ପାକ୍‌ ହନିଟ୍ରାପ୍‌ରେ ଭାରତୀୟ ବାୟୁସେନା କ୍ୟାପ୍‌ଟେନ୍‌

ଆଇଏସ୍‌ଆଇକୁ ଗୁପ୍ତ ତଥ୍ୟ ଦେଇଥିବା ଅଭିଯୋଗରେ ଗିରଫ

ନୂଆଦିଲ୍ଲୀ: ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ ଗୁପ୍ତଚର କାର୍ଯ୍ୟ କରିବା ଏବଂ ଭାରତୀୟ ସେନାର ଗୁପ୍ତ ତଥ୍ୟ ପ୍ରଘଟ କରିଥିବା ଅଭିଯୋଗରେ ଆଜି ଭାରତୀୟ ବାୟୁସେନାର ଜଣେ ଗ୍ରୁପ୍‌ କ୍ୟାପ୍‌ଟେନ୍‌ଙ୍କୁ ଗିରଫ କରାଯାଇଛି। ପାକିସ୍ତାନ ହନିଟ୍ରାପ୍‌ରେ ଏହି ଅଧିକାରୀଙ୍କୁ ଫସାଇ ଅନେକ ଗୋପନୀୟ ତଥ୍ୟ ହାସଲ କରିନେଇଥିବା ଜଣାପଡ଼ିଛି। ଦିଲ୍ଲୀ ପୁଲିସ୍‌ର ସ୍ୱତନ୍ତ୍ର ସେଲ୍‌ ଆଜି କ୍ୟାପ୍‌ଟେନ୍‌ ଅରୁଣ ମାରଓ୍ଵାହ(୫୧)ଙ୍କୁ କୋର୍ଟ ପରିସରରୁ ଗିରଫ କରି ଦକ୍ଷିଣ ଦିଲ୍ଲୀର ଲୋଧିକଲୋନିଠାରେ ଥିବା ସ୍ୱତନ୍ତ୍ର ସେଲ୍‌ରେ ଜେରା ଆରମ୍ଭ କରିଛି। କ୍ୟାପ୍‌ଟେନ୍‌ ଅରୁଣଙ୍କୁ ଆଇଏସ୍‌ଆଇର ଦୁଇ ଜଣ ଏଜେଣ୍ଟ୍‌ ଫେସ୍‌ବୁକ ମାଧ୍ୟମରେ ସଂପର୍କ ସ୍ଥାପନ କରିବା ପରେ ଭାରତୀୟ ବାୟୁସେନାର ଅତି ସମ୍ବେଦନଶୀଳ ତଥ୍ୟ ତାଙ୍କଠାରୁ ହ୍ଵାଟ୍ସ ଆପ୍‌ ଯୋଗେ ନେଇଥିବା ଜଣାପଡ଼ିଛି। ମିଳିଥିବା ଖବର ମୁତାବକ, ଦୁଇ ମାସ ତଳେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ଦୁଇ ଜଣ ଏଜେଣ୍ଟ କିରଣ ରଣ୍ଢଓ୍ଵା ଓ ମହିମା ପଟେଲ ନାମରେ ନକଲି ଆକାଉଣ୍ଟ ଖୋଲି କ୍ୟାପ୍‌ଟେନ୍‌ ଅରୁଣଙ୍କ ସହ ଫେସ୍‌ବୁକ୍‌ରେ ଯୋଗାଯୋଗ କରିଥିଲେ। ବେଶ୍‌ କିଛି ଦିନ ଏଭଳି ଫେସ୍‌ବୁକରେ ବାର୍ତ୍ତାଳାପ ପରେ ସେମାନେ କ୍ୟାପ୍‌ଟେନ୍‌ଙ୍କ ସହ ଫୋନ୍‌ ଏବଂ ହ୍ଵାଟ୍ସ ଆପ୍‌ରେ ସମ୍ପର୍କ ବଢାଇଥିଲେ। ଏହି ମଧ୍ୟରେ ଉକ୍ତ ଏଜେଣ୍ଟମାନେ ସେମାନଙ୍କର ବିଭିନ୍ନ ଅଶ୍ଳୀଳ ଫଟୋ ଦେଖାଇ କ୍ୟାପ୍‌ଟେନ୍‌ଙ୍କୁ ପ୍ରଲୋଭିତ କରିଥିଲେ ଓ ଶାରିରୀକ ସମ୍ପର୍କ ରଖିବା ପାଇଁ ପ୍ରବର୍ତ୍ତାଇଥିଲେ। କ୍ୟାପ୍‌ଟେନ୍‌ ଏହି ସୁନ୍ଦରୀଙ୍କ ଜାଲରେ ସଂପୂର୍ଣ୍ଣ ପଡ଼ିବା ପରେ ସେମାନେ ମିଗିଥିବା ଭାରତୀୟ ବାୟୁସେନାର ସମରାଭ୍ୟାସ ‘ଗଗନ ଶକ୍ତି’ ସମ୍ବନ୍ଧୀୟ ସମ୍ବେଦନଶୀଳ ତଥ୍ୟ ସେମାନଙ୍କୁ ପ୍ରଦାନ କରିଥିଲେ। ତେବେ କ୍ୟାପ୍‌୍‌ଟେନ୍‌ଙ୍କ ଆଚରଣରେ ପରିବର୍ତ୍ତନ ଯୋଗୁଁ ବାୟୁସେନା ମଧ୍ୟ ତାଙ୍କ ଉପରେ ତୀକ୍ଷ୍‌ଣ ନଜର ରଖିଥିଲା। ଗତ ୩୧ ତାରିଖରେ ଏନେଇ ବାୟୁସେନା ଦିଲ୍ଲୀ ପୁଲିସ୍‌ର ସ୍ୱତନ୍ତ୍ର ସେଲ କମିସନର ଏମ୍‌ଏମ୍‌ ଓବରଏଙ୍କୁ ଅବଗତ କରିବା ପରେ ତାଙ୍କୁ ପଚରାଉଚୁରା ଆରମ୍ଭ ହୋଇଥିଲା। ବୁଧବାର କ୍ୟାପ୍‌ଟେନ୍‌ ଅରୁଣଙ୍କ ନାମରେ ଅଫିସିଆଲ ସିକ୍ରେଟସ୍‌ ଆକ୍ଟ ଆଧାରରେ ମାମଲା ରୁଜୁ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ଏବଂ ସେଠାରୁ ତାଙ୍କୁ ପୁଲିସ୍‌ ଗିରଫ କରିଥିଲା। ପୁଲିସ୍‌ କ୍ୟାପ୍‌ଟେନ୍‌ଙ୍କ ମୋବାଇଲ୍‌ ଜବତ କରି ଫରେନ୍‌ସିକ୍‌ ଟେଷ୍ଟ ପାଇଁ ପଠାଇ ଦେଇଥିବା ବେଳେ ଖୋଦ୍‌ କ୍ୟାପ୍‌ଟେନ୍‌ ସବୁ ଅଭିଯୋଗ ସ୍ୱୀକାର କରିଛନ୍ତି । ଦିଲ୍ଲୀସ୍ଥିତ ବାୟୁସେନା ମୁଖ୍ୟ କାର୍ଯ୍ୟାଳୟରେ ସେ କାର୍ଯ୍ୟରତ ଥିବାରୁ ସେଠାରୁ ସେ ଗୁପ୍ତ ତଥ୍ୟ ଉକ୍ତ ମହିଳାମାନଙ୍କୁ ଦେଇଛନ୍ତି।

ଏଲ୍‌ଓସିରେ ପାକ୍‌ ଗୁଳିବର୍ଷା
୩ ଯବାନ ଆହତ, ଜଣେ ମହିଳାଙ୍କ ମୃତ୍ୟୁ

ଜମ୍ମୁ: ନିୟନ୍ତ୍ରଣ ରେଖା ଅଂଚଳରେ ପାକ୍‌ ରେଂଜର୍ସଙ୍କ ତୁହାକୁ ତୁହା ଗୁଳିଗୋଳା ବର୍ଷା ଯୋଗୁଁ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି। ପାକ୍‌ ସେଠାରୁ ଗତରାତିରୁ ପୁଣି ଅସ୍ତ୍ର ବିରତି ଉଲ୍ଲଂଘନ ରାଜୌରି ଏବଂ କ୍ରିଷ୍ଣାଘାଟି ସେକ୍ଟରରେ ଆକ୍ରମଣ କରିଛନ୍ତି। ପୁଞ୍ଚ ଜିଲ୍ଲା ସ୍ଥିତ କ୍ରିଷ୍ଣାଘାଟି ସେକ୍ଟରରେ ପାକିସ୍ତାନର ମୋର୍ଟାର ମାଡ଼ ଯୋଗୁଁ ଜଣେ ସ୍ଥାନୀୟ ମହିଳା(୪୫)ଙ୍କର ମୃତ୍ୟୁ ଘଟିଛି ଏବଂ ତିନି ଜଣ ଯବାନ ଆହତ ହୋଇଛନ୍ତି। ରାଜୌରି ସେକ୍ଟରର ୧୪ଟି ଗ୍ରାମକୁ ପାକିସ୍ତାନ ସେନା ଆଜି ଦିନ ତମାମ ଟାର୍ଗେଟ କରି ଗୁଳିଗୋଳା ମାଡ଼ କରୁଥିବା ୨୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି । ପାକ୍‌ ସେନା ସ୍ୱୟଂଚାଳିତ ଲଞ୍ଚର୍‌ ସାହାଯ୍ୟରେ ମୋର୍ଟାର ମାଡ଼କରୁଛନ୍ତି। ଭାରତୀୟ ସେନା ମଧ୍ୟ ପାକିସ୍ତାନୀ ସେନାକୁ ଭାରୀ ଯୁଦ୍ଧାସ୍ତ୍ରରେ କଡ଼ା ଜବାବ ଦେଉଛି। ପାକ୍‌ ପଟେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ସତ୍ତ୍ୱେ ପାକିସ୍ତାନ ସୁଧୁରିବାର କୌଣସି ସଙ୍କେତ ନାହିଁ। ଅଶାନ୍ତ ସ୍ଥିତି ଲାଗି ରହିଥିବାରୁ ଲୋକେ ଘରକୁ ନଫେରି ସୁରକ୍ଷା ଶିବିରରେ ରହିବାକୁ ବାଧ୍ୟ ହେଉଛନ୍ତି।

ସମ୍ବନ୍ଧିତ ଖବର