୍ତି, ଏଭଳି ପରିସ୍ଥିତିରେ ବାୟୁସେନାରେ ଆପାଚି ହେଲିକପ୍ଟର ସାମିଲ ହେବା ବିଷୟକୁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି।

ଏଏଚ୍‌-୬୪ ଇ ଆପାଚି ହେଉଛି ବିଶ୍ବର ସବୁଠାରୁ ଆଧୁନିକ ଏବଂ ବହୁ କାର୍ଯ୍ୟ ସମ୍ପାଦନ କଲାଭଳି ଦକ୍ଷତା ରଖିଥିବା ଏକ ଯୁଦ୍ଧ ହେଲିକପ୍ଟର। ଆମେରିକାର ସେନା ଦ୍ବାରା ଏହି ହେଲିକପ୍ଟର ଉଡ଼ାଯାଉଛି। ୨୦୧୫ ରେ ଭାରତୀୟ ବାୟୁସେନା ୨୨ଟି ଆପାଚି ହେଲିକପ୍ଟର ପାଇଁ ଆମେରିକା ସରକାରଙ୍କ ସହ ବହୁ କୋଟି ଟଙ୍କାର ଏକ ଚୁକ୍ତି ସ୍ବାକ୍ଷର କରିଥିଲା। ୨୦୨୦ ସୁଦ୍ଧା ବାୟୁ‌ସେନାକୁ ୨୨ଟି ଆପାଚି ହେଲିକପ୍ଟର ମିଳିବ ବୋଲି କୁହାଯାଉଛି। ରୁଷ୍‌ ନିର୍ମିତ ଏମ୍‌ଆଇ -୩୫ ଆଟାକ୍‌ ହେଲିକପ୍ଟର ସ୍ଥାନରେ ଏହି ଆପାଚି ହେଲିକପ୍ଟର ବ୍ୟବହାର ହେବ। ଅତି କ୍ଷୀପ୍ର ଗତିରେ ଏହା ଟାର୍ଗେଟ୍‌କୁ ଠାବ କରିବା ସହ ଆକ୍ରମଣ କରିପାରିବ। ଏହାର ଉଚ୍ଚତା ୧୫.୨୪ ଫୁଟ୍‌ ଏବଂ ଓଜନ ୬,୮୩୮ କେଜି। ତେବେ ବୋଇଙ୍ଗ୍ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ ଭାରତ ୧୬ତମ ଦେଶ ଭାବେ ଏହି ଆପାଚି ହେଲିକପ୍ଟର କ୍ରୟ କରିଛି। ୨୦୧୮ ଜୁଲାଇରେ ବାୟୁସେନା ଦ୍ବାରା ଏଏଚ୍‌ -୬୪ଇ ଆପାଚିର ସଫଳ ଉଡ଼ାଣ ଶେଷ ହୋଇଛି। ଜୁଲାଇରେ ସମସ୍ତ ୮ଟି ଯାକ ଆପାଚି ହେଲିକପ୍ଟର ଭାରତରେ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର