ନୂଆଦିଲ୍ଲୀ: ସୀମାରୁ ଉଭୟ ଭାରତ ଓ ଚୀନ୍ ଯଥା ଶୀଘ୍ର ସମ୍ଭବ ନିଜ ନିଜର ସୈନ୍ୟ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିନେବା ପାଇଁ ଶୁକ୍ରବାର ଆୟୋଜିତ ଦ୍ବିପାକ୍ଷିକ ଆଲୋଚନାରେ ଉଭୟ ଦେଶର ଅଧିକାରୀମାନେ ରାଜି ହୋଇଛନ୍ତି। ପୂର୍ବରୁ ଅନୁଷ୍ଠିତ ବୈଠକମାନଙ୍କରେ ଅନୁରୂପ ନିଷ୍ପତ୍ତି ହୋଇଥିଲେ ହେଁ ପାଙ୍ଗଙ୍ଗ ସୋ ହ୍ରଦ ନିକଟରୁ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ପରିଲକ୍ଷିତ ହୋଇନଥିଲା। ଫଳରେ ଭାରତ-ଚୀନ୍ ସୀମା ବ୍ୟପାର ସୁପରିଚାଳନା ପାଇଁ ଗଠିତ ଵାର୍କିଂ ମେକାନିଜିମ୍ ଫର କନ୍ସଲ୍ଟେସନ୍ ଆଣ୍ଡ୍ କୋର୍ଡିନେସନ୍(ଡବ୍ଲ୍ୟୁଏମ୍ସିସି)ର ବୈଠକ ଶୁକ୍ରବାର ବସିଥିଲା। ସେଥିରେ ଉଭୟ ପକ୍ଷର ଅଧିକାରୀମାନେ ଏହି ସଦ୍ୟ ନିଷ୍ପତ୍ତି ନେଇଛନ୍ତି। ଭାରତ ପକ୍ଷରୁ ଏହି ଆଭାସୀ ବୈଠକର ନେତୃତ୍ବ ନେଇଥିବା ବୈଦେଶିକ ମନ୍ତ୍ରଣାଳୟ(ପୂର୍ବ ଏସିଆ)ର ଯୁଗ୍ମସଚିବ ନବୀନ ଶ୍ରୀବାସ୍ତବ ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣା ରେଖା ନିକଟରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟାର ସମୀକ୍ଷା କରିଥିଲେ। ତେବେ ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କର ସାମଗ୍ରିକ ସୁଗମ ଉନ୍ନତି ଲାଗି ସୀମାରେ ସମ୍ପୂର୍ଣ୍ଣ ଶାନ୍ତି ଓ ସ୍ଥିରତା ବଜାୟ ରହିବା ଜରୁରୀ ବୋଲି ଶ୍ରୀ ଶ୍ରୀବାସ୍ତବ ଗୁରୁତ୍ବାରୋପ କରିଥିଲେ।
ମିଳିଥିବା ସୂଚନାନୁୟାୟୀ, ଗଲଵାନ୍ ଉପତ୍ୟକାରେ କେବଳ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିବା ବେଳେ ପାଙ୍ଗଙ୍ଗ ସୋ ହ୍ରଦ ଓ ଉଷ୍ମପ୍ରସ୍ରବଣ ଇଲାକାରେ ତାହା ଧିମେଇ ଯାଇଛି, ଯାହା କି ଭାରତ ପାଇଁ ଚିନ୍ତାର କାରଣ ସାଜିଛି। ଉଭୟ ଦେଶର କମାଣ୍ଡରସ୍ତରୀୟ ଆଲୋଚନାର ନିଷ୍ପତ୍ତିକୁ ଉଭୟ ପକ୍ଷ ସମ୍ମାନ ଦେବା ଜରୁରୀ ହୋଇଥିବା ବେଳେ ପ୍ରତି ଆଲୋଚନାରେ ଭାରତ ହିଁ ଏହି ସୈନ୍ୟ ପ୍ରତ୍ୟାହାର ଉପରେ ଗୁରୁତ୍ବ ଦେଇ ଆସୁଛି। ସୁତରାଂ ଚୀନ୍କୁ ବାରମ୍ବାର ପ୍ରକୃତ ସ୍ଥିତି ସମ୍ପର୍କରେ ଏପରି ମନେପକେଇ ଦେବାକୁ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି। ଅପରପକ୍ଷେ, ଆଗାମୀ ଅଳ୍ପ ଦିନ ଭିତରେ ଏ ସଂକ୍ରାନ୍ତ ସମୀକ୍ଷା ଓ ଆଲୋଚନା ପାଇଁ ପୁଣି ଥରେ ଡବ୍ଲ୍ୟୁଏମ୍ସିସି ବୈଠକ ବସିବ ବୋଲି ସେ ସୂଚନା ଦେଇଛନ୍ତି।