ଅନୁପ୍ରବେଶ ଉଦ୍ୟମ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଉରି: ଭାରତୀୟ ସେନାକୁ ମିଳିଲା ବଡ଼ ସଫଳତା। ଉରି ନିକଟସ୍ଥ ରାମପୁର ଅଞ୍ଚଳରେ ଭାରତୀୟ ସେନା ଦ୍ବାରା ୩ଜଣ ପାକିସ୍ତାନ ଆତଙ୍କବାଦୀ ନିହତ ହୋଇଛନ୍ତି। ୩ଜଣ ଆତଙ୍କବାଦୀ ପାକ୍ ଅଧିକୃତ କଶ୍ମୀର ଦେଇ ଭାରତକୁ ଆସିଥିଲେ ବୋଲି ଜଣାପଡ଼ିଛି। ୩ଜଣଙ୍କ ମୃତ୍ୟୁ ପରେ ସେମାନଙ୍କଠାରୁ ୫ଟି ଏକେ-୪୭ ରାଇଫଲ, ୮ ଟି ପିସ୍ତଲ ଓ ୭୦ ଟି ଗ୍ରେନେଡ ଉଦ୍ଧାର କରାଯାଇଛି ।

ଲେଫ୍ଟନାଣ୍ଟ ଜେନେରାଲ ଡିପି ପାଣ୍ଡ୍ୟା କହିଛନ୍ତି କି, ତଡକେ ରାମପୁର ଅଞ୍ଚଳରେ ଥିବା ହଥଲଙ୍ଗା ଜଙ୍ଗଲ ନିକଟରେ କିଛି ଆତଙ୍କବାଦୀ ଭାରତ ଭିତରକୁ ପଶିବାକୁ ଉଦ୍ୟମ କରୁଥିଲେ । ଏହି ଉଦ୍ୟମକୁ ଯଥାଶୀଘ୍ର ସମ୍ଭବ ବିଫଳ କରାଯାଇଛି । ଏଥିରେ ୩ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ଧରିବାକୁ ଅପରେସନ ଜାରି ରଖାଯାଇଛି ।

ସୂଚନା ମୁତାବକ, ସୀମାରେଖା ନିକଟରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ପାଇବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସେପ୍ଟେମ୍ବର ୧୮ ତାରିଖ ରାତିରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଏହି କ୍ରମରେ ସୀମାବର୍ତ୍ତୀ ଅଞ୍ଚଳରେ ସମସ୍ତ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା । ଅନ୍ୟପଟେ ବୁଧବାର ଦିନ ସୀମାରେଖାଠାରେ ଉଭୟ ପକ୍ଷରୁ ହୋଇଥିବା ଗୁଳି ବିନିମୟରେ ଜଣେ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଥିଲା । ଏହାପରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ରୋକିବାକୁ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା ।

ସମ୍ବନ୍ଧିତ ଖବର