ଭାରତୀୟ ସେନା ହାତରେ ଡିଆରଡିଓ ନିର୍ମିତ ଡ୍ରୋନ ‘ଭାରତ’: ଆକାଶମାର୍ଗରୁ ଶତ୍ରୁ ଓ ମିତ୍ର ଉଭୟଙ୍କୁ ଚିହ୍ନିପାରିବ

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ସୀମାରେ ଉତ୍ତେଜନା ଚାଲିଥିବାବେଳେ ଭାରତ ସରକାରଙ୍କ ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ ପକ୍ଷରୁ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏକ ଡ୍ରୋନ ସେନାକୁ ପ୍ରଦାନ କରାଯାଇଛି । ଏହାର ନାମ ରଖାଯାଇଛି ଭାରତ ।

ଏହି ଡ୍ରୋନର ବିଶେଷତ୍ୱ ହେଉଛି ଏହା ହିମାଳୟ ପାର୍ବତ୍ୟାଞ୍ଚଳ ପରି ଉଚ୍ଚ ଅଞ୍ଚଳରେ ଅତ୍ୟନ୍ତ ସଠିକତାର ସହ ପର୍ଯ୍ୟବେକ୍ଷଣ ଓ ପ୍ରହରା କାର୍ଯ୍ୟ କରିପାରିବ । ଫଳରେ ଏହା ଲଦାଖରେ ମୁତୟନ ହୋଇପାରିବ ଓ ଚୀନ ସେନାର କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖିପାରିବ । ଏହି ଭାରତ ଡ୍ରୋନକୁ ଡିଆରଡିଓର ଛତିଶଗଡ଼ସ୍ଥିତ ଏକ ଲାବରେଟୋରୀରେ ବିକଶିତ କରାଯାଇଛି । ଏହି ଡ୍ରୋନ ବିଶ୍ୱର ସବୁଠୁ ଉଚ୍ଚରେ ଉଡ଼ୁଥିବା ଡ୍ରୋନ ମଧ୍ୟରେ ଅନ୍ୟତମ ବୋଲି କୁହାଯାଉଛି ।

ଡିଆରଡିଓ ପକ୍ଷରୁ କୁହାଯାଇଛି ଯେ ଏହି ଡ୍ରୋନଟି ଛୋଟ ହେଲେ ଯେକୌଣସି ସ୍ଥାନରେ ଅତି ସଠିକତାର ସହ ପର୍ଯ୍ୟବେକ୍ଷଣ ବା ପ୍ରହାରା କାମ କରିପାରିବ ।

ଏହି ଡ୍ରୋନର ଆଉ ଏକ ବିଶେଷତ୍ୱ ହେଉଛି ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ପ୍ରୟୋଗ ହୋଇଛି । ଏହି ଟେକନଲୋଜୀର ଉପଯୋଗ ଦ୍ୱାରା ଭାରତ ଡ୍ରୋନ ଶତ୍ରୁ କିଏ ମିତ୍ର କିଏ ତାହା ଜାଣିପାରିବ ଓ ସେହି ଅନୁସାରେ ପ୍ରହରା କାମ କରିବ । ଏହା ମଧ୍ୟ ଅତି ଥଣ୍ଡା ଓ ପ୍ରତିକୂଳ ପରିବେଶରେ ସଠିକତାର ସହ କାମ କରିପାରିବ ବୋଲି ଡିଆରଡିଓ କହିଛି ।

ସମ୍ବନ୍ଧିତ ଖବର