ୱାସିଂଟନ୍‌: ଆମେରିକାର ଭାରତୀୟ ବଂଶୋଦ୍ଭବ ନାଗରିକଙ୍କ ମଧ୍ୟରେ ରାଷ୍ଟ୍ରପତି ତଥା ଡେମୋକ୍ରାଟିକ୍‌ ଦଳର ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ ଲୋକପ୍ରିୟତା ହ୍ରାସ ପାଉଛି। ନିକଟରେ ପ୍ରକାଶିତ ଏସିଆନ୍‌ ଆମେରିକାନ୍‌ ଭୋଟର୍‌ ସର୍ଭେ (ଏଏଭିଏସ୍‌)ର ସର୍ବେକ୍ଷଣ ରିପୋର୍ଟ ଅନୁସାରେ, ୨୦୨୦ରୁ ୨୦୨୪ ମଧ୍ୟରେ ବାଇଡେନ୍‌ଙ୍କ ପ୍ରତି ଭାରତୀୟ ଆମେରିକୀୟଙ୍କ ସମର୍ଥନ ୧୯ ପ୍ରତିଶତ ହ୍ରାସ ପାଇଛି।

Advertisment

ଆମେରିକାର ନିର୍ବାଚନକୁ ନେଇ ଏଏଭିଏସ୍‌ର ସର୍ବେକ୍ଷଣକୁ ରାଜନୈତିକ ସମୀକ୍ଷକମାନେ ସାଧାରଣତଃ ଅଧିକ ଗୁରୁତ୍ବ ଦେଇଥାନ୍ତି। କାରଣ, ଏହି ସର୍ଭେ ଅନ୍ୟ ସର୍ଭେ ଠାରୁ ଅଧିକ ସମୟ ଧରି ଚାଲେ ଓ ଅଧିକ ଲୋକଙ୍କୁ ସାମିଲ କରିଥାଏ। ବୁଧବାର ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ ୪୬ପ୍ରତିଶତ ଭାରତୀୟ ଆମେରିକୀୟ ଚଳିତ ଥର ବାଇଡେନ୍‌ଙ୍କୁ ପୁଣି ଭୋଟ ଦେବାକୁ ଇଚ୍ଛାପ୍ରକାଶ କରିଛନ୍ତି। ୨୦୨୦ରେ ଏହି ସମର୍ଥନ ହାର ୬୫ ପ୍ରତିଶତ ଥିଲା। ୨୦୨୪ରେ ଏହି ସମର୍ଥନ ହାର ୧୯ ପ୍ରତିଶତ ହ୍ରାସ ପାଇଛି। ଯାହା ଏସୀୟ- ଆମେରିକୀୟ ନାଗରିକଙ୍କ ମଧ୍ୟରେ ସର୍ବାଧିକ ଅଟେ। ୪୬ ପ୍ରତିଶତ ଏସୀୟ -ଆମେରିକୀୟ ବାଇଡେନ୍‌ଙ୍କୁ ଭୋଟ ଦେବାକୁ ସହମତି ପ୍ରକାଶ କରିଛନ୍ତି। ୨୦୨୦ରେ ଏହି ପ୍ରତିଶତ ୫୪ ପ୍ରତିଶତ ରହିଥିଲା। ଅପରପକ୍ଷରେ, ଟ୍ରମ୍ପ୍‌ଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଇ ୩୧ ପ୍ରତିଶତରେ ପହଞ୍ଚିଛି। ୨୦୨୦ରେ ଏହି ସମର୍ଥନ ୨୮ ପ୍ରତିଶତ ଥିଲା।