ସୁଖୋଇ-୩୦ ଜେଟ୍ରୁ ‘ବ୍ରହ୍ମୋସ୍’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କଲା ଭାରତୀୟ ବାୟୁସେନା
ନୂଆଦିଲ୍ଲୀ: ଆଭିଯାନିକ ପ୍ରସ୍ତୁତି ପ୍ରଦର୍ଶନ କରିବା ଲାଗି ମଙ୍ଗଳବାର ଦିନ ଭାରତୀୟ ବାୟୁସେନା ପୂର୍ବାଞ୍ଚଳ ସମୁଦ୍ରରେ ସୁଖୋଇ ଲଢୁଆ ବିମାନରୁ ‘ବ୍ରହ୍ମୋସ୍’ ସୁପର୍ସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିଛି।
ଏ ସଂକ୍ରାନ୍ତରେ ଭାରତୀୟ ବାୟୁସେନା କହିଛି, ଭାରତୀୟ ନୌସେନାର ସହଯୋଗରେ ଏହି କ୍ଷେପଣାସ୍ତ୍ରର ‘ଲାଇଭ୍ ଫାଇରିଙ୍ଗ୍’ କରାଯାଇଥିଲା। ଏହି କ୍ଷେପଣାସ୍ତ୍ର ସଠିକ୍ ଭାବେ ନିର୍ଦ୍ଧାରିତ ଲକ୍ଷ୍ୟ ଭେଦ କରିଥିଲା।
ଟୁଇଟ୍ କରି ଭାରତୀୟ ବାୟୁସେନା ଲେଖିଛି: ଆଜି ପୂର୍ବାଞ୍ଚଳ ସମୁଦ୍ରରେ ‘ଭାରତୀୟ ବାୟୁସେନା’ ସୁଖୋଇ-୩୦ ଏମ୍କେଏଲ୍ ବିମାନରୁ ‘ବ୍ରହ୍ମୋସ୍’ କ୍ଷେପଣାସ୍ତ୍ର ‘ଲଇଭ୍ ଫାଇରିଙ୍ଗ୍’ କରିଛି। ଭାରତୀୟ ବାୟୁସେନାର ଗୋଟାଏ ଅକାମିକା ଯୁଦ୍ଧ ଜାହାଜ ଉପରେ ସିଧାସଳଖ ମାଡ଼ କରି ଏହି କ୍ଷେପଣାସ୍ତ୍ର ତା’ର ନିର୍ଦ୍ଧାରିତ ଲକ୍ଷ୍ୟ ଭେଦ କରିଥିଲା। ଭାରତୀୟ ବାୟୁସେନାର ପୂର୍ଣ୍ଣ ସହଯୋଗରେ ଉପରୋକ୍ତ ଅଭିଯାନ ଚାଲିଥିଲା।

ଆକାଶରୁ ନିକ୍ଷେପ କରାଯାଉଥିବା ବିଭିନ୍ନ କିସମର ‘ବ୍ରହ୍ମୋସ୍’ କ୍ଷେପଣାସ୍ତ୍ରଗୁଡ଼ିକୁ ୪୦ରୁ ଊର୍ଦ୍ଧ୍ବ ସୁଖୋଇ ଲଢୁଆ ଜେଟ୍ରୁ ନିକ୍ଷେପ କରିବା ଲାଗି ୨୦୧୬ରେ ଭାରତ ସରକାର ସ୍ଥିର କରିଥିଲେ।
ସୂଚନାଯୋଗ୍ୟ, ମାର୍ଚ ୫ ତାରିଖରେ ଭାରତ ମହାସାଗରରୁ ଗୋଟାଏ ବୁଡ଼ା ଜାହାଜରୁ ଭାରତୀୟ ନୌସେନା ସଫଳତାର ସହ ‘ବ୍ରହ୍ମୋସ୍’ ସୁପର୍ ସୋନିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା। ‘ଷ୍ଟିଲ୍ଥ୍ ଡେଷ୍ଟ୍ରୟର୍ ଆଇଏନ୍ଏସ୍ ଚେନ୍ନାଇ’ରୁ ଉକ୍ତ କ୍ଷେପଣାସ୍ତ୍ରଟି ନିକ୍ଷେପ କରାଯାଇଥିଲା।
ଭାରତ ଓ ରୁଷ୍ର ମିଳିତ ଉଦ୍ୟମରେ ‘ବ୍ରହ୍ମୋସ୍ ଏରେସ୍ପେସ୍’ରୁ ଉତ୍ପାଦିତ ‘ସୁପର୍ସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର’ ସବୁ ବୁଡ଼ାଜାହାଜ, ପାଣି ଉପରେ ଯାତ୍ରା କରୁଥିବା ଜାହାଜ, ବିମାନ ଅଥବା ସ୍ଥଳ ଭାଗରୁ ନିକ୍ଷେପ କରିହେବ। ଶବ୍ଦର ବେଗଠାରୁ ୩ଗୁଣ ଅଧିକ ବେଗରେ ଗତି କରୁଥିବା ‘ବ୍ରହ୍ମୋସ୍’ କ୍ଷେପଣାସ୍ତ୍ର ପ୍ରାୟ ୩୫୦ କି.ମି. ଦୂରରେ ଥିବା ଲକ୍ଷ୍ୟ ଭେଦ କରିପାରିବ।