ନୂଆଦିଲ୍ଲୀ: ପାକିସ୍ତାନୀ ଯାତ୍ରୀ ବିମାନ ଓ ସାମରିକ ବିମାନ ପାଇଁ ଭାରତର କଟକଣା ବଳବତ୍ତର ରହିବ। ଏନେଇ ପୂର୍ବରୁ ଭାରତ ଜାରି କରିଥିବା ଆକାଶମାର୍ଗ କଟକଣାକୁ ଜୁନ୍ ୨୩, ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ ବର୍ତ୍ତମାନ ସ୍ଥିତିରେ ପାକିସ୍ତାନୀ ଅପରେଟରଙ୍କ ଦ୍ୱାରା ପଞ୍ଜୀକୃତ, ଲିଜ୍ କିମ୍ବା ପରିଚାଳିତ କୌଣସି ବିମାନ, ସାମରିକ ବିମାନ ଆଦି ଭାରତୀୟ ବାୟୁସୀମା ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ।
ଭାରତୀୟ ବିମାନ ପାଇଁ ପାକିସ୍ତାନ ମଧ୍ୟ ତା’ର ଆକାଶପଥକୁ ଆଉ ଏକ ମାସ ବୃଦ୍ଧି କରିଛି ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏପ୍ରିଲ ୨୩ରେ ପାକିସ୍ତାନ ଭାରତୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଥିଲା। ସୂଚନାଯୋଗ୍ୟ, ମେ ୭ରେ ଭାରତ ଅପରେସନ ସିନ୍ଦୂର ଅଧୀନରେ ପାକିସ୍ତାନର ଆତଙ୍କବାଦୀ ଶିବିର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ଏହାସହିତ ଭାରତ କଠୋର ଆଭିମୁଖ୍ୟ ଗ୍ରହଣ କରି ପାକିସ୍ତାନ ପାଇଁ ବାୟୁସୀମା ନିଷିଦ୍ଧ କରିବା ସହ ବିଭିନ୍ନ କୂଟନୈତିକ ପଦକ୍ଷେପ ମଧ୍ୟ ନେଇଥିଲା।