ନୂଆଦିଲ୍ଲୀ : ପାକ୍ ଅଧିକୃତ କାଶ୍ମୀର ଉପରେ ଆକ୍ରମଣ ପାଇଁ ଭାରତୀୟ ସେନା ପ୍ରସ୍ତୁତ ଅଛି। କେବଳ ସରକାରଙ୍କ ଅନୁମତିକୁ ଅପେକ୍ଷା କରିଛୁ ବୋଲି ଆଜି ସ୍ଥଳସେନା ମୁଖ୍ୟ ଜେନେରାଲ୍ ଏମ୍.ଏମ୍. ନରବଣେ କହିଛନ୍ତି। ସ୍ଥଳସେନା ମୁଖ୍ୟଙ୍କ ଏଭଳି ବଡ଼ ବୟାନ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।
ଏକ ଟେଲିଭିଜନ ସାକ୍ଷାତକାରରେ ନରବଣେ କହିଛନ୍ତି ଯେ ପିଓକେକୁ ନେଇ ଏବେ ଭାରତୀୟ ସେନା ହାତରେ ବହୁ ଯୋଜନା ରହିଛି। ଅନୁମତି ମିଳିବା ମାତ୍ରେ ପିଓକେରେ ଏକ ବଡ଼ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ କରିବାକୁ ସେନା ପ୍ରସ୍ତୁତ ଅଛି। ସୀମାରେ ସୁରକ୍ଷା ସ୍ଥିତି ସୁଦୃଢ଼ କରିବା ପାଇଁ ବିପୁଳ ସେନା ମୁତୟନ କରାଯାଇଛି। ନିୟନ୍ତ୍ରଣ ରେଖା ଅଂଚଳରେ ଅନୁପ୍ରବେଶ ରୋକିବାକୁ ବ୍ୟାପକ ପଦକ୍ଷେପ ନିଆଯାଇଛି।
ପିଓକେରେ ଆତଙ୍କବାଦୀଙ୍କ ଉପରେ ଆଗୁଆ ଏବଂ ଅତର୍କିତ ଆକ୍ରମଣ କରିବାକୁ ଭାରତ ପ୍ରସ୍ତୁତ ବୋଲି ଦୁଇ ଦିନ ତଳେ ସ୍ଥଳସେନା ମୁଖ୍ୟ ନରବଣେ କହିବା ପରେ ପାକିସ୍ତାନ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା। ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏହି ବୟାନକୁ ସମାଲୋଚନା କରିବାର ଦିନକ ପରେ ଆଜି ପୁଣିଥରେ ନରବଣେଙ୍କ ବୟାନ ପାକ୍ ପାଇଁ କଡ଼ା ଚେତାବନୀ ହୋଇଛି। ୨୦୧୬ରେ ଜମ୍ମୁ-କାଶ୍ମୀରର ଉରି ସେନା ଶିବିର ଉପରେ ଆକ୍ରମଣ ହୋଇଥିଲା ଏବଂ ଏହାପରେ ଭାରତ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲା। ସେହିଭଳି ପୁଲ୍ୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ବାଲାକୋଟ୍ଠାରେ ଜୈସ୍-ଏ-ମହମ୍ମଦ ଆତଙ୍କବାଦୀଙ୍କ ପ୍ରଶିକ୍ଷଣ ଶିବିରକୁ ଅଚାନକ ବିମାନ ଆକ୍ରମଣ କରି ଧ୍ବଂସ କରିଦେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/naravane.jpg)