ନୂଆଦିଲ୍ଲୀ: ଭାରତ ଫ୍ରାନ୍ସରୁ ଆମଦାନି କରୁଥିବା ୩୬ଟି ଯୁଦ୍ଧବିମାନ ରାଫେଲ୍ ମଧ୍ୟରୁ ପ୍ରଥମ ଦଫାରେ ବୁଧବାର ୫ଟି ରାଫେଲ ଆସି ଭାରତରେ ପହଞ୍ଚିଯିବା ପରେ ଏବେ ସମଗ୍ର ବିଶ୍ୱର ନଜର ଭାରତୀୟ ବାୟୁସେନା ଉପରେ। ଅନ୍ୟପକ୍ଷରେ ରାଫେଲ ଭାରତୀୟ ବାୟୁସେନାରେ ସାମିଲ ହୋଇଯିବା ପରେ ସ୍ୱାଭାବିକ ଭାବେ ବିଚଳିତ ହୋଇ ପଡ଼ିଛନ୍ତି ପଡ଼ୋଶୀ ଚୀନ୍ ଓ ପାକିସ୍ତାନ। ଚୀନ୍ ଓ ପାକିସ୍ତାନ ଉଭୟେ ରାଫେଲର ମୁତୟନ କେଉଁଠି ହେଉଛି ତାହା ଜାଣିବାକୁ ବ୍ୟଗ୍ର ହୋଇ ପଡ଼ିଛନ୍ତି। ଯଦିଓ ଚୀନ୍ ପାଖରେ ଅତ୍ୟାଧୁନିକ ଜେ-୨୦ ଓ ପାକିସ୍ତାନ ନିକଟରେ ଜେଏଫ୍-୧୭ ଯୁଦ୍ଧ ବିମାନ ମହଜୁଦ୍ ଅଛି ତଥାପି ରାଫେଲକୁ ନେଇ ସେମାନେ ଭୟଭୀତ।
କାରଣ, ଫ୍ରାନ୍ସର ଦାସଲ୍ଟ କମ୍ପାନି ଦ୍ଵାରା ନିର୍ମିିତ ରାଫେଲ ଭାରତୀୟ ବାୟୁସେନାକୁ ଯଥେଷ୍ଟ ଶକ୍ତିଶାଳୀ କରିବା ସଙ୍ଗେସଙ୍ଗେ ଉଭୟ ଚୀନର ଧମକକୁ ପ୍ରତିହତ କରିବା ସହ ପାକିସ୍ତାନର ମଧ୍ୟ ସମ୍ଭାବ୍ୟ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଜବାବ ଦେଇପାରିବ ବୋଲି ବିଶ୍ୱର ସାମରିକ ବିଶେଷଜ୍ଞମାନେ ମତ ଦେଇଛନ୍ତି। ରାଫେଲ ଚତୁର୍ଥ ଓ ପଞ୍ଚମ ପିଢ଼ିର ମଧ୍ୟବର୍ତ୍ତୀ ବିମାନ ଭାବେ ଧରାଯାଉଛି ଏବଂ ଏହା ଯେ କୌଣସି ପ୍ରକାର ସାମରିକ ଅଭିଯାନକୁ ସୁଚାରୁରୂପେ ତୁଲାଇବାର ଦକ୍ଷତା ରଖିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା, ରାଫେଲ୍ରେ ମହଜୁଦ୍ ବହୁମୁଖୀ ରାଡାର ଏକ ସମୟରେ ୪୦ଟି ଟାର୍ଗେଟ୍କୁ ଚିହ୍ନଟ କରିପାରିବ। ୧୦୦ରୁ ଊର୍ଦ୍ଧ୍ଵ କିମି ଅଞ୍ଚଳ ମଧ୍ୟରେ ଏହା ୪୦ଟି ଟାର୍ଗେଟ୍କୁ ଚିହ୍ନଟ କରିବ। ଏହାର ସ୍ପେକ୍ଟ୍ରା ଏବଂ ଏକୀକୃତ ସୁରକ୍ଷା ସହାୟତା ପ୍ରଣାଳୀ ରହିଛି। ଶତ୍ରୁ ପକ୍ଷର ରାଡାର ସିଗ୍ନାଲକୁ ଏହା ଜାମ୍ କିମ୍ବା କାଉଣ୍ଟର୍ ଜାମ୍ କରିପାରେ। ଏକ ସମୟରେ ଏହା ୬ଟି ଏଏଏସ୍ଏମ୍ କ୍ଷେପଣାସ୍ତ୍ର ବହନ କରିପାରିବ।
ସବୁଠାରୁ ବଡ଼କଥା ହେଲା, ରାଫେଲ୍ ଶତ୍ରୁପକ୍ଷକୁ ଟାର୍ଗେଟ୍ କରିବାପାଇଁ ତାକୁ ଭାରତର ବାୟୁସୀମାକୁ ଅତିକ୍ରମ କରିବାକୁ ପଡ଼ିବ ନାହିଁ। ଶତ୍ରୁ ପକ୍ଷର ଅଞ୍ଚଳର ୬୦୦ କିମି ଦୂରରେ ଥାଇ ମଧ୍ୟ ରାଫେଲ୍ ଟାର୍ଗେଟ୍କୁ ମାଡ଼ କରିପାରିବ। ଏହା ୯,୫୦୦ କିଲୋଗ୍ରାମ୍ ବିସ୍ଫୋରକ ଏବଂ ଯୁଦ୍ଧାସ୍ତ୍ର ବହନ କରିପାରିବ। ବିମାନରେ ଥିବା ତୋପରୁ ପ୍ରତି ମିନିଟ୍ରେ ୨,୫୦୦ ରାଉଣ୍ଡ୍ ଗୁଳି ଫୁଟାଇ ହେବ।
ପୁଣି, ପ୍ରଥମ ଦଫାରେ ଆସିଥିବା ରାଫେଲ ବିମାନକୁ ହରିୟାଣାର ଅମ୍ବାଲା ଏବଂ ପଶ୍ଚିମବଙ୍ଗର ହାସିମାରାସ୍ଥିତ ଏୟାରବେସରେ ନିୟୋଜିତ କରାଯାଉଛି। ଏଥି ମଧ୍ୟରୁ ଗୋଟିଏ ଚୀନ୍ ସୀମାନ୍ତ ହୋଇଥିବା ବେଳେ ଅନ୍ୟଟି ହେଉଛି ପାକିସ୍ତାନର ସୀମାନ୍ତବର୍ତ୍ତୀ ଅଞ୍ଚଳ।
ରାଫେଲର ଅନ୍ୟସବୁ ବେଶିଷ୍ଟ୍ୟ ହେଲା:
- ରାଫେଲ୍ ହେଉଛି ଏକ ସର୍ବାଧିକ କ୍ଷମତା ସଂପନ୍ନ ମଧ୍ୟମ ମଲ୍ଟି-ରୋଲ୍ ଯୁଦ୍ଧ ବିମାନ।
- ଏଥିରେ ଆଣବିକ ଅସ୍ତ୍ରଶସ୍ତ୍ର ଠାରୁ ଆରମ୍ଭ କରି ଉଚ୍ଚ ଓ ଶକ୍ତଶାଳୀ କ୍ଷମତା ସଂପନ୍ନ ଅସ୍ତ୍ରଶସ୍ତ୍ର ସବୁକୁ ବହନ କରିବା ସହିତ ସେଗୁଡ଼ିକୁ ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ନିକ୍ଷେପ କରିବାର କ୍ଷମତା ରହିଛି।
- ରାଫେଲ ଜେଟ୍ ଏପରି ଭାବରେ ନିର୍ମିତ ହୋଇଛି ଯେ ଏହା ନିଜେ ଅନ୍ବୋର୍ଡ ସିଷ୍ଟମ୍ ସହିତ ନିଜକୁ ଶତ୍ରୁ କବଳରୁ ବଞ୍ଚାଇ ପାରିବା ସହ ନିଜକୁ ସୁରକ୍ଷିତ ମଧ୍ୟ ରଖି ପାରିବ।
- ଶତ୍ରୁ ପକ୍ଷର ବଳୟ ବା ବୂହ୍ୟ ମଧ୍ୟରେ ଥାଇ ସୁଦ୍ଧା ରାଫେଲ ନିଜକୁ ସୁରକ୍ଷିତ ରଖି ନିଜର ଲକ୍ଷ୍ୟଭେଦ କରି ପାରିବ।
- ରାଫେଲ୍ ଯୁଦ୍ଧ ବିମାନର ଦୁଇଟି ଇଞ୍ଜିନ୍ ଅଛି ଏବଂ ପ୍ରତ୍ୟେକ ଇଞ୍ଜିନ୍ରେ ୨୦୦୦ ଲିଟର କ୍ଷମତା ବିଶିଷ୍ଟ ଟାଙ୍କି ବହନ କରିବାର କ୍ଷମତା ରହିଛି।
- ଏହି ଯୁଦ୍ଧ ବିମାନରେ ଆକ୍ଟିଭ୍ ଇଲେକ୍ଟ୍ରୋନିକ୍ ସ୍କାନ୍ ରାଡାର ଅଛି ଯାହାକି ୩୫୦ କିଲୋମିଟରରୁ ଅଧିକ ଦୂରତାରେ ଥାଇ ଶତ୍ରୁର ସ୍ଥିତିକୁ ଜାଣିପାରିବ।
- ରାଫେଲ୍ ଯୁଦ୍ଧ ବିମାନର ଲୁକ୍ ଡାଉନ୍ ସୁଟ୍ ଡାଉନ୍ କ୍ଷମତା ଅଛି। ରାଫେଲରେ ଏକ ଇଣ୍ଟିଗ୍ରେଟେଡ୍ ଇଲେକ୍ଟ୍ରୋନିକ୍ ଓ୍ଵାରଫେୟାର ବ୍ୟବସ୍ଥା ମଧ୍ୟ ଅଛି।
- ରାଫେଲ ଯୁଦ୍ଧ ବିମାନରେ ଏକାଥରରେ ୬ଟି ଏୟାର-ଟୁ-ଏୟାର ମିସାଇଲ ଏବଂ ୬ଟି ସ୍ପେଶାଲିଷ୍ଟ ବୋମା ପରିବହନ କରିବାର କ୍ଷମତା ରହିଛି। ରାଫେଲ୍ ଭିଜୁଆଲ୍ ରେଞ୍ଜ୍ ଏୟାର-ଟୁ-ଏୟାର ମିସାଇଲ୍ ଏବଂ ଏୟାର-ଟୁ ଗ୍ରାଉଣ୍ଡ କ୍ଷେପଣାସ୍ତ୍ର ପରିବହନ ସହ ଲକ୍ଷ୍ୟନିଷ୍ଟ ଭାବେ ନିକ୍ଷେପ କରିବାର କ୍ଷମତା ରଖିଛି।
- ରାଫେଲରେ ଏୟାର-ଟୁ-ଏୟାର ରିଫିଲିଂ କ୍ଷମତା ଅଛି। ଏହା ଅନ୍ୟ ଏକ ବିମାନକୁ ସାଙ୍ଗ ବା ବୁଡି ମୋଡରେ ଇନ୍ଧନ ଦେଇପାରେ।
- ଭାରତୀୟ ବାୟୁସେନାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ମାଣକାରୀ କମ୍ପାନି ଦାସଲ୍ଟ ଏଭିଏସନ୍ ଏହାକୁ ସ୍ୱତନ୍ତ୍ର ଭାବେ ନିର୍ମାଣ କରିଛି। ଏଥିମଧ୍ୟରେ ଇସ୍ରାଏଲ୍ ହେଲମେଟ-ମାଉଣ୍ଟେଡ୍ ଡିସପ୍ଲେ, ଲୋ ବ୍ୟାଣ୍ଡ ଜାମର, ରାଡାର ଚେତାବନୀ ରସିଭର୍, ଇନଫ୍ରା-ରେଡ୍ ସର୍ଚ୍ଚ ଏବଂ ଟ୍ରାକିଂ ସିଷ୍ଟମ, ସମେତ ୧୦ ଘଣ୍ଟିଆ ଫ୍ଲାଇଟ୍ ଡାଟା ରେକର୍ଡିଂ ଅନ୍ତର୍ଭୁକ୍ତ।
ଏହି ପରିପ୍ରେକ୍ଷୀରେ ଭାରତୀୟ ବାୟୁସେନା ଯଦି ପୁରୁଣା ଅମଳର ମିଗ୍-୨୧କୁ ଧରି ପାକିସ୍ତାନ ମାଟିରେ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ କରି ତାକୁ ସଫଳ ରୂପ ଦେଇ ପାରୁଚି, ସେ କ୍ଷେତ୍ରରେ ଏବେ ରାଫେଲ ଆସିଯିବା ପରେ କ’ଣ ନ କରିବ? ଏଇ ଚିନ୍ତାରେ ଚିନ୍ତାଗ୍ରସ୍ତ ହୋଇ ପଡ଼ିଛନ୍ତି ଉଭୟ ପାକିସ୍ତାନ ଓ ଚୀନ୍। ପୁଣି ଭାରତୀୟ ବାୟୁସେନାରେ ରାଫେଲ ସାମିଲ ହେଉହେଉ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହି ସାରିଲେଣି ‘ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଶତ୍ରୁ ସାବଧାନ’!
ପାକ୍ ଓ ଚୀନ୍ର ଚିନ୍ତା ବଢ଼ାଇଲା ରାଫେଲ; ଜାଣନ୍ତୁ, ଚିନ୍ତା ପଛର କାରଣ...
/sambad/media/post_attachments/wp-content/uploads/2020/07/578502391-rafale.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)