ସମଗ୍ର ବିଶ୍ୱର ଶାନ୍ତି ପ୍ରକ୍ରିୟାରେ ଭାରତୀୟ ସୈନିକମାନଙ୍କର ଅବଦାନ ରହିଛି: ପ୍ରଧାନମନ୍ତ୍ରୀ ମୋଦି

ଆଜି ‘ମନ୍‌କି ବାତ୍‌’ କାର୍ଯ୍ୟକ୍ରମର ୩୭ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ବିଚାରଧାରା ବାଣ୍ଟିଛନ୍ତି। ଦେଶର ସବୁଠୁ ଭକ୍ତିଭାବକ ଉତ୍ସବ ମଧ୍ୟରେ ଛଟ୍‌ ଅନ୍ୟତମ ବୋଲି ସମ୍ଭାଷଣ ଆରମ୍ଭ କରି ଛଟ୍‌ ପୂଜାର ଗୁରୁତ୍ୱ ବିଷୟରେ କହିଲେ ପ୍ରଧାନମନ୍ତ୍ରୀ।

ମୋଦି କହିଲେ: ଦେଶ ପାଇଁ ଖଦି ଏବଂ ଫେସନ୍‌ ପାଇଁ ଖଦି ଏବେ ପରିବର୍ତ୍ତନ ପାଇଁ ଖଦିର ସ୍ଥାନ ନେଇଛି। ଏଥର ପୂଜାପାର୍ବଣରେ ରେକର୍ଡ ପରିମାଣ ୧ କୋଟି ଟଙ୍କାର ଖଦି ବିକ୍ରି କରିଛି ଦିଲ୍ଲୀର ଖଦି ଗ୍ରାମୋଦ୍ୟୋଗ ଷ୍ଟୋର୍‌।

ଗୁରେଜ୍‌ ସେକ୍ଟର୍‌ରେ ସୈନିକମାନଙ୍କ ସହ ଦୀପାବଳି ପାଳନ ଥିଲା ଅଭିନବ ଅନୁଭୂତି ଥିଲା ବୋଲି ସେ କହିଛନ୍ତି। ଜାତିସଂଘ ଶାନ୍ତିରକ୍ଷକ ଭାବେ ଭାରତୀୟ ସୈନ୍ୟଙ୍କ ଭୂମିକାକୁ ଗୁରୁତ୍ୱ ଦେଇ ମୋଦି କହିଲେ, ଆମ ସେନା ବାହିନୀର ସୌର୍ଯ୍ୟର କାହାଣୀ ଆମେ ଜାଣିବାକୁ ଚେଷ୍ଟା କରିବା ଉଚିତ। ସମଗ୍ର ବିଶ୍ୱର ଶାନ୍ତି ପ୍ରକ୍ରିୟାରେ ସେମାନଙ୍କର ଅବଦାନ ରହିଛି। ୧୮ ହଜାରରୁ ଅଧିକ ଭାରତୀୟ ସୈନିକ ଜାତିସଂଘ ଶାନ୍ତି ରକ୍ଷଣ ଅଭିଯାନରେ ସାମିଲ ହୋଇଛନ୍ତି। ଜାତିସଂଘ ଶାନ୍ତି ରକ୍ଷଣ ଅଭିଯାନରେ ଭାରତ ହେଉଛି ତୃତୀୟ ବୃହତ୍ତମ ଅବଦାନକାରୀ ଦେଶ। ୮୫ଟି ଦେଶର ଶାନ୍ତି ରକ୍ଷକମାନଙ୍କୁ ମଧ୍ୟ ଭାରତ ତାଲିମ୍‌ ଦେଉଛି। ଲିବେରିଆକୁ ମହିଳା ପୁଲିସ ୟୁନିଟ୍‌ ପଠାଇବାରେ ମଧ୍ୟ ଭାରତ ପ୍ରଥମ।

ମାନବିକ ଅଧିକାର ସଂକ୍ରାନ୍ତ ଜାତିସଂଘର ଘୋଷଣା ଲିଙ୍ଗଗତ ସମାନତା ପାଇଁ ଭାରତ ସକାଶ ଏକ ପ୍ରମାଣପତ୍ର ବୋଲି ସେ କହିଛନ୍ତି।

ସାମାଜସେବିକା ତଥା ସ୍ୱାମୀ ବିବେକାନ୍ଦଙ୍କର ଶିଷ୍ୟା ଭଗିନୀ ନିବେଦିତା ଆୟର୍ଲାଣ୍ଡ୍‌ରେ ଜନ୍ମିଥିଲେ ଏବଂ ସ୍ୱାମୀ ବିବେକାନନ୍ଦ ତାଙ୍କୁ ନିବେଦିତା ନାଁ ଦେଇଥିଲେ। ଗତକାଲି ଥିଲା ତାଙ୍କର ୧୫୦ ତମ ଜନ୍ମବାର୍ଷିକୀ। ତାଙ୍କ କାର୍ଯ୍ୟରେ ସେ ନିଜର ଉଚ୍ଛ୍ୱାସ ପ୍ରମାଣିତ କରିଛନ୍ତି। ଦରିଦ୍ରମାନଙ୍କ ଉତ୍ଥାନରେ ସେ ନିଜକୁ ସମର୍ପି ଦେଇଥିଲେ। ବ୍ରିଟିସ୍‌ର୍‌ମାନେ କେବଳ ଆମକୁ ନୁହେଁ, ଆମର ମାନସିକତାକୁ ମଧ୍ୟ କ୍ରୀତଦାସ କରି ପକାଇଥିଲେ, କିନ୍ତୁ ଭଗିନୀ ନିବେଦିତା ଭାରତୀୟ ସଂସ୍କୃତିର ପୁନଃପ୍ରତିଷ୍ଠା କରିବାରେ ସହାୟ ହୋଇଥିଲେ।

ଜୀବନଧାରାରେ ସମାଜ ସାମାନ୍ୟ ପରିବର୍ତ୍ତନ ଆଣିବା ଆବଶ୍ୟକ ହେଉଛି। ପୂର୍ବେ ବୃଦ୍ଧାବସ୍ଥାରେ ଲୋକେ ଯେଉଁ ରୋଗ ଭୋଗୁଥିଲେ ଏବେ ଯୁବକମାନଙ୍କଠାରେ ତାହା ବାହାରିଲାଣି। ସ୍ୱାସ୍ଥ୍ୟକର ଜୀବନଯାପନ ପାଇଁ ପିଲାଏ ଖୋଲା ପଡ଼ିଆରେ ଖେଳିବା ଅଭ୍ୟାସ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆୟୁର୍ବେଦ ଏବଂ ଯୋଗକୁ ଜୀବନର ଅଂଶବିଶେଷ କରିବା ଆବଶ୍ୟକ।

ଆମ ଖେଳାଳିମାନେ ଆମ ଦେଶକୁ ଗୌରବାନ୍ଵିତ କରିଛନ୍ତି। ଆଖିଦୃଶିଆ ଖେଳ ପ୍ରଦର୍ଶନ କରି ହକିରେ ଭାରତ ଏସିଆ କପ୍‌ ହକି ଟାଇଟଲ୍‌ ହାସଲ କରିଛି। ୧୦ ବର୍ଷ ପରେ ଭାରତ ଏସିଆ କପ୍‌ ଜିଣିଥିବାରୁ ମୁଁ ସମଗ୍ର ଟିମ୍‌ ଏବଂ ସହଯୋଗୀ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଉଛି। ଡେନ୍‌ମାର୍କ ଓପେନ୍‌ ଜିଣି ଭାରତକୁ ଗୌରବାନ୍ଵିତ କରିଥିବାରୁ ମୁଁ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି କିଦାମ୍ବି ଶ୍ରୀକାନ୍ତଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି ସେ କହିଛନ୍ତି।

ଚନ୍ଦ୍ରପୁର ଦୁର୍ଗରେ ‘ଇକୋଲୋଜିକାଲ୍‌ ପ୍ରୋଟେକ୍‌ସନ୍‌ ଅର୍ଗାନାଇଜେସନ୍‌’ ନାମକ ଗୋଟିଏ ଏନ୍‌ଜିଓ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଛି। ୨୦୦ ଦିନ ଚାଲିବାକୁ ଥିବା ଏହି ଅଭିଯାନରେ ଲୋକେ କୌଣସି ଥକ୍କାପଣ ନ ଦେଖାଇ ସାମଗ୍ରିକ ଭାବେ ଅବିରାମ ଦୁର୍ଗ ପରିଷ୍କାର କରୁଥିବା କଥା ମୋଦି ଉଲ୍ଲେଖ କରିଛନ୍ତି।

ସେ କହିଲେ: ନଭେମ୍ବର ୪ ତାରିଖରେ ଆମେ ଗୁରୁ ନାନକ ଜୟନ୍ତୀ ପାଳିବା। ଗୁରୁନାନକ ଦେବ ଜୀ କେବଳ ଶିଖ୍‌ମାନଙ୍କର ପ୍ରଥମ ଗୁରୁ ନୁହନ୍ତି; ସେ ସମଗ୍ର ବିଶ୍ୱର ଗୁରୁ। ବାସ୍ତବ ମାନବିକତାର ବାର୍ତ୍ତା ପ୍ରସାର ପାଇଁ ସେ ପାଦରେ ଚାଲି ଚାଲି ୨୮ ହଜାର କିଲୋମିଟର୍‌ ଯାତ୍ରା କରିଥିଲେ।

ଅକ୍ଟୋବର ୩୧ ତାରିଖ ଦିନ ଆମେ ସର୍ଦାର ଭଲ୍ଲଭଭାଇ ପଟେଲ୍‌ଙ୍କର ଜନ୍ମଦିନ ପାଳିବୁ। ନବ ଭାରତ ପାଇଁ ତାଙ୍କର ଦୃଷ୍ଟି ଏବେ ମଧ୍ୟ ଆମକୁ ଉଦ୍‌ବୁଦ୍ଧ କରୁଛି। ତାଙ୍କର ଜନ୍ମ ଦିବସକୁ ଜାତୀୟ ଏକତା ଦିବସ ରୂପେ ପାଳନ କରାଯାଏ। ଏହି ଦିନ ‘ଏକତା ନିମେନ୍ତ ଦୌଡ଼’ ଆୟୋଜିତ ହେବ, ଭାଗ ନେବା ପାଇଁ ମୋଦି ସମସ୍ତଙ୍କୁ ଅନୁରୋଧ କରୁଛନ୍ତି।

ଅକ୍ଟୋବର ୩୧ ମଧ୍ୟ ଇନ୍ଦିରା ଗାନ୍ଧୀ ଦୁନିଆ ଛାଡ଼ି ଥିଲେ ବୋଲି ସେ ସ୍ମରଣ କରାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର