ସେନାର ନୂଆ ରଣନୀତିରେ ପାକିସ୍ତାନ ଛାନିଆ, ୪ ବର୍ଷରେ ଭାରତର ତୃତୀୟ ଆକ୍ରମଣ

ରାଜନାଥ ଏବଂ ରାୱତଙ୍କ ଲଦାଖ୍‌ ଗସ୍ତ ଆଜି

ନୂଆଦିଲ୍ଲୀ: ଏବେ ଭାରତୀୟ ସେନାର ରଣନୀତି ବଦଳି ଯାଇଛି। ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ରୋକିବା ପାଇଁ ସେନାର ରଣନୀତିରେ ବଡ଼ ପରିବର୍ତ୍ତନ ଆସିଛି। ଅତ୍ୟାଧୁନିକ ତୋପ ବ୍ୟବହାର କରି ଭାରତ ଆଜି ପାକ୍‌ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀଙ୍କ ୩ଟି ଲଞ୍ଚପ୍ୟାଡ୍‌ ଧ୍ବସ୍ତ କରିବା ପରେ ପାକିସ୍ତାନ ଛାନିଆରେ ରହିଛି। ସେନା ଦ୍ବାରା ଆତଙ୍କବାଦୀଙ୍କ ବଡ଼ ଅନୁପ୍ରବେଶକୁ ରୋକିବା ପାଇଁ ଭାରତୀୟ ସେନାର ଏଭଳି କାର୍ଯ୍ୟାନୁଷ୍ଠାନ ପ୍ରଥମ ବୋଲି କୁହାଯାଉଛି। ପାକିସ୍ତାନ ସେନା ଭାରତ ପଟୁ ଏଭଳି ଆକ୍ରମଣ ନେଇ କଳ୍ପନା ମଧ୍ୟ କରିନଥିଲା। ଅଚାନକ ତୋପରୁ ଗୋଳା ବର୍ଷା ଆରମ୍ଭ ହୋଇଯାଇଥିଲା ଏବଂ ଚାହୁ ଚାହୁ ଆତଙ୍କବାଦୀଙ୍କ ୩ଟି ଲଞ୍ଚପ୍ୟାଡ୍‌ ମାଟିରେ ମିଶି ଯାଇଥିଲା। ଦୁଇ ଡଜନରୁ ଅଧିକ ଆତଙ୍କବାଦୀ ଏବଂ ୧୦ ଜଣ ପାକ୍‌ ସୈନିକଙ୍କୁ ନିପାତ କରି ଭାରତ ତା’ର ପରାକ୍ରମ ଦେଖାଇଥିଲା । ୨୦୧୬ରେ ଉରି ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିଲା। ଏହା ପରେ ଫେବ୍ରୁଆରି ୨୦୧୯ରେ ପୁଲୱାମା ଆକ୍ରମଣ ପରେ ଭାରତ ପାକିସ୍ତାନରେ ପଶି ବିମାନ ଆକ୍ରମଣ କରିଥିଲା। ଆଜି ତୋପ ଦ୍ବାରା ଆତଙ୍କବାଦୀ ଶିବିରକୁ ସଫଳତାର ସହ ଉଡ଼ାଇ ଦିଆଯାଇଛି। ଆଗକୁ ମଧ୍ୟ ବଡ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି।

ଅନୁପ୍ରବେଶ ପାଇଁ ପାକ୍‌ ସେନାର ଯୋଜନା ପଣ୍ଡ
ଜମ୍ମୁ କଶ୍ମୀରରେ ଏକାଥରକେ ୫୦ରୁ ଅଧିକ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନ ସେନା ଏବଂ ଆଇଏସ୍‌ଆଇ ବଡ଼ ଷଡ଼ଯନ୍ତ୍ର ରଚିଥିଲା। ଆତଙ୍କବାଦୀମାନେ ଆଜି ଭାରତରେ ଅନୁପ୍ରବେଶ କରିଥାନ୍ତେ। ଏଥିପାଇଁ ପାକ୍‌ ସେନା ଗୁଳିବର୍ଷା ଜାରି ରଖିବା ସହ ବିଭିନ୍ନ ଜନବସତିକୁ ଟାର୍ଗେଟ୍‌ କରିଥିଲା। ତେବେ ଭାରତ ଅଚାନକ ପ୍ରଚଣ୍ଡ ଜବାବୀ କାର୍ଯ୍ୟାନୁଷ୍ଠାନ କରି ସବୁ କିଛି ଛାରଖାର କରିଦେବ ବୋଲି ପାକ୍‌ ସେନା ଚିନ୍ତା କରିନଥିଲା। ତଙ୍ଗଧାର ଏବଂ ନୌସେରା ସେକ୍ଟର ଉପରେ ଭାରତ ଉପଗ୍ରହ ମାଧ୍ୟମରେ ସତର୍କ ନଜର ରଖିଥିଲା। ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡ୍‌ ଏବଂ ଅନୁପ୍ରବେଶ ମାର୍ଗ ସଂପର୍କରେ ଜଣାପଡ଼ିବା ମାତ୍ରେ ଭାରତ ବଡ଼ ପଦକ୍ଷେପ ଗ୍ରହଣ କରିଥିଲା । ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବା ପରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ପାକିସ୍ତାନ ଅହରହ ପ୍ରୟାସ ଜାରି ରଖିଛି । ତେବେ ନିୟନ୍ତ୍ରଣ ରେଖା ଅଂଚଳରେ ସୁରକ୍ଷା ବାହିନୀର ସୁନିଶ୍ଚିତ ରଣନୀତି ଯୋଗୁଁ ପାକିସ୍ତାନର ସମସ୍ତ ପ୍ରୟାସ ପଣ୍ଡ ହୋଇଛି।

ପାକିସ୍ତାନ ବିଚଳିତ, ଡେପୁଟି ହାଇକମିସନରଙ୍କୁ ତଲବ
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ତଙ୍ଗଧାର ସେକ୍ଟରରେ ପାକିସ୍ତାନର ବଡ଼ ଧରଣର ଅସ୍ତ୍ର ବିରତି ଉଲ୍ଲଂଘନ ପରେ ଭାରତୀୟ ସେନା ପିଓକେର ଆତଙ୍କବାଦୀ ଶିବିର ଗୁଡ଼ିକ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିବାରୁ ଏହି ମାମଲା ଉପରେ ପ୍ରତିରକ୍ଷା ମନ୍ତ୍ରାଳୟ ଏବେ ସତର୍କ ନଜର ରଖିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମାମଲାରେ ଲଗାତାର ସେନାମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ସହ ସଂପର୍କରେ ଅଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ସ୍ବୀକାର କରିଛି ଯେ ଭାରତର ଆକ୍ରମଣରେ ଏହାର ବଡ଼ କ୍ଷତି ହୋଇଛି। ବିଚଳିତ ପାକିସ୍ତାନ ଇସ୍‌ଲାମାବାଦରେ ଅବସ୍ଥାପିତ ଭାରତର ଡେପୁଟି ହାଇକମିସନର ଗୌରବ ଆଲୁୱାଲିଆଙ୍କୁ ସମନ ଜାରି କରିଛି। ଭାରତର କାର୍ଯ୍ୟାନୁଷ୍ଠାନ ସଂପର୍କରେ ତାଙ୍କଠାରୁ ବିସ୍ତୃତ ଜବାବ ମଗାଯାଇଥିବା ଜଣାପଡ଼ିଛି।

ତଥ୍ୟ ଲୁଚାଇବାକୁ ପ୍ରୟାସ
ପାକିସ୍ତାନ ଅଧିକୃତ କଶ୍ମୀରରେ ଭାରତ ଗୋଳା ବର୍ଷା କରି ଆତଙ୍କବାଦୀଙ୍କ ୩ଟି ଲଞ୍ଚ ପ୍ୟାଡ୍‌ ଧ୍ବଂସ କରିବା ପରେ ଏବେ ପାକିସ୍ତାନ ତଥ୍ୟ ଲୁଚାଇବାକୁ ପ୍ରୟାସ ଚଳାଇଛି। ଘଟଣାସ୍ଥଳରୁ ଆତଙ୍କବାଦୀଙ୍କ ଶବ ସ୍ଥାନାନ୍ତର କରାଯାଉଛି। ପ୍ରାୟ ୧୦ ଜଣ ସୈନିକଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ପାକିସ୍ତାନ ଜଣେ ସୈନିକଙ୍କ ମୃତ୍ୟୁ ଘଟିଥିବା କହିଛି। ପୂର୍ବରୁ ମଧ୍ୟ ପାକିସ୍ତାନ ନିଜ ସୈନିକଙ୍କ ମୃତ୍ୟୁ ଖବରକୁ ଲୁଚାଇ ଅପମାନିତ ହୋଇଥିବା ନଜିର୍‌ ରହିଛି। ଆଜି ଅପରାହ୍ନରେ ମଧ୍ୟ ଜବାବୀ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଘଟଣାସ୍ଥଳରେ ବଡ଼ ଧରଣର ବିପର୍ଯ୍ୟୟ ଘଟିଥିବାରୁ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି କୁହାଯାଉଛି। କ୍ଷୟକ୍ଷତି ନେଇ ଏବେ ବି ଆକଳନ ଜାରି ରହିଛି ବୋଲି ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ରାଜନାଥ ଏବଂ ରାୱତଙ୍କ ଲଦାଖ୍‌ ଗସ୍ତ ଆଜି
ସୀମାରେ ଗୁଳି ବର୍ଷା ଜାରି ରହିଥିବା ବେଳେ ସାମରିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଲଦାଖ୍‌ରେ ଏକ ପୋଲ୍‌ ଉଦ୍‌‌ଘାଟନ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ ସୋମବାର ଗସ୍ତ କରିବେ। ଚୀନ୍‌ ସୀମାକୁ ଲାଗି ରହିଥିବା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଦୌଲତ ବେଗ ଓଲ୍‌ଡିକୁ ସଂଯୋଗ କରୁଥିବା ନବନିର୍ମିତ ରାସ୍ତା ଏବଂ ପୋଲ୍‌କୁ ପ୍ରତିରକ୍ଷାମନ୍ତ୍ରୀ ଉଦ୍‌ଘାଟନ କରିବେ। ଏହି ପୋଲ୍‌ର ନାମ ଭାରତୀୟ ସେନାର ପ୍ରତିଷ୍ଠିତ ସୈନିକ କର୍ଣ୍ଣେଲ ସେୱାଙ୍ଗ ରିନ୍‌ସେନଙ୍କ ନାମରେ ରଖାଯାଇଛି।

ସମ୍ବନ୍ଧିତ ଖବର