ଭାରତୀୟ ସେନାର ନିର୍ଘା‌ତ୍‌ ଗୁଳିମାଡ଼ : ପାକ୍‌ ‌ସେନାର ମୁଖ୍ୟାଳୟ ଧ୍ବଂସ

ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଶୈଳୀରେ ଆକ୍ରମଣ, ପାକିସ୍ତାନର ବଡ଼ ଧରଣର କ୍ଷତି ଆଶଙ୍କା, ଶ୍ରୀନଗରରେ ୫ ବିଏସ୍‌ଏଫ୍ ଯବାନ ଆହତ

ଜମ୍ମୁ : ନିୟନ୍ତ୍ରଣରେଖା (ଏଲ୍‌ଓସି)ରେ ପାକିସ୍ତାନର ସୈନିକମାନେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ଉତ୍ପାତ ଚଳାଇଥିଲେ। ଯେତେ ତାଗିଦ୍‌ ପ‌େର ବି ଶୁଣିନଥିଲେ। ଶେଷ‌େର ଭାରତୀୟ ସେନା ଅତିଷ୍ଠ ହୋଇ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେଇଛି। ନିର୍ଘାତ୍‌ ଗୁଳିମାଡ଼ କରି ପାକିସ୍ତାନ ଉପରେ ରାଗ ଶୁଝାଇଛି। ଭାରତର ଏହି ଗୁଳିମାଡ଼ରେ ପାକିସ୍ତାନୀ ସେନାର ପ୍ରଶାସନିକ ମୁଖ୍ୟାଳୟ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିବା ଜଣାପଡ଼ିଛି।

ଗତ ୨୧ ତାରିଖରେ ଭାରତୀୟ ସେନା ଉପରେ ପାକିସ୍ତାନର ବର୍ଡର ଆକ୍ସନ୍‌ ଟିମ୍‌ (ବ୍ୟାଟ୍‌) ଅଚାନକ ଆକ୍ରମଣ କରିଥିଲା। ଫଳରେ ଭାରତର ୩ ଜଣ ଯବାନ ସହିଦ ହୋଇଥିଲେ ଏବଂ ଜଣେ ଆହତ ହୋଇଥିଲେ। ଏହି ଆକ୍ରମଣ ପରେ ନିୟନ୍ତ୍ରଣରେଖା ଅଶାନ୍ତ ହୋଇପଡ଼ିଥିଲା। ଏମିତି କି ଏ ବାବଦରେ ଦୁଇ ଦେଶର ସେନା ଅଧିକାରୀ କଥାବାର୍ତ୍ତା କରି ଏଲ୍‌ଓସିରେ ଶାନ୍ତି ବଜାୟ ରଖିବାକୁ ସହମତି ହୋଇଥିଲେ। କିନ୍ତୁ ପାକିସ୍ତାନ ନିଜ ପୁରୁଣା ଖୋଇ ଛାଡ଼ିନଥିଲା।

ଉଭୟପକ୍ଷର ଆଲୋଚନା ଓ ସହମତି ସତ୍ତ୍ବେ ପାକ୍‌ ସେନା ୨୩ ତାରିଖରେ ଏଲ୍‌ଓସିରେ ଉତ୍ପାତ କରି ପୁଞ୍ଚ ଓ ଝଲାସ୍‌ ସେକ୍ଟରରେ ଗୁଳିମାଡ଼ କରିଥିଲା। ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତୀୟ ସେନାକୁ କଡ଼ା ଚ‌ାଲେଞ୍ଜ୍ ଦେଇଥିଲା। ତେବେ ଭାରତ ଏହାର ଜବାବ ଦେଇଛି। ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଶୈଳୀରେ ଭାରତୀୟ ସେନା ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ର ଖୁଇରଟା ଓ ସମାନି ଅଞ୍ଚଳରେ ହମ୍‌ଲା କରିଛି। ଫଳରେ ପାକିସ୍ତାନୀ ସେନାର ଏକ ପ୍ରଶାସନିକ ମୁଖ୍ୟାଳୟ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ଏହାଦ୍ବାରା ପାକ୍‌ ସେନାର ବଡ଼ଧରଣର କ୍ଷତି ଘଟିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ସେନାର ଏହି ବଡ଼ଧରଣର ଅପରେସନ୍‌ ପରେ ସୋମବାର ସାଟେଲାଇଟ୍‌ରେ ଏହାର ଫଟୋ ସାମ୍ନାକୁ ଆସିଛି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଏଲ୍‌ଓସି ଓ ସୀମା ଅଞ୍ଚଳରେ ପାକ୍‌ ସେନା ପକ୍ଷରୁ ଗୁଳିମାଡ଼ ହୋଇଥିଲା ଏବଂ ଜବାବରେ ଭାରତୀୟ ସୁରକ୍ଷା ବାହିନୀ ମଧ୍ୟ ଅନେକ ବଡ଼ ପଦକ୍ଷେପ ନେଇଥିଲା। ମେ ମାସ ୧୯ ତାରିଖରେ ବିଏସ୍‌ଏଫ୍ ଯବାନମାନେ ପାକିସ୍ତାନୀ ବଙ୍କରକୁ ମିସାଇଲ୍‌ ମାଡ଼ କରି ଉଡ଼ାଇ ଦେଇଥିଲେ। ପରେ ଏ ନେଇ ଏକ ଭିଡିଓ ବିଏସ୍‌ଏଫ୍ ପକ୍ଷରୁ ଜାରି କରାଯାଇଥିଲା।

ଆଜି ଶ୍ରୀନଗରର ପାନ୍ଥଚୌକ୍‌ଠାରେ ଆତଙ୍କବାଦୀମାନେ ଆକ୍ରମଣ କରିବା ଯୋଗୁ ବିଏସ୍‌ଏଫ୍‌ର ୫ ଯବାନ ଆହତ ହୋଇଛନ୍ତି। ଏମାନଙ୍କୁ ୯୨ ଘାଟି ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣା ପରେ ଭାରତୀୟ ସେନା ଶ୍ରୀନଗରରେ ବଡ଼ଧରଣର ତଲାସୀ ଅଭିଯାନ ଆରମ୍ଭ କରିଛି। ସୂତ୍ର ମୁତାବକ ସୋମବାର ସନ୍ଧ୍ୟାବେଳେ ବିଏସ୍‌ଏଫ୍‌ର କିଛି ଯବାନ ଜମ୍ମୁ-ଶ୍ରୀନଗର ରାଜପଥ ନିକଟ‌େର ପାନ୍ଥଚୌକ୍‌ ଦେଇ ଶ୍ରୀନଗର ସହର ଅଭିମୁଖେ ଯାଉଥିଲେ। ଏହି ସମୟରେ ପୂର୍ବରୁ ଲୁଚିକରି ଥିବା ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ଜବାବରେ ବିଏସ୍‌ଏଫ୍ ଯବାନ ମଧ୍ୟ ପ୍ରବଳ ଗୁଳିମାଡ଼ କରିଥିଲେ। କିନ୍ତୁ ଘଟଣାରେ ୫ ଯବାନ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର