ନ୍ୟୁୟର୍କ: ବିଳାସମୟ ଜୀବନ ବିତାଇବାକୁ ଜଣେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି ଆମେରିକୀୟ ଫୁଟ୍ବଲ୍ ଟିମ୍ ‘ଜ୍ୟାକ୍ସନ୍ଭାଇଲ୍ ଜାଗୁଆର୍ସ’ରୁ ୨୨ ନିୟୁତରୁ ଅଧିକ ଡଲାର୍ ଠକି ନେଇଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍’ ରିପୋର୍ଟ କରିଛି।
ଅସତ୍ଉପାୟରେ ଅର୍ଜିତ ଅର୍ଥରେ ଅମିତ ପଟେଲ୍ ନାମକ ସେ ବ୍ୟକ୍ତି ଫ୍ଲୋରିଡାରେ କୋଠା କିଣିଛନ୍ତି, ଦାମୀ କାର୍ କିଣିଛନ୍ତି, ଯାତାୟାତ ପାଇଁ ଘରୋଇ ବିମାନ ଭଡ଼ାରେ ଆଣିଛନ୍ତି, ବନ୍ଧୁମାନଙ୍କୁ ବିଳାସମୟ ଯାତ୍ରାରେ ନେଇଛନ୍ତି, ‘କ୍ରିପ୍ଟୋକରେନ୍ସି’ କିଣିଛନ୍ତି ଓ ଅନ୍ଲାଇନ୍ରେ ଜୁଆ ଖେଳିଛନ୍ତି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ସୂଚନାଯୋଗ୍ୟ, ସେତେବେଳେ ଅମିତ ‘ଜ୍ୟାକ୍ସନ୍ଭାଇଲ୍ ଜାଗୁଆର୍’ରେ ଚାକିରି କରୁଥିଲେ।
ଅଦାଲତ ରେକର୍ଡ ଓ ଫୁଟ୍ବଲ୍ ଟିମ୍ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି ଯେ, ଟିମ୍ର ‘ଭର୍ଚୁଆଲ୍ କ୍ରେଡିଟ୍ କାର୍ଡ ପ୍ରୋଗ୍ରାମ୍’ ଜାଲିଆତି କରିବା ଲାଗି ଅମିତ ନିଜକୁ ଟିମ୍ର ଅର୍ଥନୈତିକ ଯୋଜନାର ମ୍ୟାନେଜର୍ ଭାବେ ପରିଚୟ ଦେଇଥିଲେ।
‘ଭର୍ଚୁଆଲ୍ କ୍ରେଡିଟ୍ କାର୍ଡ ପ୍ରୋଗ୍ରାମ୍’ଦ୍ବାରା ‘ଜାଗୁଆର୍ସ’ କର୍ମଚାରୀମାନେ ଟିମ୍ ପାଇଁ ଆବଶ୍ୟକ ସାମଗ୍ରୀଗୁଡ଼ିକର କିଣାକିଣି କରନ୍ତି। କିନ୍ତୁ, ଏହି କାର୍ଡଦ୍ବାରା ପଟେଲ୍ ୨୨ ନିୟୁତ ଡଲାର୍ ବ୍ୟକ୍ତିଗତ ଭାବେ ଖର୍ଚ୍ଚ କରିପକାଇଛନ୍ତି। ଟିମ୍ର ‘କ୍ୟାଟରିଙ୍ଗ୍’, ବିମାନ ଭଡ଼ା, ହୋଟେଲ୍ ରହଣି ବାବଦ ବ୍ୟୟ ଇତ୍ୟାଦିର ଦେୟକୁ ପରିବର୍ତ୍ତନ କରି ପଟେଲ୍ ଉପରୋକ୍ତ ଅର୍ଥ ଠକି ନେଇଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।
‘ଏଫ୍ବିଆଇ’ ଓ ‘ୟୁଏସ୍ ଆଟର୍ଣ୍ଣି ଅଫିସ୍’ ଗତ କିଛି ମାସ ଧରି ତଦନ୍ତ କରିବା ପରେ ପଟେଲ୍ଙ୍କ ଠକାମି ଧରାପଡ଼ିଥିଲା। ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇ ତାଙ୍କ ନାମରେ ଠକେଇ ମାମଲା ରୁଜୁ କରାଯାଇଛି।