ନୂଆଦିଲ୍ଲୀ: ପାକିସ୍ତାନର ବାଲାକୋଟରେ ସଦ୍ୟ ସଂଘଟିତ ଭାରତୀୟ ବାୟୁସେନାର ବୋମାମାଡ଼ ଏବଂ ଭାରତର କଶ୍ମୀର ଅନ୍ତର୍ଗତ ମାନ୍ଧାର ଇଲାକାକୁ ପାକିସ୍ତାନ ବାୟୁସେନାର ବିମାନଗୁଡ଼ିକ ପଶି ଆସିବା ଘଟଣା ପରେ ଦୁଇ ଦେଶର ବାୟୁସେନା ବଳ ସମ୍ପର୍କରେ ବିତର୍କ ଆରମ୍ଭ ହୋଇଯାଇଛି। ଉଭୟ ଦେଶର ପ୍ରତିପକ୍ଷ ପ୍ରତି ପ୍ରଦର୍ଶିତ ଏପରି ଦୁଃସାହସିକ ପଦକ୍ଷେପରୁ ଉଭୟ ଶକ୍ତିଶାଳୀ ବୋଲି ପ୍ରମାଣିତ କରିବାକୁ ଚେଷ୍ଟିତ ନିଶ୍ଚୟ। ତେବେ ଦୁଇ ଦେଶର ସାମରିକ ବଳ ବଶେଷ କରି ଏ ପରିପ୍ରେକ୍ଷୀରେ ବାୟୁସେନା ବଳର ତୁଳନାତ୍ମକ ସ୍ଥିତି ହିଁ ପାଠକଙ୍କ ମନରେ ଏକ ସାମଗ୍ରିକ ଧାରଣା ଆଣିଦେବ ବୋଲି ଆଶା କରାଯାଉଛି। ଭାରତ ପାଖରେ ବର୍ତ୍ତମାନ ମୋଟ ୪୨ ସ୍କ୍ବାଡ୍ରନ୍ ବାୟୁସେନା ବଳ ଥିବା ବେଳେ ପାକିସ୍ତାନ ପାଖରେ ରହିଛି ୨୫ରୁ ୩୦ ସ୍କ୍ବାଡ୍ରନ୍। ମୋଟାମୋଟି ଭାବେ ଭାରତ ରୁଷନିର୍ମିତ ଏମ୍ଆଇଜି, ସୁଖୋଇ ସମେତ ଫ୍ରାନ୍ସନିର୍ମିତ ମିରାଜ୍ ଓ ବ୍ରିଟିଶ-ଫ୍ରାନ୍ସ ନିର୍ମିତ ଜାଗୁଆର ବିମାନ ଉପରେ ନିର୍ଭର କରୁଥିବା ବେଳେ ପାକିସ୍ତାନ ଆମେରିକା ତିଆରି ଏଫ୍-୧୬, ଚୀନ୍ ନିର୍ମିତ ଏଫ୍-୭ପିଜି, ଜେଏଫ୍-୧୭ ଏବଂ ଫ୍ରାନ୍ସ ନିର୍ମିତ ମିରାଜ୍ ବିମାନ ପାଇଁ ଶକ୍ତିଶାଳୀ ବୋଲି ଭାବୁଛି।