ୱାସିଂଟନ: ଚଳିତବର୍ଷ ଜାନୁଆରି ୨୩ ତାରିଖରେ ଆମେରିକାରେ ୨୩ ବର୍ଷୀୟା ଛାତ୍ରୀ ଜାହ୍ନବୀ କାଣ୍ଡୁଲାଙ୍କର ପୁଲିସ ଗାଡ଼ି ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ପରେ ତଦନ୍ତ ପାଇଁ ଆସିଥିବା ଜଣେ ପୁଲିସ ଅଧିକାରୀ ଯେଉଁଭଳି ଆଚରଣ ପ୍ରକାଶ କରିଥିଲେ ତାହାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ଏହି ଘଟଣାର ତଦନ୍ତ ପାଇଁ ଗତକାଲି ବାଇଡେନ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଭାରତୀୟ ଆମେରିକୀୟ କଂଗ୍ରେସ ସଦସ୍ୟ ରାଜା କ୍ରିଷ୍ଣମୂର୍ତ୍ତି ମୁହଁ ଖୋଲିଛନ୍ତି। ଏହି ଘଟଣାର ତଦନ୍ତ ଯେତିକି ଗୁରୁତ୍ବ ଆବଶ୍ୟକ କରୁଛି ସେହି ଅନୁସାରେ କରିବାକୁ ସିଆଟେଲ ପୁଲିସଙ୍କୁ କହିଛନ୍ତି।
ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ହାଲକା ଭାବେ ଦେଖିବା ଏବଂ ତାହାର ଜୀବନ ମୂଲ୍ୟକୁ ନେଇ ପ୍ରଶ୍ନ କରିବା ଅତ୍ୟନ୍ତ ବିରକ୍ତିକର ଏବଂ ଗ୍ରହଣଯୋଗ୍ୟ ନୁହେଁ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୱାସିଂଟନର ନର୍ଥଇଷ୍ଟର୍ଣ୍ଣ ୟୁନିଭର୍ସିଟିରେ ପଢ଼ୁଥିବା ଆନ୍ଧ୍ର ପ୍ରଦେଶର ୨୩ ବର୍ଷୀୟା ଛାତ୍ରୀଙ୍କୁ ପୁଲିସର ଏକ ଗାଡ଼ି ଘଣ୍ଟାପ୍ରତି ୭୪ ମାଇଲ ବେଗରେ ଧକ୍କା ଦେଇଥିଲା। କିନ୍ତୁ ସେଠାରେ ଗାଡ଼ି ଚଳାଇବାର ସର୍ବାଧିକ ବେଗ ଅନୁମତି ୨୫ ମାଇଲ ରହିଛି। ଜୋରରେ ପୁଲିସ ଗାଡ଼ି ଧକ୍କା ଦେବାରୁ ଭାରତୀୟ ଛାତ୍ରୀ ଜଣକ ୧୦୦ ମିଟର ଦୂରକୁ ଛିଟିକି ପଡ଼ିଥିଲେ। ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ସେହି ଘଟଣା ସଂପର୍କରେ ଅବଗତ ହେବା ପାଇଁ ଡାନିଏଲ ଅଡରର ନାମକ ଜଣେ ପୁଲିସ ଅଧିକାରୀ ଘଟଣାସ୍ଥଳକୁ ଯାଇଥିଲେ। ସେ ସେହି ମର୍ମନ୍ତୁଦ ଦୁର୍ଘଟଣା ସଂପର୍କରେ ଖାମଖିଆଲି ଢଙ୍ଗରେ ଆଲୋଚନା କରୁଥିଲେ। ତାଙ୍କ ପୋଷାକରେ ଖଞ୍ଜା ଯାଇଥିବା ବଡ଼ି କ୍ୟାମେରାରେ ଏସବୁ ଘଟଣା ରେକର୍ଡ ହୋଇଛି। ସେ କହୁଛନ୍ତି ୧୧ ହଜାର ଡଲାର ମୂଲ୍ୟର ଏକ ଚେକ୍ ଲେଖିଦିଅ। ତାକୁ ୨୬ ବର୍ଷ ହେବ। ତାହାର ମୂଲ୍ୟ ସୀମିତ।
ସିଆଟେଲ ପୁଲିସର ଏଭଳି ଆଚରଣ ପ୍ରସଙ୍ଗରେ ଏବଂ ମୃତ୍ୟୁ ପ୍ରସଙ୍ଗରେ ଏନଏଫଆଇଏ(ଫେଡେରେସନ ଅଫ୍ ଇଣ୍ଡିଆନ ଆମେରିକାନ ଆସୋସିଏସନ) ତଦନ୍ତକୁ ଗୁରୁତ୍ବ ଦେବା ପାଇଁ ଜଡ଼ିତ ସମସ୍ତ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି। ସବୁ ଲୋକଙ୍କର ଅଧିକାର ଓ ମର୍ଯ୍ୟାଦାକୁ ସମ୍ମାନ ଦେବାକୁ ସଂଘ ଦାବି କରିଛି। ସର୍ବୋଚ୍ଚ ସ୍ତରରେ ଏହି ପ୍ରସଙ୍ଗ ଉଠାଇଥିବାରୁ ଏନଏଫଆଇଏ ଆମେରିକାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ତରନଜିତ ସିଂହ ସାନ୍ଧୁଙ୍କ ପ୍ରଶଂସା କରିଛି। ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ଉତ୍ତରଦାୟୀ କରାଯିବା ସହିତ ଜାହ୍ନବୀଙ୍କ ପରିବାରକୁ ସେମାନେ ନ୍ୟାୟ ପ୍ରଦାନ ଲାଗି ଦାବି କରିଛନ୍ତି। ଭାରତୀୟ ଆମେରିକୀୟ କଂଗ୍ରେସ ସଦସ୍ୟା ପ୍ରମିଳା ଜୟପାଲ ମଧ୍ୟ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/4sf5456fhfh.jpg)