ନୂଆଦିଲ୍ଲୀ : ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପଟୁ ଆସୁଥିବା ଆତଙ୍କବାଦୀ ଓ ପାକିସ୍ତାନୀ ବର୍ଡର ଆକ୍ସନ ଟିମ (ବ୍ୟାଟ୍)ର ଆକ୍ରମଣକୁ ରୋକିବା ପାଇଁ ଭାରତ ଇଟାଲୀରୁ ଏକ ସ୍ୱତନ୍ତ୍ର ତଥା ଶକ୍ତିଶାଳୀ ସ୍ନାଇପର ରାଇଫଲ କିଣିଛି । ଭାରତ ବର୍ତ୍ତମାନ ବ୍ୟବହାର କରୁଥିବା ଋଷନିର୍ମିତ ସ୍ନାଇପର ରାଇଫଲ ତୁଳନାରେ ଏହା ଅଧିକ ଶକ୍ତିଶାଳୀ ଓ ଅଧିକ ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ । ତେବେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଏହି ରାଇଫଲକୁ ଚଳାଉଥିବା ଭାରତୀୟ ସେନାର ଏକ ସ୍ୱତନ୍ତ୍ର ୟୁନିଟର ଯବାନ ମାନଙ୍କୁ ଆମେରିକା ଓ ଇଟାଲୀରେ ତାଲିମ ଦିଆଯାଇଛି । ଏହି ତାଲିମପ୍ରାପ୍ତ ଯବାନ ମାନେ ଏବେ ନିୟନ୍ତ୍ରଣରେଖା ନିକଟରେ ମୃତୟନ ହୋଇଛନ୍ତି ।
ଏହି ରାଇଫଲ୍କୁ ଏକ ଇଟାଲୀୟ କମ୍ପାନି ତିଆରି କରିଛି। କିଛିମାସ ତଳେ ଭାରତୀୟ ସେନାର ଉତ୍ତରାଞ୍ଚଳ କମାଣ୍ଡ୍ ଏହାକୁ ଇଟାଲିଠାରୁ କ୍ରୟ କରିଥିଲା । ଏହି ସ୍ନାଇପର ରାଇଫଲର ନାମ ବେରେଟା .୩୩୮ ଲାପୁଆ ମ୍ୟାଗନମ୍ ସ୍କରପିଓ ଟିଜିଟି ହୋଇଥିବା ବେଳେ ଇଟାଲୀୟ କମ୍ପାନି ବେରେଟ୍ଟା ଏହାକୁ ନିର୍ମାଣ କରେ ।