ପାକିସ୍ତାନରେ କୂଟନୀତିଜ୍ଞଙ୍କୁ ନିର୍ଯାତନା:ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ହେବ

ଦୃଢ଼ ବିରୋଧକଲା ଭାରତ ପାକିସ୍ତାନର ବିଦେଶ ମନ୍ତ୍ରାଳୟକୁ କୈଫିୟତ୍ ତଲବ

ଇସଲାମାବାଦ୍‌ : ପୁଲଵାମା ଆକ୍ରମଣର ପ୍ରତିଶୋଧ ସ୍ବରୂପ ପାକିସ୍ତାନର ବାଲାକୋଟ୍‌ରେ ଭାରତୀୟ ବାୟୁସେନା ପଶି ଆତଙ୍କବାଦୀ ଶିବିର ଉପରେ ବୋମା ମାଡ଼ କରିବା ପରଠାରୁ ପାକିସ୍ତାନରେ ରହିଥିବା ଭାରତୀୟ କୁଟନୀତିଜ୍ଞମାନଙ୍କୁ ଭୀଷଣ ନିର୍ଯାତନାର ଶିକାର ହେବାକୁ ପଡ଼ିଥିବା ଖବର ଆଲୋଡ଼ନ ଆଣିଛି। ଆତଙ୍କବାଦ କାର୍ଯ୍ୟକଳାପକୁ କେନ୍ଦ୍ର କରି ଦୁଇ ଦେଶ ମଧ୍ୟରେ ତୀବ୍ର ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିବା ବେଳେ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସାରା ବିଶ୍ବ ସମୁଦାୟ ଉଦ୍ୟମ ଆରମ୍ଭ କରିଛନ୍ତି। ଏଭଳି ସ୍ଥିତିରେ ଦେଶର ପ୍ରତିନିଧିତ୍ବ କରୁଥିବା କୂଟନୀତିଜ୍ଞମାନଙ୍କୁ ପାକିସ୍ତାନ ଏପରି ହଇରାଣ ହରକତ କରିବା ଘଟଣା ମାମଲାକୁ ଆହୁରି ସଙ୍ଗିନ କରିଦେଇଛି।
ସୂଚନାନୁଯାୟୀ, ଗତ ୮ ତାରିଖରୁ ୧୧ ତାରିଖ ମଧ୍ୟରେ ଭାରତୀୟ କୂଟନୀତିଜ୍ଞମାନେ ପାକିସ୍ତାନ ମାଟିରେ ମୋଟ ୧୩ ଥର ନିର୍ଯାତନାର ଶିକାର ହୋଇଥିବା ଖବର ଭାରତର ହସ୍ତଗତ ହୋଇଛି। ତେବେ ପାକିସ୍ତାନର ଏଭଳି ମାନସିକତାକୁ ଭାରତ ତୀବ୍ର ବିରୋଧ କରିବା ସହ ଏ ସମ୍ପର୍କରେ ପାକିସ୍ତାନ ବିଦେଶ ମନ୍ତ୍ରାଳୟକୁ କୈଫିୟତ ତଲବ କରିଛି। ବିଶେଷ କରି ଇସଲାମାବାଦ୍‌ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳୟର ଉପମହାନିର୍ଦ୍ଦେଶକ, ନୌସେନା ପରାମର୍ଶଦାତା ଏବଂ ଜଣେ ପ୍ରମୁଖ ସଚିବଙ୍କୁ ପାକିସ୍ତାନୀ ସୁରକ୍ଷା କର୍ମୀମାନେ ନାନା ପ୍ରକାର ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏହି ଅଧିକାରୀମାନଙ୍କୁ ସୁରକ୍ଷା ଯୋଗାଇବା ଆଳରେ ସେମାନଙ୍କୁ ସୁରକ୍ଷା କର୍ମୀମାନେ ପିଛା କରି ଚବିଶ ଘଣ୍ଟା ସେମାନଙ୍କ ଉପରେ ଗଇନ୍ଦା ନଜର ରଖୁଥିବା ଜଣାପଡ଼ିଛି। ଫଳରେ ସେମାନେ ଏକପ୍ରକାର ଅଜଣା ଆତଙ୍କରେ ରହୁଥିବା କହିଛନ୍ତି। ଉକ୍ତ ଘଟଣାର ତଦନ୍ତ ସହ ପାକିସ୍ତାନ ଏଭଳି କାର୍ଯ୍ୟରୁ ନିବୃତ ରହିବାକୁ ଭାରତ ଦାବି କରିଛି। ପାକିସ୍ତାନୀ ସୁରକ୍ଷା କର୍ମୀମାନଙ୍କ ଏଭଳି ଆଚରଣ ଜାତିସଂଘର ଭିଏନା ଘୋଷଣାନାମାର ଉଲ୍ଲଂଘନ ବୋଲି ଭାରତ ଅଭିଯୋଗ ଆଣିଛି। ଏହାଦ୍ବାରା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ତିକ୍ତ ହେବ ବୋଲି ଦିଦେଶ ମନ୍ତ୍ରଳାୟ ପକ୍ଷରୁ ପାକିସ୍ତାନୀ ପ୍ରତିପକ୍ଷଙ୍କୁ ଚେତାଇ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ଭାରତୀୟ କୂଟନୀତିଜ୍ଞମାନଙ୍କ ବାସଭବରେ ବିଦ୍ୟୁତ୍ ଏବଂ ଜଳ ଯୋଗାଣ ବନ୍ଦ କରି ପାକିସ୍ତାନ ହଇରାଣ କରୁଥିବା ନଜିର ରହିଛି।

ନୂଆଦିଲ୍ଲୀ : ଆତଙ୍କବାଦୀ କାର୍ଯ୍ୟକଳାପର କଡ଼ା ଜବା‌ବ ଦେବାକୁ ଦେଶର ନେତୃତ୍ବ ସକ୍ଷମ ଅଛନ୍ତି। ସେହିପରି ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ଏବେ ଭାରତର ଆଭିମୁଖ୍ୟ ପ୍ରତି ଅନ୍ୟ ଦେଶଗୁଡ଼ିକର ଦୃଢ଼ ସମର୍ଥନ ମଧ୍ୟ ରହିଛି। ଅପରପକ୍ଷେ, ପୁଲୱାମା ଆତ୍ମଘାତୀ ଆକ୍ରମଣକୁ ଦେଶ ଭୁଲିନି କି କେବେ ବି ଭୁଲିବନି। ଏଥିପାଇଁ ପାକିସ୍ତାନ ବିରୋଧରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ‌ହେବ। ଆଜି ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଗୁଡ଼ଗାଁଓରେ ଆୟୋଜିତ ସିଆରପିଏଫ୍‌ର ୮୦ତମ ବାର୍ଷିକ ଉତ୍ସବରେ ଯୋଗ ଦେଇ ଡୋଭାଲ ଆତଙ୍କବାଦ ଏବଂ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା‌ ଦେଶ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ଦେଶ ପୁଲୱାମା ଆକ୍ରମଣକୁ କେବେ ବି ଭୁଲିବନି। ଉଚିତ୍‌ ସମୟରେ ଏହାର ଦୃଢ଼ ଜବାବ ଦିଆଯିବ ବୋଲି ଡୋଭାଲ କହିଛନ୍ତି। ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ୪୦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଡୋଭାଲ ଏଭଳି ଅଭିବ୍ୟକ୍ତି ବାଢ଼ିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ମାସ ୧୪ ତାରିଖରେ ସଂଘଟିତ ପୁଲୱାମା ଆକ୍ରମଣ ଏବଂ ଗତ ୨୬‌ତାରିଖରେ ଭାରତୀୟ ବା‌ୟୁସେନାର ବିମାନ ଆକ୍ରମଣ ପରେ ଡୋଭାଲ ପ୍ରଥମ ଥର ପାଇଁ ଏଭଳି ମୁହଁ ଖୋଲିଛନ୍ତି।

ସମ୍ବନ୍ଧିତ ଖବର