ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ମେଣ୍ଢର ସେକ୍ଟରରେ ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ରଖିଛନ୍ତି ଭାରତୀୟ ଯବାନ। ଭାରତୀୟ ଯବାନଙ୍କ ଗୁଳିମାଡ଼ରେ ୭ ଜଣ ପାକସ୍ତାନୀ ସୈନ୍ୟଙ୍କର ମୃତ୍ୟୁ ହୋଇଛି। ଏଥିସହିତ ୪ ଜଣ ପାକ୍ ସୈନିକ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିବା ଖବର ମିଳିଛି। ତେବେ ପାକ୍ ସେନା ୪ ଜଣ ସୈନିକଙ୍କୁ ହରାଇଛି ବୋଲି ସ୍ୱୀକାର କରିଛି। ସ୍ଥଳସେନା ସୋମବାର ୭୦ତମ ଜାତୀୟ ସେନା ଦିବସ ପାଳନ କରୁଥିବା ବେଳେ ଏହି ବଦଲା ନେଇଛି।
ସେହିପରି ବାରମୂଳା ଜିଳ୍ଲାର ଉରି ସେକ୍ଟରରେ ଜୈଶ ଏ ମହମ୍ମଦ (ଜେଇଏମ୍) ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କଲାବେଳେ ଭାରତୀୟ ସେନାଙ୍କ ଗୁଳିରେ ୬ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଜମ୍ମୁ କଶ୍ମୀର ପୁଲିସ, ସେନା ଏବଂ ସିଆରପିଏଫ୍ ଦ୍ୱାରା ହୋଇଥିବା ଏହି ମିଳିତ ଅପରେସନ୍ରେ ଜେଇଏମ୍ର ଆକ୍ରମଣ ଯୋଜନା ପଣ୍ଡ ହୋଇଯାଇଛି।
ଶନିବାର ରାଜୌରି ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ପାକ୍ ଗୁଳିରେ ଜଣେ ଭାରତୀୟ ସୈନିକ ସହିଦ ହେବାର ପ୍ରତିଶୋଧ ସ୍ୱରୂପ ସୋମବାର ଯବାନମାନଙ୍କ ଏହି ସଫଳତାରେ ସେନାଧ୍ୟକ୍ଷ ବିପିନ ରାଓ୍ଵତ ଉଲ୍ଲସିତ ହୋଇ ପଡ଼ିଛନ୍ତି। ପାକିସ୍ତାନର କୌଣସି ପ୍ରକାର ଭାରତ ବିରୋଧୀ ଅଭିଯାନକୁ ବରଦାସ୍ତ କରାଯିବନି ବୋଲି ସେ ଚେତାବନୀ ଦେଇଛନ୍ତି।
ସୂଚନାନୁସାରେ, ପାକିସ୍ତାନୀ ସୈନିକମାନେ ସୋମବାର ସକାଳ ପ୍ରାୟ ୧୦ଟା ୧୫ରେ ମେଣ୍ଢର ଅନ୍ତର୍ଗତ ଦେହରି ଦେବ୍ସି ଇଲାକାରେ ଅତର୍କିତ ପ୍ରବଳ ଗୋଳିଗୁଳା ବର୍ଷଣ କରିଥିଲେ। ନିୟନ୍ତ୍ରଣ ରେଖା ଏପଟେ ଥିବା ସେନା ଶିବିରଗୁଡ଼ିକୁ ନିଶାଣ କରି ଏପରି ଗୁଳିବର୍ଷା ହୋଇଥିଲା। ତେବେ ସୀମା ଆରପଟୁ ଗୁଳିମାଡ଼ ହେଉଥିବା ଜାଣିପାରି ଭାରତୀୟ ଯବାନମାନେ ତୁରନ୍ତ ଏହାର ଦୃଢ଼ ଜବାବ ଦେଇଥିଲେ। ଦୀର୍ଘ ଘଣ୍ଟାଏ କାଳ ଧରି ଚାଲିଥିବା ଏହି ଗୁଳି ବିନିମୟରେ ୭ ଜଣ ପାକ୍ ସୈନିକଙ୍କର ମୃତ୍ୟୁ ହେବା ସହ ୪ ଜଣ ଆହତ ହୋଇଥିଲେ। ଅପରପକ୍ଷେ, ପାକ୍ ସେନାର ମୁଖପାତ୍ର ମେଜର ଜେନେରାଲ୍ ଆସିଫ ଗଫୁର ଘଟଣାର ସଫେଇ ଦେଇ କହିଛନ୍ତି ଯେ ପାକ୍ ଅଧିକୃତ କଶ୍ମୀର ଅନ୍ତର୍ଗତ ନିୟନ୍ତ୍ରଣ ରେଖାର ଜନ୍ଦ୍ରୋତ୍ କୋଟ୍ଲି ସେକ୍ଟରରେ ପାକ୍ ସୈନିକମାନେ ଯୋଗାଯୋଗ ବ୍ୟବସ୍ଥାର ରକ୍ଷଣାବେକ୍ଷଣ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ଭାରତ ପକ୍ଷରୁ ଗୁଳିମାଡ଼ ହୋଇଥିଲା। ଏଥିରେ ମାତ୍ର ୪ ଜଣ ପାକ୍ ସୈନିକଙ୍କର ମୃତ୍ୟୁ ହୋଇଥିବା ସେ ସ୍ୱୀକାର କରିଥିବା ବେଳେ ପାକ୍ ସେନାର ଜବାବରେ ୩ ଜଣ ଭାରତୀୟ ସୈନିକଙ୍କର ମଧ୍ୟ ସ୍ୱର୍ଗପ୍ରାପ୍ତି ହୋଇଥିବା ଦାବି କରିଛନ୍ତି। ମାତ୍ର ଭାରତର କ୍ଷୟକ୍ଷତି ସମ୍ପର୍କରେ ଭାରତୀୟ ସେନା କିଛି ସ୍ପଷ୍ଟ କରିନାହିଁ।
ସ୍ମରଣଯୋଗ୍ୟ, ବିଭିନ୍ନ ସମୟରେ ନିୟନ୍ତ୍ରଣ ରେଖା ଦେଇ ଆତଙ୍କବାଦୀମାନଙ୍କୁ ଭାରତରେ ଅନୁପ୍ରବେଶ କରାଇବା ପାଇଁ ପାକ୍ ସେନା ଅନବରତ ଉଦ୍ୟମ ଜାରି ରଖିଛି। ସେଥିପାଇଁ ଗତବର୍ଷ ପାକ୍ ସେନା ଅତି କମ୍ରେ ୭୨୦ ଥର ଅସ୍ତ୍ର ବିରତି ଉଲ୍ଲଂଘନ କରିଛି। ତେବେ ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଅନେକ ଥର ଅନୁପ୍ରବେଶ ଉଦ୍ୟମ ପଣ୍ଡ ହେବା ସହ ସଂଖ୍ୟାଧିକ ଆତଙ୍କବାଦୀ ମଧ୍ୟ ନିପାତ ହୋଇଛନ୍ତି।