ପୁଅକୁ ଛାଡ଼ପତ୍ର ଦେବା ପାଇଁ କହିବାରୁ ବୋହୂଙ୍କୁ ଗୁଳିମାରି ହତ୍ୟା କଲେ ଭାରତୀୟ-ଆମେରିକୀୟ ବ୍ୟକ୍ତି

ସାନ୍‌ ଫ୍ରାନ୍‌ସିସ୍‌କୋ: ଆମେରିକାର କାଲିଫର୍ଣ୍ଣିଆସ୍ଥିତ ଏକ ପାର୍କିଙ୍ଗ୍‌ ସ୍ଥଳରେ ବୋହୂଙ୍କୁ ଗୁଳି ମାରି ହତ୍ୟା କରିଥିବା ଅଭିଯୋଗରେ ଜଣେ ୭୪ ବର୍ଷିୟ ଭାରତୀୟ-ଆମେରିକୀୟଙ୍କୁ ଗିରଫ କରାଯାଇଛି।

ସମ୍ଭବତଃ ପୁଅକୁ ଛାଡ଼ପତ୍ର ଦେବା ପାଇଁ ଯୋଜନା କରୁଥିବାରୁ ବ୍ୟକ୍ତିଜଣକ ରାଗରେ ଏପରି କରିଥାଇ ପାରନ୍ତି ବୋଲି ଗଣମାଧ୍ୟମ ରିପୋର୍ଟ କରିଛି।

‘ଦି ଇଷ୍ଟ୍‌ ବେ ଟାଇମ୍‌ସ୍‌’ ରିପୋର୍ଟ ଅନୁସାରେ, ଦକ୍ଷିଣ ସାନ୍‌ ଜୋସ୍‌ସ୍ଥିତ ‘ୱାଲ୍‌ମାର୍ଟ’ରେ କାର୍ଯ୍ୟରତା ବୋହୂ ଗୁରପ୍ରୀତ୍‌ କ‌ୌର୍‌ ଦୋସାଞ୍ଝ୍‌ଙ୍କୁ ଗତ ସପ୍ତାହରେ ଶୀତଲ୍‌ ସିଂହ ଦୋସାଞ୍ଝ୍‌ ଉକ୍ତ ପ୍ରତିଷ୍ଠାନର ପାର୍କିଙ୍ଗ୍‌ ସ୍ଥଳରେ ହତ୍ୟା କରିଥିଲେ।

ଶୀତଲ୍‌ ତାଙ୍କୁ ଖୋଜୁଥିବା କଥା ଶୁକ୍ରବାର ଦିନ ଗୁରପ୍ରୀତ୍‌ ନିଜ ଦାଦାଙ୍କୁ କହିଥିଲେ ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିବା ପରେ ତାଙ୍କୁ (ଶୀତଲ୍‌) ଗିରଫ କରାଯାଇଥିଲା। ଗୁରପ୍ରୀତ୍‌ଙ୍କୁ ଖୋଜିବା ପାଇଁ ଶୀତଲ୍‌ ୧୫୦ କିଲୋମିଟର୍‌ ଅତିକ୍ରମ କରି ପାର୍କିଙ୍ଗ୍‌ ସ୍ଥଳକୁ ଆସିଛନ୍ତି ବୋଲି ସେ ଦାଦାଙ୍କୁ କହିଥିବା କଥା ମଧ୍ୟ ଏକ ରିପୋର୍ଟରେ ଉଲ୍ଲେଖ ଅଛି।

Image Courtesy of Latestly

ଦାଦା ପୁଲିସକୁ କହିଛନ୍ତି ଯେ, ଶୀତଲ୍‌ କାର୍‌ ପାଖରେ ପହଞ୍ଚିବାରୁ ଗୁରପ୍ରୀତ ଡରିଗଲା ପରି କଥା କହୁଥିଲା। ସେତେବେଳେ କାମରୁ ଉଠି ଆସି ସେ ପାର୍କିଙ୍ଗ୍‌ସ୍ଥଳରେ ଟିକେ ବିଶ୍ରା ନେଉଥିଲା।

ଫୋନ୍‌ କଟିଯିବା ପୂର୍ବରୁ ଦାଦା ଝିଆରୀଙ୍କ ମଧ୍ୟରେ ଏଇଟା ଥିଲା ଶେଷ କଥା। ଏହାର ୫ ଘଣ୍ଟା ପରେ ତାଙ୍କର ଜଣେ ‘ୱାଲ୍‌ମାର୍ଟ’ ସହକର୍ମୀ ପାର୍କିସ୍ଥଳରେ ଥିବା କାର୍‌ରେ ଗୁରପ୍ରୀତ୍‌ଙ୍କ ଶବ ଦେଖିଥିଲେ। ତାଙ୍କ ଦେହରେ ଅନ୍ୟୂନ ୨ଟି ଗୁଳି ବାଜିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ କହିବା ଅନୁସାର, ଗୁରପ୍ରୀତ୍‌ଙ୍କ ଦାଦା କହିଛନ୍ତି ଯେ, ଝିଆରୀ ସନ୍ଦିଗ୍ଧଙ୍କ ପୁଅକୁ ଛାଡ଼ପତ୍ର ଦେବା ଯୋଜନାରେ ଥିଲା। ଗୁରପ୍ରୀତ ସାନ୍‌ ‌ଜୋସ୍‌ରେ ରହୁଥିବା ବ‌େଳେ ତାଙ୍କ ସ୍ବାମୀ ଓ ଶଶୁର ଫ୍ରେସ୍‌ନୋରେ ବାସ କରୁଥିଲେ।

ପରଦିନ ସକାଳେ ଫ୍ରେସ୍‌ନୋ ଘରୁ ଶୀତଲ୍‌ଙ୍କୁ ଗିରଫ ଗିରଫ କରାଯାଇଥିଲା। ଘର ଖାନ୍‌ତଲାସ ବେଳେ ଗୋଟାଏ .୨୨-କେଲିବର୍‌ ବିରିଟା ପିସ୍ତଲ୍‌ ଜବତ କରାଯାଇଥିବା କଥା ପୁଲିସ କହିଛି।

ସମ୍ବନ୍ଧିତ ଖବର