ଲଦାଖରେ ଭାରତ ଓ ଚୀନ୍ ସୈନ୍ୟଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଟେକାପଥର ଫିଙ୍ଗାଫିଙ୍ଗି

ନୂଆଦିଲ୍ଲୀ: ମେ ୫ ତାରିଖ ରାତିରେ ଲଦାଖ ଅନ୍ତର୍ଗତ ପାଙ୍ଗାଙ୍ଗ୍ ହ୍ରଦ କୂଳସ୍ଥିତ ଫିଙ୍ଗର୍-ଫାଇଭ୍ ଠାରେ ଭାରତୀୟ ସୈନିକ ଓ ଚୀନ୍ ସୈନିକମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିବା ଜଣାପଡ଼ିଛି। ଏଥିରେ ଉଭୟ ଦେଶର ସୈନିକମାନେ ସାମାନ୍ୟ ଆହତ ହୋଇଥିଲେ।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ଲଦାଖ ସେ ଅଞ୍ଚଳଟି ହେଉଛି ବିବାଦୀୟ ଅଞ୍ଚଳ। ୧୯୬୨ରେ ସେଠାରେ ଭୟାବହ ଯୁଦ୍ଧ ହୋଇଥିଲା। ଦୁଇ ବର୍ଷ ତଳେ ମଧ୍ୟ ସେଠାରେ ଦୁଇ ଦେଶର ସୈନିକମାନଙ୍କ ମଧ୍ୟରେ ସଂର୍ଘର୍ଷ ହୋଇଥିଲା।

ବିଶେଷସୂତ୍ରରୁ ପ୍ରକାଶ ଯେ ପ୍ରୋଟକଲ୍ ଅନୁସାରେ, ଏଭଳି ସମସ୍ୟା ସ୍ଥାନୀୟ କମାଣ୍ଡ୍‌ ସ୍ତରରେ ପାରସ୍ପରିକ ବୁଝାମଣା ମଧ୍ୟରେ ମେଣ୍ଟାଇ ଦିଆଯାଇଥାଏ। ଏହା ଛଡ଼ା ବହୁ ଦିନର ବ୍ୟବଧାନରେ ସେଠାରେ ଏଭଳି ଛୋଟକାଟର ଗଣ୍ଡଗୋଳ ଉପୁଜିଥିଲା। ଦୁଇ ଦେଶର ସ୍ଥାନୀୟ କମାଣ୍ଡର୍‌ଙ୍କ ମଧ୍ୟରେ ଆଲୋଚନା ହେବା ପରେ ଘଟଣାର ସମାଧାନ ହୋଇଥିଲା।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ଗତ ଶନିବାର ଦିନ ମଧ୍ୟ ଉତ୍ତର ସିକିମର ଭାରତ-ଚୀନ୍ ସୀମାରେ ବହୁସଂଖ୍ୟକ ଭାରତୀୟ ଓ ଚୀନ୍ ସୈନିକ ଉତ୍ତେଜିତ ହୋଇ ମାଡ଼ପିଟ୍ ଲାଗିଥିଲେ। ୧୫୦ଜଣ ସୈନିକଙ୍କ ସମ୍ପୃକ୍ତି ଥିବା ଏହି ଗଣ୍ଡଗୋଳରେ ଭାରତର ୪ ଜଣ ଓ ଚୀନ୍‌ର ୭ଜଣ ସୈନିକ ଆହତ ହୋଇଥିଲେ। ଘଟଣାସ୍ଥଳରେ ମୀମାଂଶା କରାଯାଇ ବିବାଦ ମେଣ୍ଟାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର