ଚୀନ୍‌ ସହ ଭାରତୀୟ ରାଷ୍ଟ୍ରଦୂତଙ୍କ ଆଲୋଚନା

ବେଜିଂ: ପୂର୍ବ ଲଦାଖରେ ଦେଖାଦେଇଥିବା ଅପ୍ରୀତିକର ପରିସ୍ଥିତି ସମେତ ଚୀନ୍‌ ସହ ଦ୍ବିପାକ୍ଷିକ ସମ୍ପର୍କ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିଶ୍ରି ଗତ ବୁଧବାର ଚୀନୀ ଶାସକ ଦଳ କମ୍ୟୁନିଷ୍ଟ ପାର୍ଟିର ବୈଦେଶିକ ବ୍ୟାପାର ବିଭାଗ ଉପନିର୍ଦ୍ଦେଶକ ଲିଉ ଜିଆଞ୍ଚାଓଙ୍କ ସହ ଆଲୋଚନା କରିଛନ୍ତି। ସମ୍ପ୍ରତି ଲଦାଖର ଗଲଵାନ୍‌ ଉପତ୍ୟକାରେ ଚୀନୀ ସେନା ସହ ରକ୍ତାକ୍ତ ସଂଘର୍ଷ ପରିସ୍ଥିତି ପରେ ନିରପେକ୍ଷ ଇଲାକାରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଦ୍ବିପାକ୍ଷିକ କୂଟନୈତିକ ଓ ସାମରିକ ସ୍ତରୀୟ ଆଲୋଚନା ଜାରି ରହିଥିବା ବେଳେ ବିକ୍ରମ ମିଶ୍ରିଙ୍କ ଏଭଳି ପଦକ୍ଷେପ ଗୁରୁତ୍ବ ବହନ କରୁଛି। ଏହି ଦ୍ବିପାକ୍ଷିକ ବୈଠକ ସମ୍ପର୍କରେ ସବିଶେଷ ସୂଚନା ମିଳିପାରିନଥିବା ବେଳେ ମୋଟାମୋଟି ଭାବେ ଭାରତୀୟ ରାଷ୍ଟ୍ରଦୂତ ସୀମାରେ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଚୀନୀ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ସହ ଦ୍ବିପାକ୍ଷିକ ସମ୍ପର୍କରେ କିଭଳି ଉନ୍ନତି ଘଟିବ ସେ ଦିଗରେ ମଧ୍ୟ ଆଲୋଚନା କରିଥିବା ଅନୁମାନ କରାଯାଉଛି।

ସୂଚନା ଥାଉ କି, ଗଲଵାନ୍‌ ସଂଘର୍ଷ ପରଠାରୁ ଉଭୟ ଦେଶର ବିଭିନ୍ନ ସ୍ତରୀୟ ଦ୍ବିପାକ୍ଷିକ ଆଲୋଚନା ପରେ ନିରପେକ୍ଷ ଅଞ୍ଚଳରୁ ସେନା ପ୍ରତ୍ୟାହାର ପାଇଁ ଉଭୟ ପକ୍ଷ ସହମତ ହୋଇଥିଲେ। ତେବେ ଚୀନୀ ସୈନିକମାନେ ଦେପସାଙ୍ଗ ସମତଳ, ଗୋଗ୍ରା ଓ ଫିଙ୍ଗର୍ସ ଇଲାକାରେ ଅଦ୍ୟାବଧି ରହିଛନ୍ତି। ପ୍ରଥମେ ପ୍ରଥମେ ଚୀନୀ ସେନା ପାଙ୍ଗଙ୍ଗ ସୋ ହ୍ରଦ ନିକଟ ଫିଙ୍ଗର ୪ ଇଲାକାରୁ ଫିଙ୍ଗର ୫ ଯାଏ ପଛକୁ ଘୁଞ୍ଚିଛି, ମାତ୍ର ଭାରତର ଦାବି ମୁତାବକ ପିଙ୍ଗର ୮ ଯାଏ ହଟିଯିବାକୁ ଅମଙ୍ଗ ହେଉଛି। ଅପରପକ୍ଷେ, ଦ୍ବିପାକ୍ଷିକ ଆଲୋଚନା ବେଳେ ଚୀନୀ କର୍ତ୍ତୃପକ୍ଷ ଭାରତୀୟ ସେନାକୁ ସମ୍ମୁଖ ଭାଗରୁ ଆହୁରି ପଛକୁ ଅପସରି ଯିବାକୁ ବାରମ୍ବାର ଦାବି କରି ଆସୁଛି। ମାତ୍ର ଚୀନୀ ପ୍ରତିପକ୍ଷ ସମ୍ପୂର୍ଣ୍ଣ ପଛଘୁଞ୍ଚା ନଦେଲେ ଭାରତ ଆଉ ଇଞ୍ଚେ ବି ପଛକୁ ହଟିବନି ବୋଲି ଅଡ଼ିବସିଛି। ସୁତରାଂ କେହି କାହା ପ୍ରସ୍ତାବରେ ରାଜି ନହେବାରୁ ସୀମାରୁ ସେନା ପ୍ରତ୍ୟାହାର ବନ୍ଦ ରହିବା ସହ ଉତ୍ତେଜନା ବୃଦ୍ଧିର ଆଶଙ୍କା ମଧ୍ୟ ରହିଛି। ତେଣୁ ବିକ୍ରମ ମିଶ୍ରିଙ୍କ ଆଲୋଚନା ଏ ଦିଗରେ କିଛି ସକାରାତ୍ମକ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର