ନୂଆଦିଲ୍ଲୀ: ଚୀନ୍ ଓ ପାକିସ୍ତାନ ଭାରତ ବିରୋଧରେ ସାଇବର ଆକ୍ରମଣ ବୃଦ୍ଧି କରିଛନ୍ତି। ଏହାକୁ ପ୍ରତିହତ କରିବା ପାଇଁ ଭାରତୀୟ ସେନା ପକ୍ଷରୁ ଏକ ନୂତନ ୟୁନିଟ୍ ଆରମ୍ଭ କରାଯାଇଛି। ନିକଟରେ ସେନା କମାଣ୍ଡରମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ପଡ଼ୋଶୀ ଦେଶଙ୍କ ସାଇବର ଆକ୍ରମଣର ମୁକାବିଲା ପାଇଁ ଏକ ବିଶେଷଜ୍ଞଙ୍କ ୟୁନିଟ୍ ଆରମ୍ଭ କରିବାକୁ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ନିଷ୍ପତ୍ତି ନେଇଥିଲେ। ଏହି ଶାଖାର ନାଁ ଦିଆଯାଇଛି କମାଣ୍ଡ ସାଇବର ଅପରେସନ୍ସ ଆଣ୍ଡ୍ ସପର୍ଟ ୱିଙ୍ଗ୍ସ (ସିସିଓଏସ୍ଡବ୍ଲୁ)। ଆମ ଯୋଗଯୋଗ ବ୍ୟବସ୍ଥାକୁ ସୁରକ୍ଷା ପ୍ରଦାନ କରିବା ଓ ପ୍ରସ୍ତୁତିର ସ୍ତର ବୃଦ୍ଧି କରିବା ପାଇଁ ଏହି ଶାଖା ଆରମ୍ଭ କରାଯାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଏହାଦ୍ବାରା ହନି ଟ୍ରାପିଂ ଓ ହ୍ୟାକିଂକୁ ପ୍ରତିରୋଧ କରାଯାଇପାରିବ। ଚୀନ୍ ହ୍ୟାକର୍ମାନେ ଭାରତର ସମ୍ବେଦନଶୀଳ ପ୍ରତିଷ୍ଠାନଗୁଡ଼ିକର ସାଇଟ୍ ହ୍ୟାକ୍ କରିବା ପାଇଁ ଅହରହ ପ୍ରୟାସ କରୁଥିବାରୁ ଏହାକୁ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ଆରମ୍ଭ ହୋଇଛି। ଏ ଦିଗରେ ଆମେରିକା ଓ ଅନ୍ୟ ବନ୍ଧୁ ରାଷ୍ଟ୍ରମାନଙ୍କ ସହ ତାଳମେଳ ରଖି ମଧ୍ୟ ଭାରତ କାମ କରୁଥିବା ବେଳେ ଆଗକୁ ସାଇବର ସୁରକ୍ଷା କ୍ଷେତ୍ର ଅଧିକ ବ୍ୟାପକ ହେବ ବୋଲି ଜଣାପଡ଼ିଛି ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp