ପାକିସ୍ତାନ ଅଧିକୃତ କଶ୍ମୀରରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତୀୟ ସେନା ପ୍ରସ୍ତୁତ : ବିପିନ ରାୱତ

ମ‌ାନିଲେ ପାକ୍‌ ମନ୍ତ୍ରୀ କଶ୍ମୀର ମାମଲାରେ ସମର୍ଥନ ମିଳୁନି, ଜେୟୁଡି ପାଇଁ ପାକିସ୍ତାନ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି

ଆମେଥି : ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତୀୟ ସେନା ପ୍ରସ୍ତୁତ ରହିଛି। ତେବେ ଏସଂପର୍କରେ ଚୂଡାନ୍ତ ନିଷ୍ପତ୍ତି ସରକାର ନେବେ। ସରକାରଙ୍କର ଆଦେଶ ମିଳିବା ମାତ୍ରେ ‌ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛନ୍ତି ସେନା ଅଧ୍ୟକ୍ଷ ଜେନେରାଲ ବିପିନ ରାୱତ। ପାକିସ୍ତାନ ଅଧିକୃତ କଶ୍ମୀରର ମୁକ୍ତି ଉପରେ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ମନ୍ତବ୍ୟ ପରେ ସେନା ଅଧ୍ୟକ୍ଷଙ୍କ ଏହି ବୟାନ ବିଶେଷ ଗୁରୁତ୍ବ ବହନ କରୁଛି।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଥିବା ବେଳେ କିଛି ଦିନ ତଳେ ପିଏମ୍‌ଓରେ ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଥିଲେ ଯେ ୩୭୦ ଉଚ୍ଛେଦ ପରେ ଏବେ ସରକାରଙ୍କ ଫୋକସରେ ରହିଛି ପିଓକେ। ପ୍ରତିକ୍ରିୟା ପ୍ରକାଶ କରି ଜେନେରାଲ ରାୱତ କହିଲେ ଯେ ଏସଂପର୍କରେ ସରକାର ହିଁ ନିଷ୍ପତ୍ତି ନେବେ। ସରକାରଙ୍କ ଆଦେଶ ତତ୍କାଳ କାର୍ଯ୍ୟକାରୀ କରି ପିଓକେରେ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ତୟାର ରହିଛୁ। ସେ କହିଲେ ଯେ ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଇଥିବା ଧାରା ୩୭୦ ହଟିବା ନିଷ୍ପତ୍ତି ଅତ୍ୟନ୍ତ ସ୍ବାଗତଯୋଗ୍ୟ ଏବଂ ଏହାଦ୍ବାରା ଅଂଚଳ‌େର ଶାନ୍ତି ଓ ବିକାଶ ପାଇଁ ରାସ୍ତା ଖୋଲିଯାଇଛି। ଏବେ କଶ୍ମୀର ଆତଙ୍କବାଦୀଙ୍କ ପ୍ରାଦୁର୍ଭାବରୁ ମୁକ୍ତ ହେବ। ଏଥିରେ ଜମ୍ମୁ-କଶ୍ମୀର ଲୋକେ ସହ‌େଯାଗ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

ମ‌ାନିଲେ ପାକ୍‌ ମନ୍ତ୍ରୀ କଶ୍ମୀର ମାମଲାରେ ସମର୍ଥନ ମିଳୁନି, ଜେୟୁଡି ପାଇଁ ପାକିସ୍ତାନ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି

ଇସଲାମାବାଦ୍‌ : କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଯାହା କହିଲେ ବି ବିଶ୍ବ ସମୁଦାୟ ବିଶ୍ବାସ କରୁ ନାହାନ୍ତି। ଏସଂପର୍କରେ ଭାରତ ଯାହା କହୁଛି ତାହାକୁ ସାରା ବିଶ୍ବ ବିଶ୍ବାସ କରୁଛି। ଆଜି ଏଭଳି ବୟାନ ଦେଇଛନ୍ତି ପାକିସ୍ତାନର ଜଣେ ମନ୍ତ୍ରୀ। ଏକ ଟିଭି ଚାନେଲରେ ମନ୍ତ୍ରୀ ବ୍ରିଗେଡିୟର ଇଜାଜ ଅହମ୍ମଦଙ୍କ ଏଭଳି ସ୍ବୀକାରୋକ୍ତି ଇମ୍ରାନ ସରକାରକୁ ଅଡ଼ୁଆରେ ପକାଇ ଦେଇଛି।

ମନ୍ତ୍ରୀ ଅହମ୍ମଦ କହିଛନ୍ତି ଯେ କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ଏହା ବିରୋଧରେ ପାକିସ୍ତାନ ବଡ଼ ଧରଣର ଅଭିଯାନ ଚଳାଇଥଲା। କିନ୍ତୁ ଏହା ବିଫଳ ହୋଇଛି। କଶ୍ମୀରରେ କର୍ଫ୍ୟୁ ରହିଛି ଏବଂ ଲୋକମାନଙ୍କୁ ଔଷଧ ମଧ୍ୟ ଦିଆଯାଉ ନାହିଁ। କିନ୍ତୁ ଆମ କଥା କେହି ଶୁଣୁ ନାହାନ୍ତି। ଭାରତ ଯାହା କହୁଛି ସ‌ମସ୍ତେ ବିଶ୍ବାସ କରୁଛନ୍ତି। ବର୍ତମାନ ପାକିସ୍ତାନ ପାଇଁ ବିଶ୍ବରେ ଯେଉଁ ଅପମାନଜନକ ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ଦେଶର ବିଭିନ୍ନ ସରକାର ଦାୟୀ ବୋଲି ସେ କହିଛନ୍ତି।

ସେହିଭଳି ସେ ସ୍ବୀକାର କରି କହିଛନ୍ତି ଯେ ପାକିସ୍ତାନ ଜେୟୁଡି (ଜମାତ୍‌ ଉଦ୍‌ ଦାୱା) ଆତଙ୍କବାଦୀ ଗୋଷ୍ଠୀ ପିଛା କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି। ଇମ୍ରାନ୍‌ ସରକାର ଜେୟୁଡିକୁ ମୁଖ୍ୟସ୍ରୋତକୁ ଆଣିବାପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏବେ ଏହି ଆତଙ୍କବାଦୀ ଗୋଷ୍ଠୀର ସଦସ୍ୟମାନଙ୍କୁ ନିରୁତ୍ସାହିତ କରିବା ସହ ସେମାନଙ୍କୁ ମୁଖ୍ୟସ୍ରୋତରୁ ହଟାଇବା ସମୟ ଆସିଛି ବୋଲି ମନ୍ତ୍ରୀ ଅହମଦ କହିଛନ୍ତି।

ସମ୍ବନ୍ଧିତ ଖବର