ପିଓକେରେ ଥିବା ଏକାଧିକ ଆତଙ୍କବାଦୀ ଲଞ୍ଚପ୍ୟାଡ୍‌କୁ ଧ୍ୱଂସ କରି ମାଟିରେ ମିଶାଇଲା ଭାରତୀୟ ସେନା

ଶ୍ରୀନଗର/ ନୂଆଦିଲ୍ଲୀ: ଭାରତୀୟ ସେନା ଆଜି (ସୋମବାର) ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ କରିଛି। ପାକ୍‌ ଅଧିକୃତ କଶ୍ମୀରର ଲିପା ଭ୍ୟାଲିରେ ପାକିସ୍ତାନୀ ସେନା ଦ୍ୱାରା ନିୟନ୍ତ୍ରିତ ହେଉଥିବା ଏକାଧିକ ଆତଙ୍କବାଦୀ ଲଞ୍ଚପ୍ୟାଡ୍‌ ଉପରେ ଚଢ଼ାଉ କରି ସେଗୁଡ଼ିକୁ ମାଟିରେ ମିଶାଇ ଦେଇଛି ଭାରତୀୟ ସେନା। ଉଲ୍ଲେଖଯୋଗ୍ୟ, ପାକ୍‌ ଅଧିକୃତ କଶ୍ମୀରର ଲିପା ଭ୍ୟାଲିରେ ଥିବା ପାକିସ୍ତାନ ସେନା ଶିବିରଗୁଡ଼ିକ ନିକଟରେ ଏହି ସବୁ ଆତଙ୍କବାଦୀ ଲଞ୍ଚପ୍ୟାଡ୍‌ ପାକ୍‌ ସେନାର ତତ୍ତ୍ୱାବଧାନରେ ଗଢ଼ି ଉଠିଥିଲା। ତାଲିମପ୍ରାପ୍ତ ପାକିସ୍ତାନୀ ଆତଙ୍କବାଦୀମାନଙ୍କୁ ଆଣି ପାକ୍‌ ସେନା ଏହି ସବୁ ଲଞ୍ଚପ୍ୟାଡ୍‌ରେ ରଖିବା ସହ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଥିଲା ଓ ସୁବିଧା ସୁଯୋଗ ଦେଖି ସେମାନଙ୍କୁ ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରାଇ ଦେଉଥିଲା।

News Nation

ନିକଟରେ ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦ, ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌, ଲସ୍କର-ଇ- ତୋଏବା ଓ ଜମାତ୍‌-ଇ- ଇସ୍‌ଲାମୀର ଶତାଧିକ ତାଲିମପ୍ରାପ୍ତ ଆତଙ୍କବାଦୀ ଆସି ପିଓକେ ଅଧୀନସ୍ଥ ରାଓ୍ଵାଲାକୋଟ୍‌ର ତ୍ରାନୋତି ଓ ପୋଥିବାଲା ଅଞ୍ଚଳରେ ରହିଥିବା ଏକାଧିକ ଲଞ୍ଚପ୍ୟାଡ୍‌ରେ ଅବସ୍ଥାନ କରିବା ସହ ଭାରତ ମଧ୍ୟକୁ ପ୍ରବେଶ କରି ଭାରତରେ ଆତଙ୍କବାଦୀ ହାମ୍‌ଲା କରିବା ଅଭିପ୍ରାୟରେ ରହିଥିଲେ। ତେବେ, ଏସଂପର୍କରେ ଭାରତୀୟ ସେନାର ଗୁଇନ୍ଦା ବିଭାଗ ସେନା ବାହିନୀକୁ ନିର୍ଦ୍ଦିଷ୍ଟ ସୂଚନା ଦେବାପରେ ଏହି ସମସ୍ତ ଲଞ୍ଚପ୍ୟାଡ୍‌ ଉପରେ ଭାରତୀୟ ସେନା ପକ୍ଷରୁ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା।

News Nation

ନିଷ୍ପତ୍ତି ଅନୁଯାୟୀ ଆଜି ଭାରତୀୟ ସେନା ଆଜି ପିଓକେ ମଧ୍ୟରେ ରହିଥିବା ପ୍ରାୟ ୧୮ଟି ଲଞ୍ଚପ୍ୟାଡ୍‌ ଉପରେ ଚଢ଼ାଉ କରି ସେଗୁଡ଼ିକୁ ଧ୍ୱଂସ କରିବା ସହ ମାଟିରେ ମିଶାଇ୍‌ ଦେଇଛି। ଭାରତୀୟ ସେନାର ଏହି କାର୍ଯ୍ୟାନୁଷ୍ଠାନରେ ଏକାଧିକ ଆତଙ୍କବାଦୀ ମଧ୍ୟ ପ୍ରାଣ ହରାଇଥିବା ହସ୍ତଗତ ରିପୋର୍ଟରୁ ଜାଣିବା ପାଇଁ ମିଳିଛି।

ସମ୍ବନ୍ଧିତ ଖବର