ଜମ୍ମୁ: ଶୀତ ଦିନରେ ମଧ୍ୟ ପୂର୍ବ ଲଦାଖରେ ପୂର୍ଣ୍ଣକାଳୀନ ଯୁଦ୍ଧ କରିବାକୁ ଭାରତୀୟ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଘୋଷଣା କରି ବୁଧବାର ଦିନ ଭାରତୀୟ ସେନା କହିଛି ଯେ, ଚୀନ୍ ଯଦି ଯୁଦ୍ଧ ପରିସ୍ଥିତି ସୃଷ୍ଟି କରେ, ସେମାନେ ଭଲଭାବେ ତାଲିମପ୍ରାପ୍ତ, ଭଲଭାବେ ପ୍ରସ୍ତୁତ, ପୂର୍ଣ୍ଣ ବିଶ୍ରାମପ୍ରାପ୍ତ ଏବଂ ମାନସିକଭାବେ ସୁଦୃଢ଼ ଭାରତୀୟ ସେନାଙ୍କୁ ସାମନା କରିବେ।
ଏକ ବିବୃତିରେ ଭାରତୀୟ ସେନା କହିଛି, ଶାରୀରିକ ଓ ମାନସିକ ଭାବେ ଯୁଦ୍ଧ ଅଭିଜ୍ଞ ଭାରତୀୟ ସେନା ତୁଳନାରେ ଚୀନ୍ର ସୈନିକମାନେ ମୁଖ୍ୟତଃ ସହରାଞ୍ଚଳରୁ ଆସିଥିବାରୁ ପ୍ରତିକୂଳ ପରିସ୍ଥିତରେ କିଂବା କ୍ଷେତ୍ର ପରିସ୍ଥିତିରେ ଦୀର୍ଘ ଦିନ ଧରି ମୁତୟନ ହେବାରେ ଅଭ୍ୟସ୍ତ ନୁହନ୍ତି।
/sambad/media/post_attachments/wp-content/uploads/2020/09/ladakh-2.jpg)
ଭାରତୀୟ ଆଭିଜାନିକ ପରିବହନ ଯଥେଷ୍ଟରୂପେ ବୃଦ୍ଧି ପାଇ ନାହିଁ ଏବଂ ଶୀତକାଳରେ ଭାରତୀୟ ସୈନିକମାନେ ଯୁଦ୍ଧ କରିବାକୁ ସମର୍ଥ ହେବେ ନାହିଁ ବୋଲି ଚୀନ୍ର ସରକାରୀ ଗଣମାଧ୍ୟମ ‘ଗ୍ଲୋବାଲ୍ ଟାଇମ୍ସ୍’ର ରିପୋର୍ଟରେ ପ୍ରତିକ୍ରିୟା ପ୍ରକାଶ କରି ଭାରତୀୟ ସେନାର ନର୍ଦର୍ଣ୍ଣ କମାଣ୍ଡ୍ ମୁଖ୍ୟାଳୟ ଏହି ଘୋଷଣା କରିଛି।
ନର୍ଦର୍ଣ୍ଣ କମାଣ୍ଡ୍ର ଜଣେ ମୁଖପାତ୍ର କହିଛନ୍ତି, ଏ କଥା ଅବହେଳା ପ୍ରତି ପ୍ରଯୁଜ୍ୟ। ଭାରତୀୟ ସେନା ପୂର୍ଣ୍ଣରୂପେ ପ୍ରସ୍ତୁତ ଏବଂ ଶୀତ କାଳରେ ବି ପୂର୍ବ ଲଦାଖରେ ପୂର୍ଣ୍ଣକାଳୀନ ଯୁଦ୍ଧ ଲଢ଼ିବାକୁ ସମର୍ଥ।
ଭାରତ ଶାନ୍ତିପ୍ରିୟ ରାଷ୍ଟ୍ର ହୋଇଥିବାରୁ ପଡ଼ୋଶୀମାନଙ୍କ ସହ ଉତ୍ତମ ସମ୍ପର୍କ ରଖିବାକୁ ଇଚ୍ଛା କରେ। ଆଲୋଚନା ମାଧ୍ୟମରେ ମାମଲା ସମାଧାନ କରିବାକୁ ଭାରତ ସର୍ବଦା ଅଗ୍ରାଧିକାର ଦିଏ। ପୂର୍ବ ଲଦାଖରେ ଚୀନ୍ ସହ ସୀମାନ୍ତ ବିବାଦ ସମାଧାନ ଲାଗି କଥାବାର୍ତ୍ତା ଚାଲିଥିବା ବେଳେ ସାମରିକ ସ୍ତରରେ ଦୀର୍ଘକାଳୀନ ମୁକାବିଲା ନିମନ୍ତେ ସେନା ଉତ୍ତମ ରୂପେ ପ୍ରସ୍ତୁତ ହୋଇ ରହିଛି।