ୱାସିଂଟନ୍: ସୋମବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍ କରୋନଭାଇରସ୍ ଟାସ୍କ୍ ଫୋର୍ସର ନେତୃତ୍ବ ଗ୍ରହଣକାରୀ ବୈଜ୍ଞାନିକମାନଙ୍କ ନାମ ଘୋଷଣା କରିଛନ୍ତି। ଏହି ପରାମର୍ଶଦାତା କମିଟିର ନେତୃତ୍ବ ଗ୍ରହଣ କରୁଥିବା ତିନିଜଣ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଭାରତୀୟ-ଆମେରିକୀୟ ଡାକ୍ତର ବିବେକ ମୂର୍ତ୍ତି।
ବାଇଡେନ୍ଙ୍କ ମଧ୍ୟବର୍ତ୍ତୀକାଳୀନ ଟିମ୍ ଜାରି କରିଥିବା ବିବୃତି ଅନୁସାରେ, ଏହି ଟାସ୍କ୍ ଫୋର୍ସରେ ତିନିଜଣ ସହ-ଅଧ୍ୟକ୍ଷ ରହିବେ। ସେମାନେ ହେଉଛନ୍ତି, ମହାମାରୀବିତ ତଥା ପୂର୍ବତନ ‘ଫେଡେରାଲ୍ ଡ୍ରଗ୍ ଆଡ୍ମିନିଷ୍ଟ୍ରେସନ୍ କମିସନର୍ ଡେଭିଡ୍ କେସ୍ଲର୍, ପୂର୍ବତନ ସର୍ଜନ୍ ଜେନେରାଲ୍ ବିବେକ ମୂର୍ତ୍ତି ଏବଂ ୟେଲ୍ ଜନସ୍ବାସ୍ଥ୍ୟ ପ୍ରାଧ୍ୟାପକ ଡାକ୍ତର ମାର୍ସେଲା ନୁନ୍ଏଜ୍-ସ୍ମିଥ୍।
/sambad/media/post_attachments/wp-content/uploads/2020/11/vivekmurthy-1-1024x576.jpg)
ଏମାନଙ୍କ ବ୍ୟତୀତ, ଏହି ପରାମର୍ଶଦାତା ବୋର୍ଡରେ ଇମ୍ୟୁନୋଲୋଜିଷ୍ଟ୍ଙ୍କ ଠାରୁ ଆରମ୍ଭ କରି ମହାମାରୀବିତ୍, ବାୟୋଡିଫେନ୍ସ୍ ବିଶେଷଜ୍ଞ ଏବଂ ଅଗ୍ରଣୀ ଜନସ୍ବାସ୍ଥ୍ୟ ଅଧିକାରୀ ଆଦି ଆହୁରି ଦଶ ଜଣ ସଦସ୍ୟ ରହିବେ।
‘ଫାଇଜର୍’ ଏବଂ ‘ବାୟୋଏନ୍ଟେକ୍’ଦ୍ବାରା ମିଳିତଭାବେ ବିକଶିତ ଟିକା କୋଭିଡ୍-୧୯ ସଂକ୍ରମଣ ପ୍ରତିରୋଧ କରିବାରେ ୯୦% ଫଳପ୍ରଦ ହୋଇଥିବା କଥା ଘୋଷଣା ହେବା ପୂର୍ବରୁ ବାଇଡେନ୍ଙ୍କ ବିବୃତି ଜାରି ହୋଇଥିଲା। ଟିକା ପରୀକ୍ଷା ଫଳପ୍ରଦ ହୋଇଥିବା ଖବର ବୈଜ୍ଞାନିକ, ରାଜନେତା ଓ ବ୍ୟବସାୟୀଙ୍କୁ ଆନନ୍ଦିତ କରିଛି।