୧୫୦୦ କୋଟି ବିନିମୟରେ ଋଷିଆ ଠାରୁ ଆର୍‌-୨୭ ମିସାଇଲ୍‌ କିଣିବା ପାଇଁ ଚୁକ୍ତି ସ୍ୱାକ୍ଷର କଲା ଭାରତ; ଶକ୍ତଶାଳୀ ହେବ ବାୟୁସେନା

ନୂଆଦିଲ୍ଲୀ: ନିଜର ମିତ୍ର ରାଷ୍ଟ୍ର ଋଷିଆ ସହିତ ଭାରତ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିଛି। ୧୫୦୦ କୋଟି ଟଙ୍କା ବିନିମୟରେ ଆକାଶ ମାର୍ଗରୁ ଆକାଶ ମାର୍ଗରେ ନିକ୍ଷେପ ହୋଇ ପାରୁଥିବା ଅତ୍ୟନ୍ତ ଶକ୍ତିଶାଳୀ ଆର୍‌-୨୭ କ୍ଷେପଣାସ୍ତ୍ର (ମିସାଇଲ୍‌) ଋଷିଆ ଠାରୁ କ୍ରୟ କରିବା ପାଇଁ ଏହି ଚୁକ୍ତିରେ ସ୍ୱାକ୍ଷର କରିଛି ଭାରତ।

ଋଷିଆ ନିର୍ମିତ ଆର୍‌-୨୭ କ୍ଷେପଣାସ୍ତ୍ର ବା ମିସାଇଲ୍‌ର ବୈଶିଷ୍ଟ୍ୟ ହେଲା ଦିନ ହେଉ ଅବା ରାତି; ପାଗ ଅନୁକୂଳ ଥାଉ କି ପ୍ରତିକୂଳ; ସବୁ ସମୟରେ ଓ ସବୁ ପରିସ୍ଥିତିରେ ଏହି ମିସାଇଲ୍‌ ଶତ୍ରୁ ପକ୍ଷରୁ ଆକାଶ ମାର୍ଗରେ ଆସୁଥିବା ସମସ୍ତ ଟାର୍ଗେଟକୁ ନିଶ୍ଚିହ୍ନ କରି ଦେଇପାରିବ। ଋଷିଆ ଠାରୁ ଏହି ଆର୍‌-୨୭ ମିସାଇଲ୍‌ ମିଳିଯିବା ପରେ ଭାରତୀୟ ବାୟୁସେନା ଏହାକୁ ନିଜର ସୁଖୋଇ- ୩୦ ଲଢ଼ୁଆ ବିମାନରେ ଲଗାଇବ। ଏବଂ ଆବଶ୍ୟକ ସ୍ଥଳେ ଶତ୍ରୁପକ୍ଷର ଆହ୍ଵାନକୁ ମୁକାବିଲା କରିବା ପାଇଁ ଏହାର ବ୍ୟବହାର କରିବ।

News Time

୪ ମିଟର ଲମ୍ବ ଓ ୦.୭୭ ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ଆର୍‌-୨୭ ମିସାଇଲ୍‌ର ଓଜନ ହେଉଛି ୨୫୩ କିଲୋଗ୍ରାମ। ଆକାଶ ମାର୍ଗରେ ୨୫ କିଲୋମିଟରରୁ ୬୦ କିଲୋମିଟର ମଧ୍ୟରେ ଏହା ଶତ୍ରୁ ପକ୍ଷର ସମସ୍ତ ଟାର୍ଗେଟକୁ ନିଶ୍ଚିହ୍ନ କରିବାର କ୍ଷମତା ରଖିଛି। ରାଡ଼ାର ଖଚିତ ଏହି ମିସାଇଲକୁ ଶତ୍ରୁ ଆଡ଼କୁ ଉତ୍‌କ୍ଷେପଣ କରାଯିବା ପରେ ରାଡାର ସାହାଯ୍ୟରେ ଏହାକୁ ନିୟନ୍ତ୍ରଣ କରାଯାଇ ପାରିବାର ମଧ୍ୟ ବ୍ୟବସ୍ଥା ରହିଛି। ଋଷିଆ ଠାରୁ ଏହି ଆର୍‌-୨୭ ମିସାଇଲ୍‌ ମିଳିଯିବା ପରେ ଭାରତୀୟ ବାୟୁସେନା ଆହୁରି ଅଧିକ ଶକ୍ତଶାଳୀ ହୋଇପଡ଼ିବ ବୋଲି କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ।

ସମ୍ବନ୍ଧିତ ଖବର