ଶ୍ରୀନଗର: ସରିବ ଆତଙ୍କୀଙ୍କ ଖେଳ, ମାଟିରେ ମିଶୁଛି ଆତଙ୍କବାଦୀଙ୍କ ଘର । ପହଲଗାମ୍ ଆତଙ୍କୀ ହମଲା ପରେ ତ୍ରାହି ପାଉନାହାନ୍ତି ଆତଙ୍କବାଦୀ । ଆକ୍ରମଣରେ ସମ୍ପୃକ୍ତି ଥିବା ଜମ୍ମୁକାଶ୍ମୀରର ଆତଙ୍କୀଙ୍କ ଠିକଣା ଖୋଜି ଖୋଜି ସେମାନଙ୍କ ଘର ଉଡାଉଛି ଭାରତୀୟ ସେନା । ଆତଙ୍କୀ ଲିଙ୍କ ଥିବା ଅଭିଯୋଗ ଆସିବା ପରେ ସାଙ୍ଗେ ସାଙ୍ଗେ କାର୍ୟ୍ୟାନୁଷ୍ଠାନ ନେଉଛନ୍ତି ଯବାନ । ଆଉ କାଲି ପରି ଆଜି ମଧ୍ୟ ଆତଙ୍କୀଙ୍କ ଘର ଉଡାଇ ଦେଇଛନ୍ତି ।
ଆଜି ଆଉ ୩ ଆତଙ୍କବାଦୀଙ୍କ ଘରକୁ ବିସ୍ଫୋରଣରେ ଉଡାଇ ଦିଆଯାଇଛି । ଘାଟିରେ ସକ୍ରିୟ ଆତଙ୍କବାଦୀଙ୍କ ଘରକୁ ବିସ୍ଫୋରଣରେ ଉଡାଇ ଦେଇଛନ୍ତି ଭାରତୀୟ ସେନା । ଏହସାନ ଅହମ୍ମଦ ଶେଖ୍, ସାହିଦ ଅହମ୍ମଦ କୁଟ୍ଟେ ଓ ଜାକିର ଗନୀର ଘରକୁ ମାଟିରେ ମିଶାଇ ଦିଆଯାଇଛି ।
#WATCH | Shopian, J&K: Visuals of a destroyed house in Chotipora, allegedly linked to a terrorist pic.twitter.com/8zJVny1YtS
— ANI (@ANI) April 26, 2025
ଜୁନ୍ ୨୦୨୩ରୁ ଲସ୍କରରେ ସକ୍ରିୟ କ୍ୟାଡର ଏହସାନ ଅହମ୍ମଦର ଦୁଇ ମହଲା କୋଠା ଭାଙ୍ଗି ଦିଆଯାଇଛି । ସେହିପରି ସାହିଦ ଅହମ୍ମଦ ଦୁଇ ବର୍ଷ ତଳେ ଲସ୍କରରେ ସାମିଲ ହୋଇଥିଲା । ଆଇଇଡି ବିସ୍ଫୋରଣରେ ୩ ଆତଙ୍କବାଦୀଙ୍କ ଘରକୁ ଉଡାଇ ଦିଆଯାଇଛି । ପୁଲୱାମା, ସୋପିଆନ୍, କୁଲଗାମରେ ଆତଙ୍କୀ ଘର ଧୂଳିସାତ୍ କରାଯାଇଥିବା ବେଳେ ଗତକାଲି ୨ ଆତଙ୍କୀଙ୍କ ଘର ଭାଙ୍ଗିଥିଲେ ସୁରକ୍ଷାକର୍ମୀ । ଆତଙ୍କବାଦୀ ଆଦିଲ ହୁସେନ ଥୋକର ଏବଂ ଆତଙ୍କବାଦୀ ଆଶିଫ ଶେଖ୍ ର ଘରକୁ ବି ଭାଙ୍ଗିଥିଲେ ସୁରକ୍ଷାକର୍ମୀ । ବିଜବେହରା ଏବଂ ତ୍ରାଲରେ ଥିବା ଘରକୁ ଭାଙ୍ଗିଥିଲେ ସୁରକ୍ଷାକର୍ମୀ ।
ସେପଟେ ସେନା ପକ୍ଷରୁ କାଶ୍ମୀରରେ ଘରକୁ ଘର ବୁଲି ସର୍ଚ୍ଚ ଅପରେସନ୍ ଜାରି ରହିଛି । ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ତଲାସୀ ଚଳାଇଛି ଭାରତୀୟ ସେନା । ଯେମିତି ଗୋଟେ ବି ପାକିସ୍ତାନୀ କିମ୍ବା ଆତଙ୍କୀ ଲୁଚି ରହି ନଯାନ୍ତି ସେନେଇ ଚାଲିଛି ଅପରେସନ ।
#WATCH | Pulwama, J&K | Visuals of a destroyed house in Murran village, allegedly linked to a terrorist. pic.twitter.com/64tsFDD8tq
— ANI (@ANI) April 26, 2025