ମଣିପୁର ଆକ୍ରମଣ :  ଆତଙ୍କବାଦୀଙ୍କୁ ଠାବ କରିବାକୁ ବଡ଼ ଧରଣର ଅପରେସନ ଆରମ୍ଭ କଲା ଭାରତୀୟ ସେନା

ନୂଆଦିଲ୍ଲୀ : ମଣିପୁର ଆକ୍ରମଣ ପାଇଁ ପିଏଲଏ ନିଜକୁ ଦାୟୀ କରିଥିବାବେଳେ ଏକ ବଡ଼ ଧରଣର ଅପରେସନ ଆରମ୍ଭ କରିଦେଇଛି ଭାରତୀୟ ସେନା  । ପିଏଲଏ ଆତଙ୍କବାଦୀମାନେ ଯେପରି ସୀମା ସେପଟକୁ ଖସି ନ ଯାଆନ୍ତି ସେଥିପାଇଁ ଭାରତ-ମିଆଁମାର ସୀମାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି ।

ଆଜି ଏହି ଆକ୍ରମଣ ସମ୍ପର୍କରେ ସେନାମୁଖ୍ୟ ଏମଏମ ନାରାଓ୍ବାଣେଙ୍କୁ ସୂଚନା ଦିଆଯାଇଛି । ଆତଙ୍କବାଦୀମାନଙ୍କୁ ଚିହ୍ନଟ କରି ନିପାତ କରିବାକୁ ସେ ନିର୍ଦ୍ଦେଶ ଦେଇଥିବାର ସୂଚନା ମିଳିଛି । ସେନା ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅପରେସନକୁ ନୂଆଦିଲ୍ଲୀ ସ୍ଥିତ ସେନାମୁଖ୍ୟାଳୟରୁ ତଦାରଖ କରାଯାଉଛି ।

ଏହି ଆକ୍ରମଣରେ ସହିଦ ହୋଇଥିବା ଆସାମ ରାଇଫଲ୍ସର ଖୁଗ୍ରା ବାଟାଲିଅନର କମାଣ୍ଡିଂ ଅଫିସର ବିପ୍ଲବ ତ୍ରିପାଠୀଙ୍କ ପତ୍ନୀ ଓ ୮ ବର୍ଷର ପୁଅ ମଧ୍ୟ ନିହତ ହୋଇଛନ୍ତି । ବିପ୍ଳବଙ୍କ ପରିବାରର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରାଯାଉଥିବାରୁ ତାହାକୁ ନେଇ ସେନା ଅଧିକାରୀମାନେ ଆପତ୍ତି ଉଠାଇଛନ୍ତି । ସହିଦ ପରିବାରକୁ ସମ୍ମାନଜଣାଇବା ସହ ସେମାନଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ଲୋକମାନେ ସମ୍ମାନ ଜଣାନ୍ତୁ ବୋଲି ସେନା ଅଧିକାରୀ ଲେପ୍ଟନାଣ୍ଟ ଜେନେରାଲ କେଜେଏସ ଧୀଲୋନ ନିବେଦନ କରିଛନ୍ତି ।

ଜୁନ ୪, ୨୦୧୫  ପରେ ମଣିପୁରରେ ସେନା ଉପରେ ହୋଇଥିବା ଏହା ସବୁଠାରୁ ବଡ଼ ଆକ୍ରମଣ ।  ୨୦୧୫ ରେ ହୋଇଥିବା ଏହି ଆକ୍ରମଣରେ ୧୮ ଜଣ ଯବାନ ସହିଦ ହୋଇଥିଲେ । ଉକ୍ତ ଆକ୍ରମଣ ପରେ ସେନା ମିଆଁମାର ସୀମା ଭିତରକୁ ଯାଇ ସର୍ଜିକାଲ ଷ୍ଟ୍ରାଇକ କରିଥିଲା ।

ସମ୍ବନ୍ଧିତ ଖବର